ଆଜି ପହିଲି ରଜ, ବରାଦରେ ଝାଉଁ କାଠ ପୋଡ଼ା ପୋଡ଼ ପିଠା

ଭୁବନେଶ୍ବର: ପାଗ ଥିଲା ଟିକେ କୋହଲା। ରଜ ପାଗ ସାଙ୍ଗକୁ ଝିଅମାନଙ୍କ ମନରେ ନାହିଁ ନ ଥିବା ଉତ୍ସାହ। ଲାଗିଥିଲା ସଜବାଜର ପ୍ରତିଯୋଗିତା। ମେହେନ୍ଦି ମେହେନ୍ଦି ବାସୁଥିଲା ବଜାର ଘାଟ। ସାରା ଦିନ ପାର୍ଲରରେ ଲାଗିଥିଲା ଝିଅଙ୍କ ଗହଳି। ପୋଷାକ ବଜାରକୁ ବି ଫୁର‌୍‌ସତ ନଥିଲା। ପିଠା ପଣା ପାଇଁ ପ୍ରସ୍ତୁତି ସରି ଆସୁଥିଲା। ପହିଲି ରଜ ପୂର୍ବରୁ ଏମିତି ଥିଲା ସହରର ଦୃଶ୍ୟପଟ୍ଟ। ବରଷକୁ ଥରେ ଆସିଥିବା ରଜ ଯେମିତି ଫିକା ନପଡ଼େ, ସେଥିପାଇଁ ରାଜଧାନୀରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତି ଚାଲିଥିଲା। ବନସ୍ତରୁ ଗଜର ଡାକ ଶୁଭୁ କି ନ ଶୁଭୁ କିନ୍ତୁ ଟେପ୍‌ ରେକର୍ଡରୁ ‘ବନସ୍ତେ ଡାକିଲା ଗଜ…’ ଗୀତ ସଂଚରିତ କରିବା ପାଇଁ ବ୍ୟବସ୍ଥା ଚାଲିଥିଲା। ପାନ୍ଥ ନିବାସଠୁ ଆରମ୍ଭ କରି ରବୀନ୍ଦ୍ର ମଣ୍ତପ, ପ୍ରଦର୍ଶନୀ ପଡ଼ିଆ, ବିଭିନ୍ନ ମଲ୍‌, ବସ୍ତି, ବରମୁଣ୍ତାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆ, ବଡ଼ଗଡ଼ ବ୍ରିଟ୍‌ କଲୋନି ଥାନା ପାଖ ପଡ଼ିଆ ଆଦିରେ ଦୋଳି ଖେଳିବା ପାଇଁ ସାଜସଜା ଚାଲିଥିଲା। କବାଡ଼ି, ପୁଚି ଭଳି ପ୍ରତିଯୋଗିତାର ଆୟୋଜନ ହେଉଥିଲା। ଏହା ବ୍ୟତୀତ ରାଜଧାନୀ ଉପକଣ୍ଠରେ ରଜକୁ ଜାକଜମକରେ ପାଳିବା ପାଇଁ ଆୟୋଜନ ଚାଲିଥିଲା।

ବରାଦରେ ଝାଉଁ କାଠ ପୋଡ଼ା ପୋଡ଼ ପିଠା
ପିଠା ବିନା ରଜ ଯେମିତି ଅଧା। ରାଜଧାନୀର ବ୍ୟସ୍ତବହୁଳ ମଣିଷମାନେ ପିଠା ଲୋଭରେ ଗାଁକୁ ଯିବାକୁ ମନସ୍ଥ କରିଥିବା ବେଳେ ଯେଉଁମାନେ ରହିଯିବେ ସେମାନଙ୍କ ପିଠା ଆବଶ୍ୟକତା ପୂରଣ କରିବ ପାନ୍ଥ ନିବାସ ସମେତ କିଛି ରେଷ୍ଟୁରାଣ୍ଟ୍‌ ଓ ତାରକା ହୋଟେଲ୍‌। ସର୍ବୋପରି ରଜରେ ପୋଡ଼ପିଠାର ଚାହିଦା ଅଧିକ ରହିବ। ପାନ୍ଥ ନିବାସରେ ପୂର୍ବ ବର୍ଷ ଭଳି ଏଥର ବି ପୋଡ଼ପିଠା, ମଣ୍ତା, କାକରା, ଚକୁଳି