ଆଜି ଅନ୍ତର୍ଜାତୀୟ ଲେଭେଲ୍‌ କ୍ରସିଂ ସଚେତନତା ଦିବସ

ପୂର୍ବତଟ ରେଳପଥ ଅଧୀନରେ ୧୧୩ଟି ଜଗୁଆଳିବିହୀନ ଲେଭେଲ୍‌ କ୍ରସିଂ

ଚନ୍ଦ୍ରଶେଖରପୁର: ୨୦୧୮-୧୯ ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ସମସ୍ତ ଜଗୁଆଳିବିହୀନ ରେଳଫାଟକକୁ ବନ୍ଦ କରିଦିଆଯିବ। ବର୍ତମାନ ସୁଦ୍ଧା କିନ୍ତୁ ଏହି ରେଳ ପରିସୀମା ମଧ୍ୟରେ ୮୬୬ଟି ଲେଭେଲ୍‌ କ୍ରସିଂ କାର୍ଯ୍ୟ କରୁଛି। ସେଥିମଧ୍ୟରୁ ୭୫୩ଟି ଜଗୁଆଳିଯୁକ୍ତ ହୋଇଥିବା ବେଳେ ୧୧୩ଟି ହେଉଛି ଜଗୁଆଳିବିହୀନ ଲେଭେଲ୍‌ କ୍ରସିଂ। ମାତ୍ର ଖୋର୍ଧା ରୋଡ୍‌ ଡିଭିଜନ୍‌ ଅଧୀନରେ ଥିବା ସମସ୍ତ ଜଗୁଆଳି ବିହୀନ ଲେଭେଲ୍‌ କ୍ରସିଂକୁ ପୂର୍ବତଟ ରେଳ ପକ୍ଷରୁ ବନ୍ଦ କରିଦିଆଯାଇଛି ଯାହାକି ପୂର୍ବତଟ ରେଳ ପାଇଁ ଏକ ସଫଳତାର ବିଷୟ ବୋଲି ପ୍ରକାଶ। ଆଜି ଅନ୍ତର୍ଜାତୀୟ ଲେଭେଲ୍‌ କ୍ରସିଂ ସଚେତନତା ଦିବସ ଅବସରରେ ପୂର୍ବତଟ ରେଳ ତଥା ଦେଶର ବିଭିନ୍ନ ରେଳ ମଣ୍ଡଳରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ପାଳନ କରାଯିବ। ତେବେ ସଚେତନତା କାରଣରୁ ପୂର୍ବତଟ ରେଳପଥ ଅଧୀନରେ ଶେଷ ୪ ବର୍ଷରେ କୌଣସି ଧନଜୀବନ ହାନି ଘଟିନାହିଁ। ଯାହାକି ସଫଳତାର ବିଷୟ ବୋଲି ପୂର୍ବତଟ ରେଳ ପକ୍ଷରୁ ପ୍ରକାଶ। ଭାରତୀୟ ରେଳରେ ମଧ୍ୟ ୨୦୧୪-୧୫ରୁ ବିଭିନ୍ନ ସଚେତନମୂଳକ କାର୍ଯ୍ୟକ୍ରମ କାରଣରୁ ଲେଭେଲ୍‌ କ୍ରସିଂ ଦୁର୍ଘଟଣାଜନିତ କ୍ଷୟକ୍ଷତି ହ୍ରାସ ପାଇବାରେ ଲାଗିଛି। ଜଗୁଆଳିବିହୀନ ଲେଭେଲ୍‌ କ୍ରସିଂରେ ପୂର୍ବତଟ ରେଳ ପକ୍ଷରୁ ଗେଟ୍‌ ମିତ୍ର ନିଯୁକ୍ତ କରାଯାଇଛି। ଓ୍ଵାଲ୍‌ଟିଅର୍‌ ଡିଭିଜନ୍‌, କୋରାପୁଟ-ରାୟଗଡ଼ା ଲାଇନ୍‌, ନୂଆପଡ଼ା-ଗୁଣୁପୁର ତଥା ଅନ୍ୟାନ୍ୟ ବିଭିନ୍ନ ରେଳ ଲାଇନ୍‌ରେ ଥିବା ଜଗୁଆଳି ବିହୀନ ରେଳ ଫାଟକୁ ଚଳିତ ମାସ ସୁଦ୍ଧା ସାମୟିକ ଭାବେ ବନ୍ଦ କରିଦିଆଯାଇଥିବା ପୂର୍ବତଟ ରେଳ ପକ୍ଷରୁ ପ୍ରକାଶ। ଲେଭେଲ୍‌ କ୍ରସିଂ ପାର ହେଉଥିବା ବେଳେ ଉଭୟ ପାର୍ଶ୍ୱକୁ ଭଲଭାବେ ଦେଖିବା, ଲେଭେଲ୍‌ କ୍ରସିଂ ଗେଟ୍‌ର କ୍ୟାରିଅର୍‌ ତଳେ ଯିବା ପାଇଁ ଆଦୌ ଚେଷ୍ଟା ନକରିବା ଆବଶ୍ୟକ ବୋଲି ପୂର୍ବତଟ ରେଳ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର