ଟିଟନ ହତ୍ୟା ମାମଲା: ଜେଲ୍‌ ହାଜତରେ ଦୁଇ ଭାଇ

ଖଣ୍ଡଗିରି: ସୁନ୍ଦରପଦା-ସରକନ୍ତରା କେନାଲ ରୋଡ୍‌ରେ ଘଟିଥିବା ଟିଟନ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଦୁଇ ଭାଇଙ୍କୁ ବୁଧବାର ଏୟାର୍‌ଫିଲ୍ଡ ଥାନା ପୁଲିସ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବାହାଦଲପୁରର ଶମ୍ଭୁ ସାହୁଙ୍କ ଦୁଇ ପୁଅ ସମୀର (୨୬) ଓ ପପି ଓରଫ୍‌ ସଂଜୟ (୨୪)। ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଘଟଣାଦିନଠାରୁ ପପିକୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଥିବାବେଳେ ଗତରାତିରେ ପୁଲିସ ସମୀରକୁ ଗିରଫ କରିଥିଲା। ଏହି ମାମଲାରେ ବାହାଦଲପୁରର ଆହୁରି କିଛି ଯୁବକ ସମ୍ପୃକ୍ତ ଥିବାବେଳେ ସେମାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବାକୁ ଚଢ଼ଉ ଜାରି ରହିିଛି ବୋଲି ପୁଲିସ ସୂଚନା ଦେଇଛି।  ଗତ ୧୫ ତାରିଖ ରାତି ପ୍ରାୟ ୮ଟା ସମୟରେ ଏହି ହତ୍ୟାକାଣ୍ଡ ଘଟିଥିଲା। ରଘୁନାଥନଗରର ଜ୍ୟୋତିରଂଜନ ବଳିୟାରସିଂହ ଓରଫ୍‌ ଟିଟନ ଓ ତାଙ୍କ ସାଙ୍ଗ ବାହାଦଲପୁରର ପିଣ୍ଟୁ ନାଏକ ବଡ଼ଗଡ଼ରୁ ଭୋଜି ଖାଇ ଉକ୍ତ କେନାଲ ରୋଡ୍‌ରେ ଫେରୁଥିଲେ। ଏହି ସମୟରେ ବାହାଦଲପୁରର ପପି ଓରଫ୍‌ ସଂଜୟ ତାଙ୍କ ମା’ଙ୍କୁ ନେଇ ବାଇକ୍‌ରେ ଘରକୁ ଫେରୁଥିଲେ। ବାଇକ୍‌ ଦ୍ୱୟ ଅତିକ୍ରମ କରିବା ସମୟରେ ପାଣି ଛିଟିକାକୁ ନେଇ ସଂଜୟ ଓ ଟିଟନଙ୍କ ମଧ୍ୟରେ ବଚସା ହୋଇଥିଲା। ଟିଟନ ପପି ଓ ତାଙ୍କ ମା’ଙ୍କୁ ଠେଲାପେଲା କରିଥିଲା। ଖବର ପାଇ ବାହାଦଲପୁରର ପ୍ରାୟ ୧୦/୧୨ ଜଣ ଯୁବକ ଘଟଣାସ୍ଥଳରେ ପହଞ୍ଚି ଟିଟନଙ୍କୁ ଆକ୍ରମଣ କରିଥିଲେ। ପ୍ରବଳ ମାଡ଼ରେ ଟିଟନ ଗୁରୁତର ଆହତ ହୋଇଥିଲେ ଓ ପରେ ହସ୍ପିଟାଲରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଗତକାଲି ରଘୁନାଥନଗର ବାସିନ୍ଦାମାନେ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ।

 ବସିଲା ଶାନ୍ତି କମିଟି 

ଟିଟନ ହତ୍ୟାକାଣ୍ଡ ପରେ ବାହାଦଲପୁର ଓ ରଘୁନାଥନଗର ମଧ୍ୟରେ ସୃଷ୍ଟି ହୋଇଥିବା ଗଣ୍ଡଗୋଳ ଆଶଙ୍କାକୁ ଏଡ଼ାଇବା ପାଇଁ ଆଜି ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଡୁମୁଡୁମାର ଲୋକନାଥ ପାତ୍ରଙ୍କ ଅଧ୍ୟକ୍ଷତାରେ ଖଣ୍ଡଗିରି ଥାନା ପରିସରରେ ଅନୁଷ୍ଠିତ ଏହି ବୈଠକରେ ସ୍ଥାନୀୟ ଭଦ୍ରଲୋକ, କର୍ପୋରେଟର୍‌ମାନେ ଏବଂ ଉଭୟ ବାହାଦଲପୁର ଓ ରଘୁନାଥନଗରର ମୁରବିଶ୍ରେଣୀୟ ଲୋକମାନେ ଉପସ୍ଥିତ ଥିଲେ। ପ୍ରଥମେ ଟିଟନ ହତ୍ୟାକାଣ୍ଡର ଦୋଷୀମାନଙ୍କୁ ଦଣ୍ଡିତ କରିବା ପାଇଁ ପୁଲିସ ଉଚିତ୍‌ ପଦକ୍ଷେପ ଗ୍ରହଣ କରିବ ବୋଲି ଖଣ୍ଡଗିରି ଥାନା ଆଇଆଇସି ହିମାଂଶୁ ଭୂଷଣ ସ୍ୱାଇଁ ପ୍ରତିଶ୍ରୁତି ଦେଇଥିଲେ। ତେଣୁ  ଉକ୍ତ ହତ୍ୟାକାଣ୍ଡକୁ ନେଇ ଗାଁ ଗାଁ ଭିତରେ ଉତ୍ତେଜନା ସୃଷ୍ଟି ନ କରିବା, ଗଣ୍ଡଗୋଳ କରି ଅଯଥାରେ ଉଭୟ ପକ୍ଷର ନିରୀହ ଲୋକଙ୍କୁ ହଇରାଣ ନ କରିବା ପାଇଁ ସମସ୍ତେ ସମ୍ମତି ଜଣାଇଥିଲେ। ବରଂ ଗଣ୍ଡଗୋଳ ସୃଷ୍ଟିକାରୀଙ୍କୁ ଠିକଣା ସମୟରେ ବାସିନ୍ଦାମାନେ ମିଳିତଭାବେ ପୁଲିସ ହାତକୁ ଟେକି ଦେବା ଭଳି କାର୍ଯ୍ୟ କରିବେ ବୋଲି ମତ ପ୍ରକାଶ ପାଇଥିଲା। କର୍ପୋରେଟର୍‌ ଛବି ଦାସ, ମୁଜାହିଦ୍ଦ ହୋସେନ୍‌ ଓ ଅଶ୍ୱିନୀ କୁମାର ସୁନ୍ଦରରାୟ ପ୍ରମୁଖ ଏହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର