ଆଜି ଆଲୋଚନା: ମହାସୁଲ ବନ୍ଦ ଦାବିରେ ଧାରଣା

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ଆଖପାଖରେ ଆଦାୟ ହେଉଥିିବା ଦାଣ୍ଡ ମହାସୁଲକୁ ନେଇ ବିବାଦ ଉଠିଛି। ନିର୍ଦିଷ୍ଟ ଅର୍ଥ ଆଦାୟ ନ କରି ଯଥେଷ୍ଟ ଅଧିକ ପରିମାଣର ଆଦାୟ କରାଯାଉଛି। ଜୋରଜବରଦସ୍ତ ମହାସୁଲ ଆଦାୟ କରାଯାଉଥିବା ସହ ଅଗ୍ରିମ ମହାସୁଲ ମଧ୍ୟ ଆଦାୟ ହେଉଥିବା ଅଭିଯୋଗ ହୋଇଛି। ବ୍ୟବସାୟୀମାନେ ଏହାର ତୀବ୍ର ବିରୋଧ କରିଛନ୍ତି। ଏହାର ପ୍ରତିବାଦରେ ଆଜି ଶତାଧିକ ବ୍ୟବସାୟୀ ଏକାମ୍ର ଜନଜାଗରଣ ମଞ୍ଚ ସଭାପତି ଭୀଷ୍ମ ନାରାୟଣ ନାୟକଙ୍କ ନେତୃତ୍ଵରେ ଦେବୋତ୍ତର ଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣା ଦେଇଥିଲେ। ଅନ୍ୟପକ୍ଷରେ ୭ ତାରିଖରେ ଏ ସଂପର୍କରେ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ସହ ଆଲୋଚନା କରିବାକୁ ଦେବୋତ୍ତର କମିସନର୍‌ ଦିନ ଧାର୍ଯ୍ୟ କରିଛନ୍ତି। ବ୍ୟବସାୟୀଙ୍କୁ ଗୋଟିଏ ମାସ ସମୟ ଦିଆଯାଇଛି। ମାସେ ମଧ୍ୟରେ ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ବ୍ୟବସାୟୀମାନେ ଧାରଣାରୁ ଉଠିଥିଲେ। ମିଳିଥିବା ସୂଚନା ମୁତାବକ, ଶ୍ରୀଲିଙ୍ଗରାଜ ମନ୍ଦିର ଆଖପାଖରେ ବ୍ୟବସାୟୀଙ୍କଠାରୁ ଦାଣ୍ଡ ମହାସୁଲ ଆଦାୟ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନିଲାମ ଦିଆଯାଇଛି। ବାର୍ଷିକ ୧୯ ଲକ୍ଷ ଟଙ୍କାରେ ଏହି ନିଲାମ ଦିଆଯିବା ପରେ ଠିକାଦାର ଏହି ମହାସୁଲ ଆଦାୟ କରୁଛି। ୫ରୁ ୧୦ କିଲୋମିଟର ପର୍ଯ୍ୟନ୍ତ ବସୁଥିବା ବ୍ୟବସାୟୀଙ୍କଠାରୁ ଏହି ମହାସୁଲ ଆଦାୟ ହେଉଛି। ପୂର୍ବରୁ ୪ ଟଙ୍କା ଆଦାୟ ହେଉଥିବା ବେଳେ ଏବେ ମନଇଚ୍ଛା ଆଦାୟ ହେଉଛି। ବଡ଼କଥା ହେଉଛି, ମହାସୁଲ ସବୁଦିନ ଆଦାୟ କରିବା ନିୟମ ଥିବା ବେଳେ କେତେକ ବ୍ୟବସାୟୀଙ୍କଠାରୁ ଗୋଟିଏ ମାସର ଅଗ୍ରିମ ଆଦାୟ କରାଯାଉଥିବା ଅଭିଯୋଗ ହେଉଛି। ମନ୍ଦିର ପ୍ରଶାସନର କୋଟି କୋଟି ଟଙ୍କାର ସମ୍ପତ୍ତି ଜବରଦଖଲରେ ରହିଛି। ଏହାର ପୁନରୁଦ୍ଧାର ହେଲେ ଠାକୁରଙ୍କ ଅଭାବ ରହିବ ନାହିଁ। କିନ୍ତୁ ଗରିବ ବ୍ୟବସାୟୀଙ୍କଠାରୁ ମୋଟା ଅଙ୍କର ମହାସୁଲ ଆଦାୟ ହୋଇଛି ବୋଲି ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ଏହି ଦାଣ୍ଡ ମହାସୁଲ ବନ୍ଦ ଦାବିରେ ଗତ ୨ ତାରିଖରେ ମଧ୍ୟ ଶତାଧିକ ବ୍ୟବସାୟୀ ମନ୍ଦିର କାର୍ଯ୍ୟାଳୟ ଘେରାଉ କରିଥିଲେ।

ସମ୍ବନ୍ଧିତ ଖବର