ବିମାନବନ୍ଦରରେ ବୁଲୁଛି କଲରାପତରିଆ, ରାତି ୯ଟାରେ ଠାବ କଲା ବନ ବିଭାଗ

୭ଟି ଯନ୍ତାରେ ଛେଳି, ମେଣ୍ଢା ଓ କୁକୁଡ଼ା, ରାତିସାରା ଜଗି ରହିଛନ୍ତି ବନ କର୍ମଚାରୀ

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଅଞ୍ଚଳରେ ବୁଲୁଛି କଲରାପତରିଆ ବାଘ। ଦିନ ତମାମ ଖୋ‌ଜିଖୋଜି ନୟାନ୍ତ ହେବା ପରେ ରାତି ପ୍ରାୟ ୯ଟା ୧୬ରେ ବାଘକୁ ଠାବ କରିଛି ବନ ବିଭାଗ। ବିମାନବନ୍ଦରକୁ ଲାଗି ରହିଥିବା କାର୍ଗୋ ନିକଟରେ ବାଘ ବୁଲୁଥିବା‌ ବନବିଭାଗ ଅଧିକାରୀ ଦେଖିଛନ୍ତି। ଏନେଇ ବିଭାଗର ବରିଷ୍ଠ ଅଧିକାରୀମାନେ ସ୍ପଷ୍ଟ ହେବା ପରେ ୭ଟି ଯନ୍ତା ବସାଇ ବାଘ ଧରିବାକୁ ଉଦ୍ୟମ କରୁଛନ୍ତି। ଯନ୍ତା ଭିତରକୁ ବାଘକୁ ଆକୃଷ୍ଟ କରିବା ପାଇଁ ଏଥିରେ ଛେଳି, ମେଣ୍ଢା ଓ କୁକୁଡ଼ା ବନ୍ଧା ଯାଇଛି। ବିମାନବନ୍ଦର ଭିତରେ ୩ଟି ଓ ବାହାର ପାର୍ଶ୍ବରେ ଥିବା ଜଙ୍ଗଲରେ ୪ଟି ଯନ୍ତା ବସାଇ ବନ ବିଭାଗ ଅଧିକାରୀମାନେ ଜଗି ରହିଛନ୍ତି। ରବିବାର ରାତି ପ୍ରାୟ ୧୧ଟା ୨୩ ମିନିଟ୍‌ରେ ବିମାନବନ୍ଦର ପାଚେରି କଡ଼କୁ ଲାଗି ଭିଆଇପି ଅଞ୍ଚଳରେ ଥିବା ଏକ ପ୍ଲଟ୍‌ରେ ବାଘ ବୁଲୁଥିବା ସିସିଟିଭି କ୍ୟାମେରାରେ ଦେଖାଯାଇଥିଲା। ଏହାର ୨୮ ଘଣ୍ଟା ପରେ ଅର୍ଥାତ୍‌ ମଙ୍ଗଳବାର ଭୋର ୪ଟା ୪୦ରେ ବିମାନବନ୍ଦର ୱାଚ୍‌ ଟାୱାରରେ ନିୟୋଜିତ ହୋଇଥିବା ସିଆଇଏସ୍‌ଏଫ୍‌ ଯବାନ ବାଘକୁ ଦେଖିଥିଲେ। ବାଘଟି ବିମାନବନ୍ଦର ପାଚେରି ଡେଇଁ ବାହାରକୁ ଆସୁଥିବା ଦେଖିବାକୁ ପାଇଥିଲେ। ବାଘ ଦେଖିଥିବା ସିଆଇଏସ୍‌ଏଫ୍‌ ଯବାନଙ୍କ କହିବା କଥା ହେଲା ଭୋର ପ୍ରାୟ ୪ଟା ୪୦ରେ ଟାୱାର ଉପରେ ଜଗି ରହିଥିଲେ। ଏହି ସମୟରେ ଟାୱାରଠାରୁ ୩ରୁ ୪ ମିଟର ଆଗରେ ବାଘ ପାଚେରି ଡେଉଁଥିବା ଦେଖିବାକୁ ପାଇଥିଲେ। ବାଘଟିର ଲମ୍ବ ୪ରୁ ୫ ଫୁଟ୍‌ ହେବ। ବିମାନବନ୍ଦର ଭିତର ପାର୍ଶ୍ବରୁ ବାହାର ପାର୍ଶ୍ବରେ ଥିବା ଜଙ୍ଗଲକୁ ଡେଇଁଥିଲା। ଏହା ଦେଖିବା ପରେ ସଙ୍ଗେ ସଙ୍ଗେ ଉପରିସ୍ଥ ଅଧିକାରୀମାନଙ୍କୁ ଖବର ଦେଇଥିଲେ। ସେମାନେ ବନ ବିଭାଗକୁ ଜଣାଇଥିଲେ।

ସିସିଟିଭି ଫୁଟେଜ୍‌ ସମେତ ପ୍ରତ୍ୟେକ୍ଷଦର୍ଶୀଙ୍କ କଥାକୁ ଆଧାର କରି ସକାଳୁ ସକାଳୁ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ‘ଅପରେସନ୍‌ ଟାଇଗର’। କଲରାପତରିଆ ବାଘକୁ ଧରିବା ପାଇଁ ସିଟି ଫରେଷ୍ଟ ଡିଭିଜନ୍‌ରେ ଥିବା ୪ଟି ରେଞ୍ଜ ଯଥା ସିଟି ଫରେଷ୍ଟ, ମଞ୍ଚେଶ୍ବର, ଫୁଲନଖରା, କଟକ ରେଞ୍ଜରେ ଥିବା କର୍ମଚାରୀ ଓ ଚନ୍ଦକା ବନ୍ୟପ୍ରାଣୀ ଡିଭିଜନ୍‌ର ଅଧିକାରୀମାନଙ୍କୁ ଡକାଯାଇଥିଲା। ବାଘ ଧରିବା ପାଇଁ ନନ୍ଦନକାନନରୁ ବି ସ୍ବତନ୍ତ୍ର ଟିମ୍‌ ପହଞ୍ଚିଥିଲେ। ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ଓୟୁଏଟିର ବିଶେଷଜ୍ଞମାନେ ବି ସାମିଲ ହୋଇଥିଲେ। ୫ରୁ ଅଧିକ ବନ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ବାଘ ଧରିବା ପାଇଁ ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ। ଦୁଇଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ପ୍ରତି ଟିମ୍‌ରେ ୧୦ ଜଣ ଲେଖାଏଁ ବନ ବିଭାଗ କର୍ମଚାରୀ ରହିଥିଲେ। ବାଘ ଧରିବା ଲାଗି ସେମାନେ ଜାଲ, ବନ୍ଧୁକ, ଟ୍ରାଙ୍କୁଲାଇଜର୍‌ ଧରି ଜଙ୍ଗଲରେ ଖୋଜାଖୋଜି କରିଥିଲେ। ପ୍ରାୟ ୪ ଘଣ୍ଟା ଧରି ଅଣନିଶ୍ବାସୀ ହୋଇ ଖୋଜିଥିଲେ ମଧ୍ୟ ଅପରାହ୍‌ଣ ସୁଦ୍ଧା ବାଘର ସନ୍ଧାନ ମିଳି ନଥିଲା। ବନ ବିଭାଗ ଅଧିକାରୀମା‌ନେ ନିରାଶ ହେବା ପରେ ରାତିରେ ବିମାନବନ୍ଦର ନିକଟ ଜଙ୍ଗଲରେ ଯନ୍ତା ବସାଇଛନ୍ତି। ସିଟି ଡିଏଫ୍‌ଓ ଅଶୋକ ମିଶ୍ର କହିଛନ୍ତି, ଭୋର ସମୟରେ ବିମାନବନ୍ଦର କର୍ମଚାରୀ ବାଘକୁ ଦେଖିବା ପରେ ସେହି ଅନୁଯାୟୀ ଖୋଜାଖୋଜି ହୋଇଥିଲା। ‌କଲରାପତରିଆ ବାଘର ବେଗ ଘଣ୍ଟା ପ୍ରତି ପ୍ରାୟ ୬୦ କିମି ରହିଥାଏ। ତେଣୁ ସେ ବହୁ ଦୂରକୁ ଚାଲିଯିବାର ଆଶଙ୍କା ରହିଥିଲା। ସକାଳେ ବିଫଳ ହେବା ପରେ ଅପରାହ୍‌ଣରେ ଆଲୋଚନା କରାଯାଇ ପରବର୍ତୀ ପଦକ୍ଷେପ ନିଆଯାଇଛି। ବାଘ ଉପରେ ନଜର ରଖାଯାଇଛି। ଲୋକେ ଆତଙ୍କିତ ହେବାର ‌କୌଣସି କାରଣ ନାହିଁ। ଚନ୍ଦକା ଡିଏଫ୍‌ଓ କେଦାରନାଥ ସ୍ବାଇଁ କହିଛନ୍ତି ପ୍ରଥମେ ‌ସୁରକ୍ଷିତ ଭାବେ ବାଘକୁ ଧରିବା ପାଇଁ ଯୋଜନା କରିଛୁ। ଯଦି ଧରା ନପଡ଼େ ତେବେ ବିକଳ୍ପ ବ୍ୟବସ୍ଥା କରାଯିବ। ଲୋକଙ୍କର ଯେମିତି କ୍ଷତି ନ ହେବ ସେନେଇ ଚିନ୍ତା କରାଯାଇଛି। ସିଟି ଡିଭିଜନ୍‌ର ଆସିଷ୍ଟାଣ୍ଟ୍‌ କନ୍‌ଜରଭେଟର ଅଫ୍‌ ଫରେଷ୍ଟ ମହମ୍ମଦ ଜମିଲ୍‌ କହିଛନ୍ତି, ଦିନ ସମୟରେ ବାଘକୁ ଠାବ କରିବା ସମ୍ଭବପର ନୁହେଁ। ତେଣୁ ରାତିରେ ବିମାନବନ୍ଦରର ବିଭିନ୍ନ ସ୍ଥାନରେ ବନ ବିଭାଗ ଅଧିକାରୀ ଜଗି ରହିଛନ୍ତି। ରାତି ପ୍ରାୟ ସାଢ଼େ ୯ଟାରେ ବାଘ ଦେଖିବାକୁ ମିଳିଛି। ତେଣୁ ଆମେ ନିଶ୍ଚିତ ହୋଇଛୁ ଯେ ବାଘ ଏହି ଜଙ୍ଗଲରେ ହିଁ ରହିଛି। ତେଣୁ ଯନ୍ତା ବସାଇ ବାଘ ‌ଧରିବାକୁ ପ୍ରୟାସ ଚାଲିଛି।

ଲାଗିଲା ସିସିଟିଭି
ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ଜଙ୍ଗଲର କେତେକ ସ୍ଥାନରେ ବନ ବିଭାଗ ପକ୍ଷରୁ ସିସିଟିଭି ଲଗାଯାଇଛି। ବାଘ କେଉଁଠି ରହୁଛି? କେଉଁଆଡ଼େ ଯାଉଛି? ବୁଦା ମୂଳେ ଲୁଚୁଛି କି? ତାହା ଜାଣିବା ପାଇଁ ଜଙ୍ଗଲର କେତେକ ସ୍ଥାନରେ କ୍ୟାମେରା ଲଗାଯାଇଛି। ଫଳରେ ବାଘ ଧରିବା ସହଜ ହେବ। କେତୋଟି କ୍ୟାମେରା ଲାଗିଛି ସେନେଇ ବନ ବିଭାଗର କୌଣସି ବି ଅଧିକାରୀ ସୂଚନା ଦେଇନାହାନ୍ତି।

୭୦ ମିଟର ଦୂରରେ ଗଲା, ଟ୍ରାଙ୍କୁଲାଇଜ୍‌ କଲେନି
ସକାଳୁ ବାଘ ଧରିବାକୁ ଆରମ୍ଭ ହୋଇଥିଲା ଅଭିଯାନ। ଦୁଇଟି ବନ୍ଧୁକ ଧରି ଟ୍ରାଙ୍କୁଲାଇଜର ବିଶେଷଜ୍ଞମାନେ ବାଘ ଧରା ଅଭିଯାନରେ ବାହାରିଥିଲେ। ହେଲେ ଦିନରେ ବାଘ ଦେଖାଦେଇ ନଥିଲା। ରାତି ୯ଟା ପରେ ବିମାନବନ୍ଦର ଜଙ୍ଗଲ ନିକଟରେ ବାଘକୁ ବନ ବିଭାଗ ଅଧିକାରୀମାନେ ଦେଖିଥିଲେ। କମଚାରୀଙ୍କଠାରୁ ମାତ୍ର ୬୦ରୁ ୭୦ ମିଟର ଦୂରରେ ବାଘ ରାସ୍ତା ଅତିକ୍ରମ କରୁଥିଲେ ମଧ୍ୟ ଟ୍ରାଙ୍କୁଲାଇଜ୍‌ କରାଯାଇପାରି ନଥିଲା। ଫଳରେ ବିଶେଷଜ୍ଞମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା।

ନବୀନ ନିବାସଠାରୁ ଦୁଇ ଶହ ମିଟର ଦୂରରେ…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ଅର୍ଥାତ୍‌ ନବୀନ ନିବାସଠାରୁ ମାତ୍ର ୨୦୦ ମିଟର ଦୂରରେ ବାଘ ବୁଲୁଛି। ରାତି ସାଢ଼େ ୯ଟାରେ ବାଘକୁ ଠାବ କରିବା ସମୟରେ ଏଭଳି ସ୍ଥିତି ଦେଖିବାକୁ ପାଇଛି ବନ ବିଭାଗ। ଯାହାକୁ ନେଇ ବିଭାଗୀୟ ଅଧିକାରୀଙ୍କ ନିଦ ହଜିଯାଇଛି। ବାଘ ଉପରେ ନଜର ରଖିବା ପାଇଁ ବରିଷ୍ଠ ଅଧିକାରୀମାନେ ନବୀନ ନିବାସ ପାର୍ଶ୍ବ ଅଞ୍ଚଳରେ ପହରା ମାରୁଛନ୍ତି। ରବିବାର ରାତିରେ ବାଘ ଯେଉଁଠି ସିସିଟିଭିରେ କଏଦ ହୋଇଥିଲା ସେଠାରୁ ନବୀନ ନିବାସ ଦୂରତା ଅଢ଼େଇ ଶହ ମିଟର ହେବ। ତେଣୁ ବାଘର ଗତିବିଧିକୁ ନଜରରେ ରଖି ନବୀନ ନିବାସ ସମ୍ମୁଖ ରାସ୍ତାରେ ପୁଲିସ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି।

କେଉଁଠୁ ଆସିଲା ବାଘ?
ରାଜଧାନୀକୁ ଲାଗି ଚନ୍ଦକା ଜଙ୍ଗଲ ରହିଛି। ସେଠାରୁ କଲରାପତରିଆ ଆସିଥାଇପାରେ ବୋଲି ପ୍ରାଣୀ ବିଶେଷଜ୍ଞମାନେ କହିଛନ୍ତି। ହେଲେ ୨୦୧୬ରେ ବାଘ ଗଣନା ସମୟରେ ଚନ୍ଦକାରେ ‘ଲିଓପାର୍ଡ’ ନଥିବା ଜଣାପଡ଼ିଥିଲା। ଏବେ କେଉଁଠୁ ଆସିଲା ବୋଲି ପ୍ରଶ୍ନବାଚ୍ଚୀ ସୃଷ୍ଟି ହୋଇଛି। କେତେଜଣ ମତ ଦେଇଛନ୍ତି ଯେ ଖୋର୍ଧା ବନ୍ୟପ୍ରାଣୀ ଡିଭିଜନ୍‌ରେ ‘ଲିଓପାର୍ଡ’ ରହିଛନ୍ତି। ସେଠାରୁ ଆସିଥାଇପାରେ। ସିଟି ଡିଏଫ୍‌ଓ ଅଶୋକ ମିଶ୍ରଙ୍କ କହିବାନୁଯାୟୀ ସହର ଭିତରକୁ କେବେ ବାଘ ଆସି ନଥିଲା। ଏବେ ବିମାନବନ୍ଦର ନିକଟରେ ଦେଖାଯିବା ପରେ ସନ୍ଦେହ କରାଯାଉଛି ଯେ ଚନ୍ଦକା‌ରୁ ପଳାଇ ଆସିଥାଇପାରେ। ବିମାନବନ୍ଦରରୁ ଚନ୍ଦକାକୁ ଏକ ୱାଟର ସିଷ୍ଟମ ସିଧାସଳଖ ସଂଯୋଗ କରୁଛି। ତେଣୁ ସେହି ରାସ୍ତାରେ ଆସିଥାଇପାରେ। ଚନ୍ଦକା ଡିଏଫ୍‌ଓ ଶ୍ରୀ ସ୍ବାଇଁ କହିଛନ୍ତି ଚନ୍ଦକାରୁ ଆସିଥିବା କହିବା ଠିକ୍‌ ହେବ ନାହିଁ। କାରଣ ଖୋର୍ଧାକୁ ଲାଗିଥିବା ଡେଲାଙ୍ଗ ଜଙ୍ଗଲରେ ବି ‘ଲିଓପାର୍ଡ’ ରହିଛନ୍ତି। ତେଣୁ ସେଠାରୁ ବି ଆସିଥାଇପାରେ।

ରନ୍‌ୱେରେ ଦୌଡ଼ିଲା
ରାତି ପ୍ରାୟ ସାଢ଼େ ୧୧ଟାରେ ବାଘ ‌ବିମାନବନ୍ଦର ରନ୍‌ୱେରେ ଦୌଡ଼ୁଥିବା ଦେଖିବାକୁ ମିଳିଛି। ବିମାନବନ୍ଦର ବାହାରେ ଯନ୍ତା ବସାଇ ବନ ବିଭାଗ ଅଧିକାରୀମାନେ ଜଗି ରହିଥିଲେ। ହେଲେ ଇତି ମଧ୍ୟରେ ବାଘ ପାଚେରି ଡେଇଁ ବିମାନବନ୍ଦର ଭିତରକୁ ପ୍ରବେଶ କରିଛି। କାର୍ଗୋ ନିକଟକୁ ଲାଗିରହିଥିବା ରନ୍‌ୱେରେ ବାଘ ବୁଲୁଥିବା ସିଆଇଏସ୍‌ଏଫ୍‌ କର୍ମଚାରୀମାନେ ଦେଖିଛନ୍ତି। ଏନେଇ ବନ ବିଭାଗକୁ ଖବର ଦିଆଯାଇଛି। ରାତିରେ ପଳାଶପଲ୍ଲୀ ଆଡ଼କୁ ଯିବାର ଆଶଙ୍କା ଥିବାରୁ ବାଘ ଉପରେ କଡ଼ା ନଜର ରଖାଯାଇଛି।

ସାଇରାମ ବସ୍ତିରେ ପଶିଥିଲା
ସୋମବାର ରାତି ପ୍ରାୟ ସାଢ଼େ ୧୨ଟା ବେଳେ କଲରାପତରିଆ ବାଘ ପଳାଶପଲ୍ଲୀ ଅଞ୍ଚଳର ସାଇରାମ ବସ୍ତିରେ ପ୍ରବେଶ କରିଥିଲା। ବିମାନବନ୍ଦର ପାଚେରି ଡେଉଁ ଗୋଟିଏ ଘରେ ପଶିଥିବା ବେଳେ କୁକୁର ଭୁକିଥିଲେ। ଲୋକେ ବି ଭୟଭୀତ ହୋଇ ପଡ଼ିଥିଲେ। କୁକୁର ଭୁକିବା ଓ ଲୋକଙ୍କ ପାଟି ଶୁଣି ବାଘ ପୁଣିଥରେ ବିମାନବନ୍ଦର ପାଚେରି ଡେଇଁ ପଳାଇଥିଲା ବୋଲି ବସ୍ତିର ଲିପିନା ବେହେରା, ସବିତା ମଲ୍ଲିକ କହିଛନ୍ତି। ବାଘ ବୁଲୁଥିବାରୁ ଆଜି ପଳାଶପଲ୍ଲୀ ଅଞ୍ଚଳର ପିଲାମାନେ ସ୍କୁଲ ଯାଇ ନଥିବା ଦେଖିବାକୁ ମିଳିଥିଲା।

କିଣାହେଲା ହେଲ୍‌ମେଟ୍‌
ବାଘ ଧରିବା ପାଇଁ ବନ ବିଭାଗ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛି। ବିଳମ୍ବରେ ହେଲେ ମଧ୍ୟ ଖବର ପାଇବା ପରେ ବାଘ ଖୋଜା ଜାରି ରଖିଛି। ଏଥିପାଇଁ ଆଜି ବିଭାଗ ପକ୍ଷରୁ ନୂଆ ହେଲ୍‌ମେଟ୍‌ କିଣାଯାଇଛି। ଜଙ୍ଗଲରେ ଖୋଜିବା ସମୟରେ କାଳେ ବାଘ ଗଛ ଉପରୁ ଡେଉଁପଡ଼ିବ ସେହି ଭୟରେ ବନ କର୍ମଚାରୀମାନେ ମୁଣ୍ଡରେ ହେଲମେଟ୍‌ ପିନ୍ଧି ବାଘ ଖେଜିଥିଲେ।

ସମ୍ବନ୍ଧିତ ଖବର