ଦୀପାବଳି ପାଇଁ ଏକାମ୍ର କ୍ଷେତ୍ରରେ ପ୍ରସ୍ତୁତି : କଡ଼ା ହେବ ପୁଲିସ ବ୍ୟବସ୍ଥା

ପୁରୁଣା ଭୁବନେଶ୍ୱର : ବୁଧବାର ପବିତ୍ର ଦୀପାବଳି ଅମାବାସ୍ୟା। ଏହି ଦିନ ପୟା ଶ୍ରାଦ୍ଧ ଓ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୂଜା କରି ବଡ଼ବଡିଆ ହୋ ଡାକିବେ। ଅଶ୍ୱିନ ମାସ ପ୍ରଥମ ଦିନରୁ ୧୫ ଦିନ ଧରି ଚାଲିଥିବା ମହାଳୟା ଶ୍ରାଦ୍ଧରେ ଯେଉଁ ଶ୍ରଦ୍ଧାଳୁ ଶ୍ରାଦ୍ଧ କରି ନାହାନ୍ତି, ସେମାନେ ଏହି ଅମାବାସ୍ୟା ତିଥିରେ ଶ୍ରାଦ୍ଧ କରିବାର ବିଧି ରହିଛି। ଏଣୁ ବିନ୍ଦୁସାଗରକୂଳ ଓ ଶ୍ରୀରାମନଗରସ୍ଥିତ ସୂକ୍ଷ୍ମେଶ୍ୱର ମନ୍ଦିର ନିକଟରେ ଶ୍ରଦ୍ଧାଳୁମାନେ ପିତୃପୁରୁଷ ଓ ମାମୁଁ ଘରର ତିନି ପୁରୁଷଙ୍କୁ ପିଣ୍ଡଦାନ କରିବେ। ଏଥିପାଇଁ ଏକାମ୍ର କ୍ଷେତ୍ରରେ ପ୍ରସ୍ତୁତି ଚାଲିଛି। ଶ୍ରଦ୍ଧାଳୁମାନେ ଶ୍ରୀଲିଙ୍ଗରାଜ ମନ୍ଦିରକୁ ଆସିବା ବେଳେ ଧାଡ଼ି ବାନ୍ଧି ଯିବା ସହ ଶୃଙ୍ଖଳା ରକ୍ଷା ପାଇଁ ଏକ ପ୍ଲାଟୁନ୍‌ ପୁଲିସ ବ୍ୟବସ୍ଥା କରାଯାଇଛି। ସିଦ୍ଧି ବିନାୟକ ମନ୍ଦିର ସମ୍ମୁଖରେ କାଉଁରିଆ କାଠି ଜାଳିବା ବେଳେ ରାସ୍ତା ଛାଡ଼ି ବଡ଼ବଡ଼ୁଆ ଡାକିବେ। ସେଠାରେ କୌଣସି ଅଘଟଣରୁ ରକ୍ଷା ପାଇଁ ପୁଲିସ, ଦମକଳ ବାହିନୀ, ମନ୍ଦିର କର୍ମଚାରୀ ଉପସ୍ଥିତ ରହିବା ସହ ପାଣି ଓ ନିଆଁ ଲିଭାଇବା ଗ୍ୟାସ୍‌ ମହଜୁଦ୍‌ ରଖାଯିବ। ସେହିପରି ବିନ୍ଦୁସାଗର କୂଳରେ ପୁଲିସ ବ୍ୟବସ୍ଥା କରାଯିବା ସହ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ପୁଲିସ ଉପସ୍ଥିତ ରହିବେ ବୋଲି ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ ଜନାର୍ଦ୍ଦନ ପାଢ଼ୀ କହିଛନ୍ତି।

ସମ୍ବନ୍ଧିତ ଖବର