ରାଜଧାନୀ ଭୁବନେଶ୍ୱରରେ କଲରାପତରିଆ ବାଘ ଆତଙ୍କ, ସିସିଟିଭି କ୍ୟାମେରାରେ କଏଦ ହେଲା ଦୃଶ୍ୟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ପଳାସପଲ୍ଲୀ ଅଞ୍ଚଳରେ ଏକ କଲରାପତରିଆ ବାଘ ଦେଖିବାକୁ ମିଳିଛି। ବାଘର ଛବି ଏକ ସିସିଟିଭି କ୍ୟାମେରାରେ କଏଦ ହେବା ପରେ ସଂପୃକ୍ତ ଅଞ୍ଚଳର ଲୋକ ଭୟଭୀତ ହୋଇ ପଡ଼ିଛନ୍ତି। ସିସିଟିଭି ଫୁଟେଜ୍‌ରୁ ଜାହା ଜାଣିବାକୁ ମିଳିଛି, ବାଘଟି ଗତକାଲି ରାତି ପ୍ରାୟ ୧୦.୩୦ରୁ ୧ଟା  ଭିତରେ ସଂପୃକ୍ତ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ବାଘଟି ଏକ ପାଚେରୀ ଡେଉଁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଭୁବନେଶ୍ୱର ବିମାନବନ୍ଦର ପାଚେରୀ ଡେଇଁ ବାଘଟି ପଶି ଆସିଛି ବୋଲି ଜାଣିବାକୁ ମିଳିଛି।

ସେହି ଅଞ୍ଚଳର ବାସିନ୍ଦା ବାଙ୍କନିଧି ସେନାପତି ବାଘଟିକୁ ଦେଖିଥିବା ସୂଚନା ଦେବା ପରେ ବାଘକୁ ନେଇ ଅପରେସନ ଆରମ୍ଭ ହୋଇଯାଇଛି। କଥାଟି ପ୍ରଚାର ହେବା ପରେ ସଙ୍ଗେ ସଙ୍ଗେ ସଂପୃକ୍ତ ଅଞ୍ଚଳର ଲୋକଙ୍କ ଭିତରେ ଭୟର ଆତଙ୍କ ସୃଷ୍ଟି ହୋଇଛି।

ବାଘ ଦେଖାଯାଇଥିବା ସ୍ଥାନକୁ ବନ ବିଭାଗର ସ୍ୱତନ୍ତ୍ର ଟିମ୍‌ ଯାଉଥିବା ସୂଚନା ରହିଛି। ଲୋକଙ୍କୁ ଭୟଭୀତ ନ ହେବା ପାଇଁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଯଦି ସତରେ ବାଘ ଥାଏ ତେବେ ଟ୍ରାଙ୍କୁଲାଇଜ୍‌ ବ୍ୟବସ୍ଥା କରାଯିବ ବୋଲି ଭୁବନେଶ୍ୱର ସିଟି ଡିଏଫ୍‌ଓ ଅଶୋକ ମିଶ୍ର ସୂଚନା ଦେଇଛନ୍ତି।

ଏ ସଂପର୍କିତ ସବିଶେଷ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର