ଆଜି ବିମାନ କମ୍ପାନି ସିଇଓଙ୍କ ସହ ଆଲୋଚନା: ରାଜି କରାଇବାକୁ ବ୍ଲୁ ପ୍ରିଣ୍ଟ୍‌

ଯୋଗଦେବେ ମୁଖ୍ୟମନ୍ତ୍ରୀ, ଏଏଆଇ ଅଧ୍ୟକ୍ଷ

ଭୁବନେଶ୍ବର: ଆସନ୍ତାକାଲି (ବୁଧବାର)ରାଜ୍ୟ ସରକାର ୧୦ରୁ ଅଧିକ ବିମାନ କମ୍ପାନିର ସିଇଓ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ। ଓଡ଼ିଶାକୁ କିପରି ଅଧିକରୁ ଅଧିକ ବିମାନ ଚଳାଚଳ କରିବ ଏବଂ ଭୁବନେଶ୍ବରରୁ ବିଦେଶକୁ ଅଧିକ ବିମାନ ଉଡ଼ାଣ କରିବ ସେନେଇ ଆଲୋଚନା କରିବା ପାଇଁ ଏହି ବୈଠକ ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କ’ଣ କହି, କେଉଁ ଲୋଭ ଦେଖାଇ ବିମାନ କମ୍ପାନିଙ୍କୁ ଆକୃଷ୍ଟ କରାଯିବ ସେ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ହୋ‌ଟେଲ ମେ’ ଫେୟାରରେ ଆୟୋଜନ ହେଉଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ‌ଦେବେ। ଏଥିରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ବିଭାଗୀୟ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା, ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ଅରବିନ୍ଦ ସିଂହଙ୍କ ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ ଓ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିର୍ଦ୍ଦେଶକ ଯୋଗ ଦେବେ। ବିଦେଶକୁ ବିମାନ ଉଡ଼ାଣ କଲେ ରାଜ୍ୟ ସରକାର କ’ଣ କ’ଣ ସୁବିଧା ଓ ସହଯୋଗ ଯୋଗାଇଦେବେ, ତାହା ବୁଧବାର ଘୋଷଣା କରିବେ। ଏପରିକି ରାଜ୍ୟରେ ପର୍ଯ୍ୟାପ୍ତ ଭିତ୍ତିଭୂମି ଥିବା ବେଳେ ଭୁବନେଶ୍ବର ବିମାନବନ୍ଦରରେ ନିର୍ମାଣ ହେବାକୁ ଥିବା ପାରାଲାଲ ଟାକ୍ସି ରନ୍‌ୱେ, ଅନ୍ତର୍ଜାତୀୟମାନର ରନ‌ୱେ, ବିଭିନ୍ନ ସୁବିଧା ସୁଯୋଗ ଏବଂ ଆଗାମୀ ଯୋଜନା ବିଷୟରେ ବିମାନ କମ୍ପାନିମାନଙ୍କୁ କୁହାଯିବ।

ଏହି ‌ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ରାଜ୍ୟ ସରକାରଙ୍କ ଯୋଜନା ଓ ବିମାନ କମ୍ପାନି ପାଇଁ ସମ୍ଭାବନା ବିଷୟରେ କହିବେ। ଶିଳ୍ପ ସଚିବ ଏଥିରେ ଓଡ଼ିଶାକୁ ଆଗାମୀ ଦିନରେ ଆସିବାକୁ ଥିବା ଶିଳ୍ପ ଏବଂ ଏହାଦ୍ବାରା କିପରି ବିମାନ କମ୍ପାନି ଉପକୃତ ହେବେ ସେ ବିଷୟରେ କହିବେ। ଭୁବନେଶ୍ବର ଶିକ୍ଷା ଓ ଆଇଟି ହବ୍‌ ହୋଇଥିବାରୁ ଏଠାରୁ କିପରି ପ୍ରତ୍ୟେକ ଦିନ ଶହ ଶହ ଲୋକ ବିଭିନ୍ନ ରାଜ୍ୟକୁ ଯାଉଛନ୍ତି ଓ ଏଠାକୁ ଆସୁଛନ୍ତି ଏବଂ ଏହାଦ୍ବାରା ପୁନେ, ବେଙ୍ଗାଲୁରୁ, ହାଇଦ୍ରାବାଦକୁ ବିମାନ ଉଡ଼ାଣ କଲେ କ’ଣ ସୁଯୋଗ ରହିଛି, ସେ ସମ୍ପର୍କରେ ସୂଚନା ଦେବେ। ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭାଗୀୟ ସଚିବ ରାଜ୍ୟରେ ଥିବା ପର୍ଯ୍ୟଟନ ଶିଳ୍ପ ଏବଂ ଏହା କିପରି ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ, ସେ ବିଷୟରେ କହିବେ। ଏହାସହ ଭୁବନେଶ୍ବର ଏବେ କ୍ରୀଡ଼ା ରାଜଧାନୀ ପାଲଟିଛି। ଏଠାରେ ନିୟମିତ ବ୍ୟବଧାନରେ ଅନ୍ତର୍ଜାତୀୟ ମ୍ୟାଚ୍ ହେଉଥିବାରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଲେ କିପରି ଅଧିକ ସୁଫଳ ମିଳିବ, ସେ ସମ୍ପର୍କରେ ସୂଚନା ଦିଆଯିବ ବୋଲି ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରସ୍ତୁତି ବୈଠକ‌ରେ ନିଷ୍ପତ୍ତି ହୋଇଛି।

ଦିନକରେ ଜମି ଦଖଲ ଓ ହସ୍ତାନ୍ତର
ବିମାନ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକ ସହ ଆଲୋଚନା କରିବା ପୂର୍ବରୁ ରାଜ୍ୟ ସରକାର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଜମି ଅଧିଗ୍ରହଣ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଛନ୍ତି। ପାରାଲାଲ୍ ଟ୍ୟାକ୍ସି ରନ୍‌ୱେ ନିର୍ମାଣ ପାଇଁ ଆବଶ୍ୟକ ଥିବା ୧.୪୭ଏକର ଜମି ହସ୍ତାନ୍ତର କରିଛନ୍ତି। ଆଜି ଗୋଟିଏ ଦିନରେ ଓୟୁଏଟି ଫାର୍ମ ଗେଟ୍‌ ବସ୍ତିକୁ ସଂପୂର୍ଣ୍ଣ ଉଚ୍ଛେଦ କରାଯିବା ସହ ଏଠାରେ ଥିବା ୦.୭୫୪ ଏକର ଜମି ଏବଂ ଜାଗମରା ମୌଜାରେ ଥିବା ୦.୪୨୭ ଏକର ଜମିକୁ ମିଶାଇ ମୋଟ୍‌ ୧.୧୮୧ ଏକର ଜମି ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି। ଉଚ୍ଚସ୍ତରୀୟ ବୈଠକର ଦିନକ ପୂର୍ବରୁ ବିଏମ୍‌ସି ଓ ବିଡିଏ ଜମି ଜବରଦଖଲମୁକ୍ତ କରି ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର କରିଛି। ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ସୁଶାନ୍ତ ମହାପାତ୍ର ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଜମି ହସ୍ତାନ୍ତର କରିଥିଲେ। ବିମାନବନ୍ଦର କର୍ତ୍ତୃପକ୍ଷ ଏହାକୁ ସଂଧ୍ୟାରେ ହିଁ ଦଖଲକୁ ନେଇଛନ୍ତି।

ସମ୍ବନ୍ଧିତ ଖବର