ଆଜିଠୁ ସାବାଡ୍‌ ହେବେ ବେପରୁଆ ଅଟୋ ଚାଳକ, ଅଟୋସଂଘକୁ ନୋଟିସ୍‌ କଲା କମିସନରେଟ୍‌ ପୁଲିସ

ମନଇଚ୍ଛା ରାସ୍ତାରେ ପାର୍କିଂ କଲେ ଗଣିବେ ଜରିମାନା, ପ୍ରତିଦିନ ତାଲିମ୍‌ ନେବେ ୨ଶହ ଚାଳକ

ଭୁବନେଶ୍ବର: ଆଜିଠାରୁ ସାବାଡ଼୍ ହେବେ ବେପରୁଆ ଅଟୋ ଚାଳକ। ଆଉ ଯେଉଁଠୁ ପାରିବେ ସେଠାରୁ ଯାତ୍ରୀ ଉଠାଇ ପାରିବେ ନାହିଁ। ମନଇଚ୍ଛା ରାସ୍ତା ଉପରେ ପାର୍କିଂ ମଧ୍ୟ କରିପାରିବେ ନାହିଁ। ଯଦି କୌଣସି ଅଟୋ ଚାଳକ ନିୟମ ଭାଙ୍ଗିବାକୁ ଚେଷ୍ଟା କରିବେ ସେମାନେ ଗଣିବେ ମୋଟା ଅଙ୍କର ଜରିମାନା। ରାଜଧାନୀ ସୃଷ୍ଟି ହେଉଥିବା ଅହେତୁକ ଜାମ ପରିସ୍ଥିତର ମୁକାବିଲା ପାଇଁ ଅଣ୍ଟା ଭିଡ଼ିଥିବା କମିସନରେଟ୍‌ ପୁଲିସ ଅଟୋ ଚଳାଚଳ ଉପରେ ଏଭଳି କଟକଣା ଆଜିଠାରୁ ଲାଗୁ କରିଛି। ଏଥିପାଇଁ କମିସନରେଟ ପୁଲିସ ପକ୍ଷରୁ ଅଟୋସଂଘ ଓ ଷ୍ଟାଣ୍ଡକୁ ନୋଟିସ କରିଛି। କମିସନରେଟ ପୁଲିସ ପକ୍ଷରୁ ଚିହ୍ନଟ କରାଯାଇଥିବା ନିର୍ଦ୍ଧିଷ୍ଟ ଷ୍ଟାଣ୍ଡରେ ଅଟୋ ପାର୍କ କରିବେ। ଅଟୋ ବେ’ରୁ ଯାତ୍ରୀଙ୍କୁ ଉଠାଇବେ ଓ ଛାଡ଼ି‌ବେ। ସେହିପରି ବେ’ରେ ଏକା ସମୟରେ ୫ରୁ ଅଧିକ ଅଟୋ ରଖିପାରିବେ ନାହିଁ। ଆଜି ଏଜି ଛକସ୍ଥିତ ଟ୍ରାଫିକ ଥାନା ସଭାଗୃହରେ କମିସନରେଟ ପୁଲିସ ଓ ଅଟୋ ମହାସଂଘ ମଧ୍ୟରେ ହୋଇଥିବା ବୈଠକରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଅଟୋ ମହାସଂଘକୁ ଏହିସବୁ ଦିଗ ଉପରେ ସଚେତନ କରାଇଛନ୍ତି।‌ ନିୟମକୁ ସୋମବାରଠାରୁ ଲାଗୁ କରାଯିବ ବୋଲି ଟ୍ରାଫିକ ଡିସିପି ସାଗରିକା ନାଥ କହିଛନ୍ତି।

ତେବେ ପ୍ରଥମ ପର୍ଯ୍ୟାୟରେ ଏହି ନିୟମକୁ ୫ଟି ସ୍ଥାନ ଯଥା ମ୍ୟୁଜିୟମ ଛକ, ରାଜମହଲ, ବାଣୀବିହାର, ଜୟଦେବ ବିହାର ଓ ରସୁଲଗଡ଼ରେ ଲାଗୁ କରିବା ପାଇଁ ଯୋଜନା ହୋଇଛି। କିନ୍ତୁ ବର୍ତ୍ତମାନ ଏହାକୁ ୩ଟି ଛକ ଯଥା ରାଜମଲ, କଳ୍ପନା ଓ ବାଣୀବିହାରରେ ଛକରେ କାର୍ଯ୍ୟକାରୀ କରିବା ପାଇଁ ସ୍ଥିର କରାଯାଇଛି। ଚିହ୍ନଟ ସ୍ଥାନରେ କମିସନରେଟ ପୁଲିସ ପକ୍ଷରୁ ସାଇନ୍‌ ବୋର୍ଡ ଲାଗାଯିବ। ଏହି ତିନୋଟି ଛକରେ ଏକ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯିବ। ସକାଳ ୯ଟାରୁ ଦିନ ୧ଟା ଓ ଅପରାହଣ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ପୁଲିସ ଫୋର୍ସ ଅଟୋ ଚାଳକଙ୍କ ଉପରେ ନଜର ରଖିବେ। ସେହିପରି ଏଭଳି ନିୟମ ପ୍ରଣୟନ କରିବା ପାଇଁ ଅଧିକ ଟ୍ରାଫିକ ପୁଲିସର ଆବଶ୍ୟକତା ରହିଛି। ଏଥିପାଇଁ ୫୬ ଜଣ ନୂଆ ଟ୍ରାଫିକ ପୁଲିସଙ୍କୁ ନିଯୁକ୍ତି ମଧ୍ୟ ମିଳିଛି। ଆଜିର ବୈଠକରେ ଲେନ୍‌ ଡ୍ରାଇଭ୍‌ ଉପରେ ଗୁରୁତ୍ବ ଦିଆଯାଇଥିଲା। ଅଟୋଚାଳକମାନେ ରାସ୍ତାର ବାମ ପଟରେ ଅଟୋ ଚଳାଇବେ। ମଝି ରାସ୍ତାକୁ ମଧ୍ୟ ବ୍ୟବହାର କରିବେ। ହେଲେ ଡ଼ାହାଣ ପଟ ରାସ୍ତାରେ ଅଟୋ ଚଳାଚଳ ନେଇ କଟକଣା ଲାଗୁ କରାଯାଇଛି। ଏଥିପାଇଁ ସମସ୍ତ ଚାଳକଙ୍କୁ ତାଲିମ ଦିଆଯିବାକୁ ଯୋଜନା କରାଯାଇଛି। ପ୍ରତିଦିନ ୨ଶହ ଅଟୋ ଚାଳକଙ୍କୁ ଅଟୋ ଚଳାଳଚ ଉପରେ ହୋଇଥିବା ନୂଆ କଟକଣାକୁ ନେଇ ତାଲିମ ଦିଆଯିବ। ପାଖାପାଖି ୨୦ ହଜାରରୁ ଊର୍ଧ୍ବ ଅଟୋ ଚାଳକଙ୍କୁ ଏହି ତାଲିମ ଦିଆଯିବ। ଆଇଆଇସି ଓ ଉପରିସ୍ଥ ପୁଲିସ ଅଧିକାରୀମାନେ ସେମାନଙ୍କୁ ତାଲିମ୍‌ ଦେବେ। ଯେଉଁମାନେ ତାଲିମ ପାଇବେ ସେମାନଙ୍କୁ କମିସନରେଟ୍‌ ପୁଲିସ ପକ୍ଷରୁ ପରିଚୟ ପତ୍ର ପ୍ରଦାନ କରାଯିବ। ଏହା ସଫଳ ହେଲେ ରାଜଧାନୀର ସମସ୍ତ ସ୍ଥାନରେ ଏହାକୁ ଲାଗୁ କରାଯିବ ବୋଲି ଡିସିପି ନାଥ କହିଛନ୍ତି। ଆଜିର ଏହି ବୈଠକରେ ଟ୍ରାଫିକ୍‌ ଆଡିସିନାଲ୍ ଡିସିପି ଅମରେଶ ପଣ୍ଡା, ଏସିପି କିଶୋର ଚନ୍ଦ୍ର ପାଣିଗ୍ରାହୀ, ଆଇଆଇସି ସୁରେନ୍ଦ୍ର ବଳ, ବିଭିନ୍ନ ଅଟୋସଂଘ କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର