କଣ୍ଟ ପୂରିଲା….ତଥାପି ଇଂରାଜୀ ପ୍ରୀତି

ଏପ୍ରିଲ୍‌ ୩,୨୦୧୮। ସଚିବାଳୟରେ ଉନ୍ନୟନ କମିସନର୍‌ ବୈଠକ କଲେ। ସେଠାରୁ ସବୁ ଜିଲ୍ଲାପାଳଙ୍କୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ନିର୍ଦ୍ଦେଶ ଜାରି କଲେ, ସବୁ ସରକାରୀ କାର୍ଯ୍ୟାଳୟ, ନିଗମ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ସୁଦୃଶ୍ୟ ଓଡ଼ିଆ ନାମ ଫଳକ ଲଗାଅ। ଏଥି ପାଇଁ ଦୁଇ ମାସ ସମୟ ଦିଆଗଲା। ଆଜି ଦୁଇ ମାସ କଣ୍ଟ ପୂରିଗଲା। ଜିଲ୍ଲାଗୁଡ଼ିକରେ ଏହି ନିର୍ଦ୍ଦେଶ କେତେଦୂର କାର୍ଯ୍ୟକାରୀ ହୋଇଛି, ତାହା ଭିନ୍ନ କଥା। ଖୋଦ୍‌ ରାଜଧାନୀରେ ଖୋଲାଖୋଲି ଭାବେ ନିର୍ଦ୍ଦେଶକୁ ଫୁ କରିଦେଇଛନ୍ତି ବହୁ ସରକାରୀ କାର୍ଯ୍ୟାଳୟର କର୍ତୃପକ୍ଷ। ସରକାରୀ ନିର୍ଦ୍ଦେଶକୁ ମାନିବାକୁ ସେମାନେ ନାରାଜ। ରାଜଧାନୀର ଅନେକ ସରକାରୀ କାର୍ଯ୍ୟାଳୟ, ସ୍କୁଲ୍‌, କଲୋନି ସବୁଠି ସେମିତି ପୂର୍ବ ପରି ଇଂରାଜୀ ନାମଫଳକ ଝୁଲୁଛି। କେନ୍ଦ୍ର ସରକାରଙ୍କ ସଂସ୍ଥାରେ ବି ସମାନ ସ୍ଥିତି। ଯେଉଁଠି ରାଜ୍ୟ ସରକାର ନିଜ ସଂସ୍ଥାଗୁଡ଼ିକରେ ଓଡ଼ିଆ ନାମଫଳକ ଲଗାଇବା ଶତ ପ୍ରତିଶତ ନିଶ୍ଚିତ କରିପାରୁନାହାନ୍ତି, ସେଠି କେନ୍ଦ୍ର ସରକାରଙ୍କ ସଂସ୍ଥାକୁ ନିର୍ଦ୍ଦେଶ ଦେବାର ସାହସ ଜୁଟାଇବେ କିପରି ? ଆଉ କଳକାରଖାନା, ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାରେ ନାମଫଳକ ଲେଖା ପାଇଁ ଦିଆଯାଇଥିବା ଆହ୍ଵାନର ସାମାନ୍ୟ ପ୍ରଭାବ ପଡ଼ିଥିବା କେହି ଅନୁଭବ କରୁ ନାହାନ୍ତି। ରାଜଧାନୀରେ ଓଡ଼ିଆ ଭାଷାକୁ ନେଇ ଆନ୍ଦୋଳନ, ଆଲୋଚନା, ସରକାରୀ ବୈଠକ ସବୁ ଚାଲିଥିଲେ ବି ଏଠାରେ ସଚେତନତାର ଘୋର ଅଭାବ ସମସ୍ତଙ୍କୁ ବ୍ୟଥିତ କରିଛି। ଫଟୋ: ବିଭୂତି

ସମ୍ବନ୍ଧିତ ଖବର