ସମେତ ସମ୍ବଲପୁରର ସ୍ବତନ୍ତ୍ର କଦମ୍ବା ଓ ଖୁଦମଣ୍ତା ଉପଲବ୍ଧ ହେବ। ସ୍ବତନ୍ତ୍ର ପିଠା ଉପହାର ବାସ୍କେଟ୍‌ ମଧୢ ପ୍ରସ୍ତୁତ କରାଯିବ। ସେହିପରି ପାରମ୍ପରିକ ପିଠାରେ ମନ ଟାଣୁଥିବା ‘ପେଟପୂଜା’ରେ ୧୩ ତାରିଖରୁ ଝାଉଁକାଠରେ ପୋଡ଼ା ପୋଡ଼ପିଠା ଉପଲବ୍ଧ ହୋଇଛି। ପୋଡ଼ପିଠା ସମେତ ଚନ୍ଦ୍ରକଳା, କରଞ୍ଜି, ଧଳାମଣ୍ତା, ଛେନା କାକରା ପରି ୨୦ ପ୍ରକାରର ପିଠା ମିଳୁଛି ବୋଲି ‘ପେଟପୂଜା’ର ପ୍ରତିଷ୍ଠାତା ପ୍ରକାଶ ବେହେରା ସୂଚନା ଦେଇଛନ୍ତି। ସହରିଆଙ୍କୁ ଗାଉଁଲି ପୋଡ଼ର ସ୍ବାଦ ଚଖାଇବା ଉଦ୍ଦେଶ୍ୟରେ ଗତ ୧୭ ବର୍ଷ ହେଲା ଏକାମ୍ର ହାଟସ୍ଥିତ ତାଙ୍କ ହୋଟେଲରେ ସେ ପିଠା ତିଆରି ଆରମ୍ଭ କରିଛନ୍ତି ବୋଲି ଶ୍ରୀ ବେହେରା କହିଛନ୍ତି। ତାରକା ହୋଟେଲ୍‌ରେ ମଧୢ ରଜ ପାଇଁ ପିଠା ପ୍ରସ୍ତୁତି ଚାଲିଛି। ଚକୁଳି, ମଣ୍ତା, କାକରା, ଛୁଞ୍ଚି ପିଠା ଓ ରଜ ସ୍ପେସାଲ ପୋଡ଼ପିଠା ବିକ୍ରି ହେବ ବୋଲି ସୂଚନା ମିଳିଛି। ହୋଟେଲ ପୁ‌ଷ୍ପକରେ ରଜ ତିନି ଦିନ ସ୍ବତନ୍ତ୍ର ଭାବେ ଆରିସା, କାକରା, ମଣ୍ଡା, ପୋଡ଼ପିଠା ସହ ଡାଲ୍‌ମା ଓ ଖିରି ଆଦି ଉପଲବ୍ଧ ହେବ। ପରିଚ୍ଛନ୍ନତା ଓ ପାରମ୍ପରିକ ଶୈଳୀରେ ପିଠା ପ୍ରସ୍ତୁତି ପାଇଁ ହୋଟେଲ୍‌ ପୁଷ୍ପକ ସହରବାସୀଙ୍କ ପସନ୍ଦ ପାଲଟିଛି। ଏଥିସହ ଗାଁ ପରିବେଶ ଗ୍ରାଫିକ୍ସ ସହ ଫଲ ସଜ୍ଜିତ ଦୋଳିର ଏକ ସେଲ୍ଫି ଜୋନ୍‌ ରହିବ ବୋଲି ହୋଟେଲ ପୁଷ୍ପକର ମ୍ୟାନେଜର(ସେଲ୍ସ୍‌) ଅବିନାଶ ଗନ୍ତାୟତ କହିଛନ୍ତି। ଖାଲି ସେତିକି ନୁହେଁ ନିମାପଡ଼ା ସୁଇଟ୍‌ସ୍‌ରେ ସ୍ବତନ୍ତ୍ର ଚାଉଳ ପୋଡ଼ପିଠାର ମହକ ପାଇବାକୁ ପ୍ରତିବର୍ଷ ଭଳି ଏବର୍ଷ ବି ଭିଡ଼ ଜମିବ। ସ୍ବତନ୍ତ୍ର ଭାବେ ନିର୍ମିତ ଏହି ପିଠା ସାଙ୍ଗକୁ ଅନ୍ୟ ପିଠା ଓ ମିଠାର ସମ୍ଭାର ଖୋଲିବ ବୋଲି ନିମାପଡ଼ା ସୁଇଟ୍ସ୍‌ର ସତ୍ତ୍ବାଧିକାରୀ ଦିବାକର ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର