ମହାବଳ ରୋଶନ୍‌ ଅସୁସ୍ଥ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୩୨ ନମ୍ବର ‘ଗ’ ଖୁଆଡ଼ରେ ରହୁଥିବା ସାଧାରଣ ନାଲି ରଙ୍ଗର ମହାବଳ ବାଘ ରୋଶନ୍‌(୧୮) ଅସୁସ୍ଥ ହୋଇପଡ଼ିଛି। ସେ ଛୋଟେଇ ଛୋଟେଇ ଚାଲୁଛି। ତା’ ଆଗପାଖ ଡାହଣ ଗୋଡ଼କୁ ଠିକ୍ ଭାବେ ପକାଇ ଚାଲି ପାରୁନାହିଁ। ସେ ଗୋଡ଼ରେ ଯନ୍ତ୍ରଣା ଅନୁଭବ କରୁଥିବା ତା’ ଚାଲିରୁ ଜଣାପଡ଼ୁଛି ବୋଲି ନନ୍ଦନକାନନର ପ୍ରାଣୀ ଚିକିତ୍ସକ କହିଛନ୍ତି। ବାର୍ଧକ୍ୟଜନିତ ସ୍ନାୟୁଗତ ଦୁର୍ବଳତା ହେତୁ ଏପରି ହୋଇଥିବା ଚିକିତ୍ସକ ଅନୁମାନ କରିଛନ୍ତି। ସେଥିଲାଗି ତାକୁ ଯନ୍ତ୍ରଣା ନିରୋଧକ ଟିକା ଓ ଭିଟାମିନ୍ ଦେଇ ଚିକିତ୍ସା କରାଯାଉଛି। ଉଲ୍ଲେଖଯୋଗ୍ୟ, ରୋଶନ୍‌ ଏକ ଦୃଷ୍ଟିହୀନ ବାଘ। ଆଠବର୍ଷ ବୟସ ହୋଇଥିବା ବେଳେ ତା’ ଦୃଷ୍ଟିଶକ୍ତି ଚାଲି ଯାଇଥିଲା। ରୋଶନ୍‌ ଓ ବାଘୁଣୀ ପ୍ରିୟଙ୍କା ମିଳନରୁ ଗତ ୨୦୧୪ଜାନୁଆରି ୨୭ ତାରିଖରେ ଶିଲା ଜନ୍ମ ନେଇଥିଲା। ନନ୍ଦନକାନନରେ ସର୍ବାଧିକ ୨୨ବର୍ଷ ବଞ୍ଚି ରେକର୍ଡ କରିଥିବା ଧଳାରଙ୍ଗର ବାଘୁଣୀ ଶ୍ରେୟା ଓ ସାଧାରଣ ନାଲିରଙ୍ଗ ମହାବଳ ବାଘ ରାମର ମିଳନରୁ ରୋଶନ୍‌ ଜନ୍ମ ନେଇଥିଲା। ଗତ ୨୦୦୨ ମସିହା ସେପ୍ଟେମ୍ବର ୫ତାରିଖରେ ତା’ର ଜନ୍ମ ହୋଇଥିଲା। ଅପରପକ୍ଷେ ବାର୍ଧକ୍ୟରେ ଅସୁସ୍ଥ ହୋଇ ଖାଦ୍ୟ ଛାଡ଼ିଥିବା ଏସୀୟ ସିଂହ ପିଛାନ(୨୧) ଓ ହାତୀ ଯଶୋଦା(୫୫)ର ଅବସ୍ଥା ଧୀରେ ଧୀରେ ସୁଧୁରିବାରେ ଲାଗିଛି।

ସମ୍ବନ୍ଧିତ ଖବର