ଆଜି ପୃଥିବୀ ଦିବସ: ବଦଳୁଛି ପରିବେଶ, ବିଗୁଡ଼ୁଛି ସନ୍ତୁଳନ

ଭୁବନେଶ୍ବର: ବିପର୍ଯ୍ୟସ୍ତ ହୋଇଗଲାଣି ପରିବେଶ। କ୍ରମାଗତ ଜଙ୍ଗଲ ଅବକ୍ଷୟ ସହ ଅନେକ ପଶୁପକ୍ଷୀ ଓ ପ୍ରଜାତି ଲୋପ ପାଇବାକୁ ବସିଛନ୍ତି। ସେମାନଙ୍କୁ ଯଥାସମ୍ଭବ ସୁରକ୍ଷା ନ ଦେଲେ, ଦିନ ଆସିବ ଡାଇନୋସର୍‌ ଭଳି ଅନେକ ପ୍ରଜାତିଙ୍କୁ ଆମ ଉତ୍ତରପିଢ଼ି କେବଳ ଛବିରେ ହିଁ ଦେଖିବେ। ଏନେଇ ପରିବେଶବିତ୍‌ମାନେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଏଣୁ ଚଳିତ ବର୍ଷ ଏପ୍ରିଲ ୨୨ ତାରିଖରେ ପାଳନ କରାଯାଉଥିବା ‘ପୃଥିବୀ ଦିବସ’ର ବିଷୟବସ୍ତୁ ରହିଛି ‘ବିଲୁପ୍ତପ୍ରାୟ ପ୍ରଜାତିଙ୍କ ସୁରକ୍ଷା‌’। ଜଳବାୟୁ ପରିବର୍ତ୍ତନ, ଜଙ୍ଗଲର ଦ୍ରୁତ ଅବକ୍ଷୟ, ପ୍ରଦୂଷଣ ଓ ବେଆଇନ ଶିକାର ଯୋଗୁଁ ବିପଦମୁଖରେ ପଡ଼ିଥିବା ପ୍ରାଣୀମାନଙ୍କୁ କିପରି ସୁରକ୍ଷା ଦିଆଯିବ, ସେ ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସର ଲକ୍ଷ୍ୟ। ଦ୍ରୁତ ସହରୀକରଣ ଓ କଂକ୍ରିଟ ଜଙ୍ଗଲ ମଧ୍ୟରେ ବଳି ପଡ଼ି ଯାଇଛନ୍ତି ଆମର ଅନେକ ଜୀବଜନ୍ତୁ। ଉପଯୁକ୍ତ ପରିବେଶ ତଥା ସୁରକ୍ଷିତ ସ୍ଥାନର ଅଭାବରୁ ସେମାନଙ୍କ ପ୍ରଜାତି ଧୀରେଧୀରେ ଧ୍ବଂସାଭିମୁଖୀ ହେଲାଣି। ଭବିଷ୍ୟତରେ ମାନବ ସମାଜ ପାଇଁ ଏହା ବଡ଼ ବିପଦ ଭାବେ ଦେଖାଦେବାର ଆଶଙ୍କା ରହିଛି। ଆଗରୁ ଗଞ୍ଜାମ, ମୟୂରଭଞ୍ଜ, ଦେବଗଡ଼ ଓ ସମ୍ବଲପୁର ଆଦି ଜିଲ୍ଲାରେ ବହୁ ସଂଖ୍ୟାରେ ବଜ୍ରକପ୍ତା ଦେଖିବାକୁ ମିଳୁଥିଲେ। କିନ୍ତୁ ଏବେ ସେସବୁ ଧୀରେ ଧୀରେ ଲୁପ୍ତ ହେବାରେ ଲାଗିଲେଣି। ଏହା ଏକ ବିରଳ ଜୀବ ହୋଇଥିବାରୁ ପ୍ରାୟ ସମୟରେ ଏହାର ଚୋରାଚାଲଣ ଘଟଣା ସାମ୍‌ନାକୁ ଆସୁଛି। ବଜ୍ରକାପ୍ତାର ଚମଡ଼ା ଓ କାତିରୁ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ, ଶକ୍ତିବର୍ଧକ ଔଷଧ, ଦାମୀ ଔଷଧ ଓ କପଡ଼ା ଆଦି ତିଆରି କରାଯାଏ। ତେଣୁ ମାଫିମାମାନେ ଏହାକୁ ନେଇ ଚୀନ୍‌ ବଜାରରେ ୧୦ରୁ ୧୨ ଗୁଣା ଅଧିକ ଦରରେ ବିକ୍ରି କରୁଛନ୍ତି। ସେହିଭଳି ଘରଚଟିଆ ଆଉ କିଛି ବର୍ଷ ପରେ କେବଳ ଆଈ ମା’ କାହାଣୀରେ ହିଁ ରହିଯିବ। ଆଧୁନିକୀକରଣ, ଛାତ ଘର ଓ କଂକ୍ରିଟ ଜଙ୍ଗଲ ଏପରି ବଢ଼ି ଚାଲିଛି ଯେ ନା ସେମାନଙ୍କୁ ରହିବାକୁ ବାସଗୃହ ମିଳୁଛି ନା ସେମାନେ ଖାଦ୍ୟ ଠିକ୍ ଭାବେ ପାଉଛନ୍ତି। ସେମାନଙ୍କ ବଂଶ ଏବେ ଧ୍ବଂସ୍ବାଭିମୁଖୀ। ଅଜଗର ସାପର ମଧ୍ୟ ସମାନ ଅବସ୍ଥା। ଜଙ୍ଗଲର ଅବକ୍ଷୟ ବାଘ ସଂଖ୍ୟା ହ୍ରାସର ପ୍ରମୁଖ କାରଣ ସାଜିଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ)ଙ୍କ ଗଣନା ଅନୁଯାୟୀ, ୨୦୦୬ ମସିହାରେ ଓଡ଼ିଶାରେ ବାଘ ସଂଖ୍ୟା ୪୫ ଥିଲା ‌ବେଳେ ୨୦୧୦ରେ ଏହା ଖସି ୩୨ ଓ ୨୦୧୪ରେ ଆହୁରି ଖସି ୨୮ରେ ପହଞ୍ଚିଛି। ଯଦିଓ ରାଜ୍ୟ ସରକାର ଏହି ସଂଖ୍ୟାକୁ ସ୍ବୀକାର କରିନାହାନ୍ତି, ତଥାପି ବାଘ ସଂଖ୍ୟା ହ୍ରାସ ପାଉଥିବାର ଆଭାସ ମିଳୁଛି। ପୁଣି ଜଙ୍ଗଲର ଅବକ୍ଷୟ ଯୋଗୁଁ ବିଭିନ୍ନ ସମୟରେ ଜନବସତି ଭିତରକୁ ବାଘ ପଶି ଆସୁଥିବା ଦେଖାଯାଉଛି। ଫଳରେ ମଣିଷ-ଜୀବଜନ୍ତୁ ଲଢ଼େଇ ପରି ଏକ ବିଲକ୍ଷଣ ବି ସମାଜରେ ଦେଖାଯାଉଛି। ସେହିଭଳି ପୂର୍ବରୁ ବହୁ ସଂଖ୍ୟାରେ ଦେଖାଯାଉଥିବା ଘଡ଼ିଆଳ କୁମ୍ଭୀର କିଛି ବର୍ଷ ପରେ ଦେଖିବାକୁ ମିଳିବେ ନାହିଁ। ପରିବେଶବିତ୍‌ମାନଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇଛି। ପରିବେଶବିତ୍‌ ବିଶ୍ବଜିତ ମହାନ୍ତି କୁହନ୍ତି, ପରିବେଶର ଏକ ଉପଯୁକ୍ତ ସନ୍ତୁଳନ ରକ୍ଷା ପାଇଁ ଉଦ୍ଭିଦ ସହ ଏସବୁ ପଶୁପକ୍ଷୀ ବି ନିହାତି ଆବଶ୍ୟକ। ପ୍ରକୃତି ତ‌ା‌’ର ବୈଚିତ୍ରତାରେ ଆମ ପାଇଁ ଭିନ୍ନ ଭିନ୍ନ ଜୀବଜନ୍ତୁ ଓ ଉଦ୍ଭିଦଙ୍କୁ ଖଞ୍ଜି ଦେଇଛି। କିନ୍ତୁ ମଣିଷ ନିଜର ସ୍ବାର୍ଥ ଓ ମୁର୍ଖାମି ଯୋଗୁଁ ପ୍ରକୃତିର ଏ‌ତେ ସବୁ ଉପହାରକୁ ଲୁପ୍ତ କରିଦେବାରେ ଲାଗିଛି। ବର୍ତ୍ତମାନ ଓଡ଼ିଶାର ଟିକରପଡ଼ାରେ ମାତ୍ର ୨ଟି ଘଡ଼ିଆଳ କୁମ୍ଭୀର ଅଛନ୍ତି। ଏହି କୁମ୍ଭୀରମାନଙ୍କୁ ମାରି ସେମାନଙ୍କ ଚମଡ଼ା ସ୍ମଗ୍‌ଲିଂ କରାଯାଉଛି। ଫଳରେ ଧୀରେ ଧୀରେ ଏହି ବଂଶ ଲୋପ ପାଇବାରେ ଲାଗିଲାଣି। ଦିନ ଆସିବ ଓଡ଼ିଶାରେ ଘଡ଼ିଆଳ କୁମ୍ଭୀରର ସତ୍ତା ହଜିଯିବ।
ପଶୁସମ୍ପଦ ଗବେଷକ ବଳରାମ ସାହୁ କୁହନ୍ତି, ଆସ୍ତେ ଆସ୍ତେ ଜୈବ ବିବିଧତା କମିିଯାଉଥିବା ଫଳରେ ମଣିଷ ସମାଜ ପ୍ରତି ବିପଦ ମାଡ଼ି ଆସୁଛି। ଆଗରୁ ଥିବା ଅନେକ କୀଟପତଙ୍ଗ ବିଭିନ୍ନ ଭୂତାଣୁ ଓ ଜୀବାଣୁଙ୍କୁ ନିଜ ଭିତରେ ଧରି ରଖୁଥିଲେ, ଫଳରେ ମଣିଷ ବିଭିନ୍ନ ପ୍ରକାର ରୋଗରୁ ଦୂରେଇ ରହୁଥିଲା। କିନ୍ତୁ ଧୀରେ ଧୀରେ ସେସବୁ ଲୋପ ପାଇଯିବା ଫଳରେ ମଣିଷ ବିଭିନ୍ନ ପ୍ରକାର ବିରଳ ତଥା ପ୍ରାଣଘାତୀ ରୋଗର ଶିକାର ହେଉଛି। ଏଣୁ ସମୟ ଥାଉ ମଣିଷ ସତର୍କ ନ ହେଲେ ଦିନ ଆସିବ ମଣିଷ ସମାଜ ବିଭିନ୍ନ ରୋଗରର ଶୀକାର ହୋଇ ପ୍ରାଣ ହରାଇବ ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର