ବାତ୍ୟା ‘ଡାଏ’ ଭୟ

ଆଜି ୧୫୦ ମିମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବାତ୍ୟା ‘ଡାଏ’ ଗୋପାଳପୁର ଓ ଉତ୍ତର ଆନ୍ଧ୍ରପ୍ରଦେଶ ଛୁଇଁବାକୁ ଥିବାବେଳେ ପାଣିପାଗ ବିଭାଗ ରାଜ୍ୟର ୫ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି। ଏଥିରେ ଖୋର୍ଦ୍ଧା ଜିଲ୍ଲା ଥିବାରୁ ରାଜଧାନୀବାସୀଙ୍କୁ ବାତ୍ୟା ଭୟ ଘାରିଛି। ଯଦିଓ ୧୯୯୯ ମହାବାତ୍ୟା ଓ ୨୦୧୨ ଫାଇଲିନ୍‌ ଭଳି ଏହା ପ୍ରଳୟଙ୍କାରୀ ହେବନି କିନ୍ତୁ ରାଜଧାନୀବାସୀ ବାତ୍ୟା ‘ଡାଏ’କୁ ନେଇ ଭୟଭୀତ ହୋଇଯାଇଛନ୍ତି। ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ତତ୍ପର ହୋଇ ଉଠିଥିବାବେଳେ ରାଜଧାନୀବାସୀ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସହ ଦୁଇରୁ ତିନି ଦିନ ପାଇଁ ଖାଦ୍ୟ ସାମଗ୍ରୀ ଯୋଗାଡ଼ କରିବାରେ ଲାଗିପଡ଼ିଛନ୍ତି। କେତେକ ସ୍ଥାନରେ ଆବଶ୍ୟକସ୍ଥଳେ ବସ୍ତି ବାସିନ୍ଦାଙ୍କୁ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବାବେଳେ ସହର ମଧ୍ୟରେ ଯେପରି ଜଳବନ୍ଦୀ ସମସ୍ୟା ସୃଷ୍ଟି ନହେବ ସେଥିପାଇଁ ବିଏମ୍‌ସି ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି। ରାଜଧାନୀରେ ଶୁକ୍ରବାର ୬୦ରୁ ୭୦କିମି ବେଗରେ ପବନ ବହିବା ସହ ୧୦୦ରୁ ୧୫୦ମିମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଥିବାରୁ ସମସ୍ତ ସରକାରୀ କାର୍ଯ୍ୟାଳୟର ମହରମ୍‌ ଛୁଟି ବାତିଲ୍‌ କରାଯାଇଛି। ଶୁକ୍ରବାର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ। ବିଏମ୍‌ସି ପକ୍ଷରୁ ଖୋଲା ଯାଇଥିବା କଣ୍ଟ୍ରୋଲ ରୁମ୍‌କୁ ଅଧିକ କ୍ରିୟାଶୀଳ କରାଯାଇଛି। ଏଥିରେ ଅଗ୍ନିଶମ ବିଭାଗ, ବିଡିଏ, ବିଏମ୍‌ସି, ଜନସ୍ୱାସ୍ଥ୍ୟ ଓ ପ୍ରାଚୀ ଡିଭିଜନ୍‌ର ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। କଣ୍ଟ୍ରୋଲ ରୁମ୍‌କୁ ଆସିବାକୁ ଥିବା ଅଭିଯୋଗର ତୁରନ୍ତ ସମାଧାନ କରିବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି। ରାଜଧାନୀବାସୀ ବର୍ଷା କି ବାତ୍ୟା ଜନିତ କୌଣସି ସମସ୍ୟାରେ ପଡ଼ିଲେ ତୁରନ୍ତ ୧୮୦୦୩୪୫୦୦୬୧ ଏବଂ ୦୬୭୪-୨୪୩୨୨୮୧ ନମ୍ବରରେ କଲ୍‌ କରିବାକୁ କୁହାଯାଇଛି। ବିଏମ୍‌ସିର ୧୩ଟି ସବ୍‌ଜୋନ୍‌ର ନୋଡାଲ ଅଧିକାରୀ ଏବଂ ତାଙ୍କର ଟିମ୍‌, ୪୦ ଜଣ ଇଂଜିନିୟରଙ୍କୁ ସଜାଗ ରହିବାକୁ କୁହାଯାଇଛି। ସମ୍ବେଦନଶୀଳ ଥିବା ୨୭ଟି ୱାର୍ଡର ବିଭିନ୍ନ ସ୍ଥାନରେ ଆଗୁଆ ପାଣି ପମ୍ପ ରଖାଯାଇଛି। ଏଠାରେ ଯେପରି ଜଳବନ୍ଦୀ ସମସ୍ୟା ସୃଷ୍ଟି ନହେବ ସେଥିପାଇଁ ସଜାଗ ରହିବାକୁ କୁହାଯାଇଛି।

୭୦କିମି ବେଗରେ ପବନ ବହିପାରେ
ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍‌
୧୮୦୦୩୪୫୦୦୬୧ ଏବଂ
୦୬୭୪-୨୪୩୨୨୮୧ରେ କଲ୍‌ କଲେ ସହାୟତା ମିଳିବ

ରାଜଧାନୀରେ ୨୪ଘଣ୍ଟା ମଧ୍ୟରେ ୭୮.୪ମିମି ବର୍ଷା ହୋଇଥିବାବେଳେ ବିଏମ୍‌ସି କଣ୍ଟ୍ରୋଲ ରୁମ୍‌କୁ ୫ଟି ଅଭିଯୋଗ ଆସିଥିଲା। ଏହାର ସମାଧାନ କରାଯାଇଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ସେହିପରି ବର୍ଷା ଯୋଗୁଁ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବାରୁ ଅଗ୍ନିଶମ ବିଭାଗ ପକ୍ଷରୁ ପାଇକନଗର, ଗୌରୀ ନଗର, ଗୌରୀ ଗାର୍ଡେନ୍‌, ଜୟଦେବବିହାରସ୍ଥିତ କର୍ପୋରେସନ ବ୍ୟାଙ୍କ, ଗୌରୀଶଙ୍କର ଇଂରାଜୀ ମାଧ୍ୟମ ସ୍କୁଲ ଏବଂ ବିଏମ୍‌ସି ପକ୍ଷରୁ ମଲ୍ଲିକ କମ୍ପ୍ଲେକ୍ସ, ପାଇକ ନଗର, ନୀଳକଣ୍ଠେଶ୍ୱର ମନ୍ଦିର, ଗ୍ୟାରେଜ୍‌ ଛକ ସାଇ ମନ୍ଦିର, ନୂଆ ଗାଁ ମୁଖ୍ୟ ରାସ୍ତା, ପାହାଳ ନିକଟରେ ପମ୍ପ ମୁତୟନ କରାଯାଇଥିଲା।

ତୋରଣ ଭାଙ୍ଗିଲା
ଆଜି ରାଜଧାନୀରେ ଦିନତମାମ୍‌ ବର୍ଷା ହୋଇଥିବାବେଳେ ଅପରାହ୍‌ଣରେ ୩୦ରୁ ୩୫କିମି ବେଗରେ ପବନ ବହିଥିଲା। ଏଥିରେ ୟୁନିଟ-୧ ନିକଟରେ ଗଣେଶ ପୂଜା ପାଇଁ ହୋଇଥିବା ତୋରଣ ଭାଙ୍ଗି ଯାଇଥିବାବେଳେ କେତେକ ସ୍ଥାନରେ ଗଛ ଉପୁଡ଼ିଛି। କେତେକ ସ୍ଥାନରେ ଗଛ ଡାଳ ଭାଙ୍ଗି ବିଦ୍ୟୁତ ତାର ଉପରେ ପଡ଼ିଥିବାରୁ ବିଦ୍ୟୁତ ସରବରାହ ବ୍ୟାଘାତ ହୋଇଥିବା ଜଣାପଡ଼ିଛି।

ସ୍କୁଲରେ ଆଶ୍ରୟ ନେଲେ ଲୋକେ
ବାଲିପାଟଣା: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାଲିପାଟଣାରେ ପ୍ରଶାସନ ତତ୍ପର ହୋଇଛି। ମାଇକ୍‌ ମାଧ୍ୟମରେ ପ୍ରଚାର କରାଯାଇ ଲୋକମାନଙ୍କୁ ବାତ୍ୟା ମୁକାବିଲା ପାଇଁ ସଚେତନ କରାଯାଇଛି। ବାତ୍ୟା ପ୍ରଚାର ପାଇଁ ପଞ୍ଚାୟତର ସରପଞ୍ଚମାନଙ୍କୁ ନିର୍ଦେଶ ଦିଆଯାଇଥିବା ଜିପିଓ ରଞ୍ଚନ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି। ଆଜି ଅପରାହ୍‌ଣରୁ ବିଭିନ୍ନ ପଞ୍ଚାୟତ ପକ୍ଷରୁ ମାଇକ୍‌ରେ ଗାଁକୁ ଗାଁ ବୁଲି ପ୍ରଚାର କରାଯାଉଛି। ରାତିରେ ବାତ୍ୟା ଆଶଙ୍କା ଥିବାରୁ ପ୍ରାୟ ସବୁ ପଞ୍ଚାୟତରେ ପ୍ରଚାର ଗାଡ଼ି ବୁଲୁଛି। କଚାଘରେ ଥିବା ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳ କିମ୍ବା ସ୍କୁଲଘରେ ଆଶ୍ରୟ ନେବାକୁ କୁହାଯାଉଛି। କେବଳ ଲୋକମାନେ ନୁହନ୍ତି ଗାଇଗୋରୁଙ୍କୁ ବି ନିରାପଦ ସ୍ଥାନମାନଙ୍କୁ ନେବାକୁ ସଚେତନ କରାଯାଉଛି। ପଞ୍ଚାୟତ ପକ୍ଷରୁ ପ୍ରଚାର କରାଯିବା ପରେ କଚାଘରେ ଥିବା ଲୋକମାନେ ସନ୍ଧ୍ୟାରୁ ବିଭିନ୍ନ ସ୍କୁଲରେ ଆଶ୍ରୟ ନେଇଥିବାର ଦେଖାଯାଉଛି। ଆଜି ବାଲିପାଟଣା ବ୍ଲକରେ ସକାଳ ୮ଟା ସୁଦ୍ଧା ୪୫ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଆଜି ସନ୍ଧ୍ୟାରୁ ତହସିଲରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଥିବା ତହସିଲଦାର ପ୍ରାଚୀ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି। ବାତ୍ୟା କେଉଁ ପ୍ରକାର ଓ କିଭଳି ହେବ ସେଥିପାଇଁ ବଜାରଘାଟ ସବୁଠି ସେଇ ଗୋଟିଏ ଆଲୋଚନା।

ବଜାରରୁ ଆଳୁ ଉଭାନ
ଆଜି ବାତ୍ୟା ପାଇଁ ପ୍ରଚାର ଗାଡ଼ି ବୁଲିବା ପରେ ବାଲିପାଟଣା ହାଟରେ ସନ୍ଧ୍ୟାରୁ ହଠାତ୍‌ ଆଳୁ ଉଭାନ୍‌ ହୋଇଯାଇଛି।ଲୋକମାନେ ଆଳୁ ନେବାକୁ ମାଗିବାରୁ ବ୍ୟବସାୟୀମାନେ ଆଳୁ ଦେବାକୁ ମନା କରିଦେଇଥିଲେ। କେତେକ ଆଳୁ ବ୍ୟବସାୟୀ ଆଳୁ ଲୁଚାଇ ରଖି ଗ୍ରାହକଙ୍କୁ ଫେରାଇ ଦେଇଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି। ଫଳରେ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।

ସମ୍ବନ୍ଧିତ ଖବର