ଭୁବନେଶ୍ବର: ‘ପ୍ୟାନିକ୍ ସଟ୍ସ’ ଏବଂ ‘ସାହେବ, ବିବି, ସାଲା’ ଭଳି ୱେବ୍ ସିରିଜ୍ର ସଫଳତା ପରେ ‘ଟେକ୍ନୋ ଆର୍ଟ’ ପ୍ରଡକ୍ସନ୍ସ ପକ୍ଷରୁ ଆଉ ଏକ ୱେବ୍ ସିରିଜ୍ର ଘୋଷଣା କରାଯାଇଛି। କମେଡି ଓ ପ୍ରେମ ଆଧାରିତ କଥାବସ୍ତୁକୁ ନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଜି ୟୁ-ଟ୍ୟୁବ୍ରେ ପ୍ରସାରିତ ହୋଇଛି ‘ଟିକେ ସତ ଟିକେ ମିଛ’। ସମ୍ଭବ ମାନସିଂହ, ସୁନିତା ଜେନା, ଦୀପାନ୍ବିତ ଦାସମହାପାତ୍ର, ହଂସିକା, ସଲୌନି, ରୋସନ ଓ ସୂର୍ଯ୍ୟଙ୍କ ଅଭିନୀତ ଏହି ୱେବ୍ସିରିଜ୍ ଯୁବକଙ୍କମାନଙ୍କୁ ଦୃଷ୍ଟିରେ ରଖି ସେଇ ଢଙ୍ଗରେ ପ୍ରସ୍ତୁତ କରାଯାଇଛି। ସଂପ୍ରତି ଯୁବପିଢ଼ି ୟୁ-ଟ୍ୟୁବ୍ର ବହୁଳ ବ୍ୟବହାର କରୁଥିବାରୁ କିଛି ନୂତନ ସ୍ବାଦର କଥାବସ୍ତୁ ଜରିଆରେ ଯୁବବର୍ଗଙ୍କୁ ବାନ୍ଧି ରଖିବା ଭଳି କାହାଣୀକୁ ନେଇ ଏହି ୱେବ୍ ସିରିଜ୍ ପ୍ରସ୍ତୁତ ହୋଇଛି ବୋଲି ପ୍ରଯୋଜକ ଅନୁପମ ପଟ୍ଟନାୟକ କହିଛନ୍ତି। ‘ଟିକେ ସତ ଟିକେ ମିଛ’ ୪ଟି ଏପିସୋଡ୍ରେ ଦେଖିବାକୁ ମିଳିବ। ଆଜିଠୁ ଏହା ପ୍ରସାରଣ କରାଯାଇଥିବା ବେଳେ ଏହା ପରଠୁ ୩ଟି ଶନିବାର ସନ୍ଧ୍ୟା ୬ଟାରେ ୱେବ୍ସିରିଜ୍ର ମଜା ନେଇପାରିବେ ଦର୍ଶକ। ଏଥିସହ ପ୍ରସାରଣ ପରେ କେତେବେଳେ ବି ଆଗ୍ରହୀ ଦର୍ଶକମାନେ ‘ଟେକ୍ନୋ ଆର୍ଟ’କୁ ସବ୍ସ୍କ୍ରାଇବ୍ କରି ଏହା ଦେଖିପାରିବେ। ରୋସନ ପ୍ରିୟରଂଜନ ଓ ରୋସନ ସୃଜନ ନିର୍ଦେଶକ ରହିଥିବା ବେଳେ କାର୍ଯ୍ୟକାରୀ ପ୍ରଯୋଜନା ଭାବେ ଦାୟିତ୍ବ ନିଭାଇଛନ୍ତି ଅଭିନେତ୍ରୀ ବର୍ଷା ପଟ୍ଟନାୟକ। ବିଭାସ ରଥ ସଂଗୀତ ନିର୍ଦେଶନା ଦେଇଥିବା ବେଳେ ଗୀତ ଲେଖିଛନ୍ତି ପ୍ରିୟରଂଜନ। ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ଅମିୟ ପଟ୍ଟନାୟକଙ୍କ ମାନସ ସନ୍ତାନ ହେଉଛି ଏହି ‘ଟେକ୍ନୋ ଆର୍ଟ’। ପ୍ରଯୋଜନା ସଂସ୍ଥା ପକ୍ଷରୁ ନିୟମିତ ଭାବେ ୱେବ୍ସିରିଜ୍ ପ୍ରସ୍ତୁତ କରାଯିବ ବୋଲି କାର୍ଯ୍ୟକାରୀ ପ୍ରଯୋଜିକା ବର୍ଷା ସୂଚନା ଦେଇଛନ୍ତି। ଆଜି ପଟିଆସ୍ଥିତ ‘ବିଗ୍ ବାଇକ୍ ହବ୍ କାଫେ’ରେ ଅନୁଷ୍ଠିତ ‘ଟିକେ ସତ ଟିକେ ମିଛ’ର ପ୍ରିମିୟର ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଗୋପାଳ ଘଡ଼େଇ, ଦୀପକ କୁମାର, ଅପ୍ନାଙ୍କ ସମେତ ଏହା ସହ ସମ୍ପୃକ୍ତ ପୂରା ୟୁନିଟ୍ ଉପସ୍ଥିତ ଥିଲେ।