ତେଜୁଛି ବସ୍‌ ମାଲିକ ସଂଘ ବିବାଦ : ଆଜି ଗଞ୍ଜାମକୁ ବସ୍‌ ଚଳାଚଳ ବନ୍ଦ!

ଖଣ୍ଡଗିରି: ବସ୍‌ ମାଲିକ ସଂଘ ମଧ୍ୟରେ ଲାଗି ରହିଥିବା ବିବାଦ ତେଜିବାରେ ଲାଗିଛି। ରବିବାର ଦୁଇ ପଟୁ କିଛି କିଛି ବସ୍‌ ଅଟକା ଯାଇଥିବା ବେଳେ ସୋମବାରଠାରୁ ଦୁଇ ମାଲିକ ସଂଘ ପକ୍ଷରୁ ସମସ୍ତ ବସ୍‌କୁ ଅଟକାଇ ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ବିବାଦ କାରଣରୁ ସୋମବାରଠାରୁ ଭୁବନେଶ୍ୱର ଓ ଗଞ୍ଜାମ ମଧ୍ୟରେ ବସ୍‌ ଚଳାଚଳ ବନ୍ଦ ହୋଇଯିବ ବୋଲି ସ୍ପଷ୍ଟ ହୋଇଯାଇଛି। ରାଜ୍ୟ ସରକାର ଓ ପରିବହନ କମିସନର ତୁରନ୍ତ ଦୁଇ ବସ୍‌ ମାଲିକ ସଂଘର ବିବାଦ ସମାଧାନରେ ହସ୍ତକ୍ଷେପ ନ କଲେ, ଏହି ରୁଟ୍‌ରେ ବସ୍‌ ସେବା ପ୍ରଭାବିତ ହେବ ବୋଲି ଜଣାପଡ଼ିଛି। ଫଳରେ ଖୋର୍ଧା, କନ୍ଧମାଳ, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାର ଯାତ୍ରୀମାନେ ବହୁ ମାତ୍ରାରେ ପ୍ରଭାବିତ ହେବା ନିଶ୍ଚିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାର ଆସିକା ବସ୍‌ ମାଲିକ ସଂଘ ଓ ରାଜଧାନୀ ବସ୍‌ ମାଲିକ ସଂଘ ମଧ୍ୟରେ ଆରମ୍ଭ ହୋଇଥିବା ଏହି ବିବାଦରେ ଆଜି ଗଞ୍ଜାମ ଜିଲ୍ଲାର ଭଂଜନଗର ଆଦି ବସ୍‌ ମାଲିକ ସଂଘମାନେ ସାମିଲ୍‌ ହୋଇଛନ୍ତି। ସୂଚନାନୁସାରେ ଆଜି ସନ୍ଧ୍ୟାରେ ଭଂଜନଗର ବସ୍‌ ମାଲିକ ସଂଘ ରାଜଧାନୀ ବସ୍‌ ମାଲିକ ସଂଘର କିଛି ବସ୍‌କୁ ଭଂଜନଗରରେ ଅଟକ ରଖିଛନ୍ତି। ଫଳରେ ରାଜଧାନୀ ବସ୍‌ ମାଲିକ ସଂଘ ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରିବ ବୋଲି ଚେତାବନୀ ଦେଇଛି। ରାଜଧାନୀ ବସ୍‌ ମାଲିକ ସଂଘ ସୋମବାର ସକାଳୁ ଭଂଜନଗର ବସ୍‌ଗୁଡ଼ିକୁ ଭୁବନେଶ୍ୱରରେ ଅଟକ ରଖିବ ବୋଲି ସୂଚାଇ ଦେଇଛି। ଏମିତିକି ଆସିକା ସଂଘ ଓ ରାଜଧାନୀ ସଂଘ ମଧ୍ୟରେ ଆରମ୍ଭ ହୋଇଥିବା ଏହି ବିବାଦ ସୋମବାର ସକାଳୁ ସମସ୍ତ ସଂଘକୁ ବ୍ୟାପିବା ଆଶଙ୍କା ପ୍ରକାଶ ପାଇଛି। ତେଣୁ ସୋମବାରଠାରୁ ବ୍ରହ୍ମପୁର, ଆସିକା, ଭଂଜନଗର ଓ ଭୁବନେଶ୍ୱର ମଧ୍ୟରେ ବସ୍‌ ଚଳାଚଳ ବନ୍ଦ ହୋଇଯିବା ନିଶ୍ଚିତ ହୋଇଯାଇଛି।

ସୂଚନାନୁସାରେ, ଆସିକା ପଟୁ କିଛି ନୂଆ ବସ୍‌ ଚଳାଚଳକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି। ରାଜଧାନୀ ବସ୍‌ ମାଲିକଙ୍କ କିଛି ଗାଡ଼ି ସକାଳୁ ସେପଟୁ ଚଳାଚଳ କରିବାକୁ ନୂଆ ଅନୁମତି ପାଇଥିବାରୁ ଏହି ବିବାଦ ଆରମ୍ଭ ହୋଇଛି। ଆସିକା ବସ୍‌ ମାଲିକ ସଂଘର ସମ୍ପାଦକ ସୁଶାନ୍ତ ପଲେଇଙ୍କ କହିବା କଥା ପୂର୍ବରୁ ଯେଉଁ ନିୟମରେ ବସ୍‌ ଚଳାଚଳ କରୁଥିଲା, ସେଥିରେ ରାଜଧାନୀ ବସ୍‌ ମାଲିକ ସଂଘ କେଁ ପୂରାଇଛି ଓ ପରିବହନ କମିସନର ମଧ୍ୟ ନୂତନ ବସ୍‌କୁ ଏହି ରୁଟ୍‌ରେ ଚଳାଚଳ ପାଇଁ ଅନୁମତି ଦେଇ ନିଅାଁରେ ଘିଅ ଢ଼ାଳିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ପୂର୍ବ ବ୍ୟବସ୍ଥା ଅନୁସାରେ ସକାଳ ୯ଟା ପର୍ଯ୍ୟନ୍ତ ଆସିକା ପଟୁ କେବଳ ଆସିକା ବସ୍‌ ମାଲିକଙ୍କ ଗାଡ଼ି ଭୁବନେଶ୍ୱରକୁ ଚାଲୁଥିଲା ଓ ସେହିଭଳି ସକାଳ ୯ଟା ପର୍ଯ୍ୟନ୍ତ ଭୁବନେଶ୍ୱର ପଟୁ ଆସିକାକୁ ରାଜଧାନୀ ବସ୍‌ ମାଲିକମାନଙ୍କ ଗାଡ଼ି ଚଳାଚଳ କରୁଥିଲା। କିନ୍ତୁ ଏବେ ରାଜଧାନୀ ବସ୍‌ ମାଲିକ ସଂଘ ମନମାନି କରି ଅର୍ଥାତ୍‌ ଦୁଇ ସଂଘରେ କଥା ନ ପକାଇ ଆସିକା ପଟୁ ଭୋର୍‌ ସମୟରେ ଏକ ବସ୍‌ ଛାଡ଼ିବାକୁ ଅନୁମତି ଆଣିଛନ୍ତି। ପୁଣି ଆସିକା ବସ୍‌ ଛାଡ଼ିବାର ମାତ୍ର ୧୦ ମିନିଟ୍‌ ପୂର୍ବରୁ ଉକ୍ତ ବସ୍‌କୁ ଅନୁମତି ମିଳିଛି। ଫଳରେ ଆସିକା ବସ୍‌ଟି ବିପୁଳ କ୍ଷତି ସହୁଛି। ଏନେଇ ସେମାନେ ରାଜଧାନୀ ବସ୍‌ ମାଲିକ ସଂଘ ସହ ଭାଇଚାରା ନେଇ କଥାବାର୍ତ୍ତା କରିଥିଲେ ମଧ୍ୟ ସେମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଶ୍ରୀ ପଲେଇଙ୍କ କହିବା କଥା, ଭୁବନେଶ୍ୱରରେ ଆହୁରି ବି ବସ୍‌ ମାଲିକ ସଂଘ ରହିଛି ଓ ସେମାନେ ମିଳିମିଶି ଭାଇଚାରା ସମ୍ପର୍କ ନେଇ ବସ୍‌ ବେପାର କରୁଛନ୍ତି। କିନ୍ତୁ ରାଜଧାନୀ ବସ୍‌ ମାଲିକ ସଂଘ ଅନ୍ୟ ମାଲିକ ସଂଘର ଅନୁରୋଧକୁ କର୍ଣ୍ଣପାତ କରୁନାହିଁ। ତେଣୁ ବାଧ୍ୟ ହୋଇ ସମଗ୍ର ଗଞ୍ଜାମ ଜିଲ୍ଲା ୫ରୁ ଅଧିକ ବସ୍‌ ମାଲିକ ସଂଘ ଏକ ହୋଇ ରାଜଧାନୀ ବସ୍‌ ମାଲିକ ସଂଘ ବିରୋଧରେ ଲଢ଼ିବ। ଅପରପକ୍ଷେ ରାଜଧାନୀ ବସ୍‌ ମାଲିକ ସଂଘ ପାଲଟା ଅଭିଯୋଗ କରିଛି। ରାଜଧାନୀ ବସ୍‌ ମାଲିକ ସଂଘ ସମ୍ପାଦକ ତୁଷାର ଆଚାର୍ଯ୍ୟଙ୍କ କହିବା କଥା, ଯାତ୍ରୀମାନଙ୍କ ଚାହିଦାକୁ ନେଇ ପରିବହନ କମିସନର ନୂତନ ବସ୍‌ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି। ଫଳରେ ଆସିକା ବସ୍‌ ମାଲିକ ସଂଘ ପୂର୍ବରୁ ଚଳାଇ ଆସିଥିବା ମନମାନିରେ ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି। ଯାତ୍ରୀମାନଙ୍କୁ ଶୋଷଣ କରିବା ବାଟ ବନ୍ଦ ହୋଇଯାଇଛି। ତେଣୁ ରାଗରେ ଆସିକା ବସ୍‌ ମାଲିକ ସଂଘ ଏଭଳି ଯାତ୍ରୀ ହିନସ୍ତା ପଦକ୍ଷେପ ଗ୍ରହଣ କରିଛି। ସେମାନେ ପ୍ରଥମେ ଆସିକାରେ ବସ୍‌ ଅଟକାଇଛନ୍ତି ଓ ଆଜି ସନ୍ଧ୍ୟାରେ ପୁଣି ଭଂଜନଗର ମାଲିକ ସଂଘକୁ ପ୍ରବର୍ତ୍ତାଇ ଭୁବନେଶ୍ୱର ବସ୍‌ଗୁଡ଼ିକୁ ସେଠାରେ ଅଟକ ରଖିଛନ୍ତି। ବସ୍‌ ମାଲିକ ହୋଇନଥିବା କିଛି ବାହାର ଲୋକଙ୍କ କଥାରେ ପଡ଼ି ଆସିକା ବସ୍‌ ମାଲିକ ସଂଘ ଏଭଳି ଭୁଲ୍‌ କଥା କରୁଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି। ତେବେ ଏହାର ଜବାବରେ ରାଜଧାନୀ ବସ୍‌ ମାଲିକ ସଂଘ ସୋମବାର ଭଂଜନଗର ବସ୍‌ଗୁଡ଼ିକ ବନ୍ଦ କରିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର