ଆଜି ଶୀତଳ ଷଷ୍ଠୀ: ହେଲାନି ମଙ୍ଗନ କେମିତି ହେବ ବିବାହ?

ପୁରୁଣା ଭୁବନେଶ୍ୱର: ସାଜସଜା ସରିଛି। ରଙ୍ଗବେରଙ୍ଗର ଅଲୋକ ମାଳାରେ ଝଲସୁଛି ଶ୍ରୀଲିଙ୍ଗରାଜ ମନ୍ଦିର ଓ ଆଖପାଖ ଅଞ୍ଚଳ। ତୋରଣ ବି ଲାଗିଛି। ବାଜା ବାଣ ବଇନା ଦିଆଯାଇଛି। ରାତି ପାହିଲେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଶୋଭାଯାତ୍ରାରେ ଯାଇ ମା’ ପାର୍ବତୀଙ୍କୁ ବିବାହ କରିବେ। ହଲେ ଆଜି ବିଳମ୍ବିତ ରାତି ସୁଦ୍ଧା ବିବାହ ପୂର୍ବର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ମଙ୍ଗନ’ ନୀତି ସଂପନ୍ନ ହୋଇ ପାରିଲାନି। ଏପରି କ୍ଷେତ୍ରରେ ରବିବାର କିପରି ବିବାହ କାର୍ଯ୍ୟ ସଂପନ୍ନ ହେବ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମନ୍ଦିର ପ୍ରଶାସନ ବିବାହ ହେବା ନେଇ ଦୃଢ଼ୋକ୍ତି ପ୍ରକାଶ କରୁଥିବା ବେଳେ ସେବାୟତମାନେ ଏଥିରେ ସହଯୋଗ ନକଲେ ଏହି ପରମ୍ପରା କିପରି ସଂପନ୍ନ ହେବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଦେବୋତ୍ତର ବିଭାଗ ସବୁ ଜାଣି ଚପ୍‌ ହୋଇ ବସି ଯାଇଥିବା ଶ୍ରଦ୍ଧାଳୁମାନେ ଅଭିଯୋଗ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦେଶ ପାଳନ ହେବା ନେଇ ଶ୍ରୀଲିଙ୍ଗରାଜଙ୍କ ସେବାୟତମାନେ ଅଡ଼ି ବସିଥିବାରୁ ଆଜି ଅପରାହ୍ଣ ପ୍ରାୟ ୫ଟାରୁ ଶ୍ରୀଲିଙ୍ଗରାଜଙ୍କ ନୀତି ବନ୍ଦ ରହିଛି। ତେବେ ଅତିରିକ୍ତ ଜିଲ୍ଲାପାଳ ବୈଠକ ଡାକି ସେବାୟତଙ୍କୁ ମନାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ତାହା ସଫଳ ହୋଇପାରି ନଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକ ଏହି ଘଟଣାରେ ପ୍ରଶାସନକୁ ଦାୟୀ କରି ଧାରଣା ଜାରି ରଖିଛନ୍ତି। ଶେଷ ସୂଚନା ଅନୁଯାୟୀ ରାତି ପ୍ରାୟ ୧୧ଟା ୪୦ରେ ମନ୍ଦିରରେ ତାଲା ପଡ଼ିଥିଲା।

ସେବାୟତଙ୍କୁ ମନେଇ ପାରିଲାନି ପ୍ରଶାସନ
ଚୁପ୍‌ ବସିଲା ଦେବୋତ୍ତର ବିଭାଗ
ଅପରାହ୍ଣ ୫ଟାରୁ ନୀତି ବନ୍ଦ
ରାତି ୧୧ଟା ୪୦ରେ ମନ୍ଦିରରେ ପଡ଼ିଲା ତାଲା

ସୂଚନା ଅନୁଯାୟୀ, ଆଜି ସକାଳୁ ଠାକୁରଙ୍କ ପରମ୍ପରା ବଜାୟ ରଖିବା ଓ ବିବାହ ନୀତି ସଂପନ୍ନ କରିବାକୁ କସରତ ଆରମ୍ଭ ହୋଇଥିଲା। ପୂର୍ବାହ୍ନରେ ଶୀତଳ ଷଷ୍ଠୀ କମିଟି ଆଇନ ମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଯାଇଥିଲା। ମାତ୍ର ମନ୍ତ୍ରୀଙ୍କ ମା’ଙ୍କ ପରଲୋକ ହୋଇଯାଇଥିବାରୁ ଏ ସଂପର୍କରେ ବିଶେଷ ଆଲୋଚନା ହୋଇ ପାରି ନଥିଲା। କେବଳ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଅପରାହ୍ଣ ୫ଟାରେ ସେବାୟତଙ୍କ ଦ୍ଵାରା ମନ୍ଦିରରେ ନୀତି ବନ୍ଦ କରାଯାଇଥିଲା। ଫଳରେ ଆଜି ମଙ୍ଗନ କାର୍ଯ୍ୟ ହୋଇ ପାରି ନଥିଲା। ସାହାଣମେଲା ଦର୍ଶନ ପରେ ମହାପ୍ରଭୁଙ୍କୁ ବେଶ କରାଯାଇଥିଲା। ଆଡ଼କାଠ ଦର୍ଶନ ଚାଲୁ ରହିଥିବା ବେଳେ ବଲ୍ଲଭ, ଦ୍ଵିପ୍ରହର ଧୂପ ହେବାର ଥିଲା। ହେଲେ ସେବାୟତମାନେ ପୂର୍ବ ଘୋଷଣା ଅନୁଯାୟୀ ନୀତି କରି ନଥିଲେ। ହାଇକୋର୍ଟଙ୍କ ନିର୍ଦେଶ ପାଳନ ହେଉ ନଥିବାରୁ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ସେବାୟତ କାର୍ଯ୍ୟରେ ଯୋଗ ଦେଇ ନଥିଲେ। ଏଥି ପାଇଁ ଆଇନମନ୍ତ୍ରୀ ଓ ଦେବୋତ୍ତର ବିଭାଗ ଦାୟୀ ବୋଲି ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ନାରାୟଣ ପତି ଓ ପୂଜାପଣ୍ଡା ନିଯୋଗର ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା କହିଥିଲେ। ହାଇକୋର୍ଟଙ୍କ ନିର୍ଦେଶ ପାଳନ ହୋଇ ନଥିବାରୁ ସେବାରେ ଯୋଗ ଦେଲୁ ନାହିଁ ବୋଲି ସେମାନେ କହିଥିଲେ। ଏପଟେ ସନ୍ଧ୍ୟାରେ ଏକ ଜରୁରୀ ବୈଠକ ଡକାଯାଇଥିଲା। ଏଥିରେ ଟ୍ରଷ୍ଟ ବୋର୍ଡର ସଭ୍ୟ ଓ ଶୀତଳ ଷଷ୍ଠୀ କମିଟିର ସଭ୍ୟମାନେ ଉପସ୍ଥିତ ଥିଲେ। ୩୦ ତାରିଖ ମଧ୍ୟରେ ହାଇକୋର୍ଟଙ୍କ ନିର୍ଦେଶ ପାଳନ ପାଇଁ ଉଦ୍ୟମ କରାଯିବା ସହିତ ଶିବ ବିବାହ ଓ ଶୀତଳ ଷଷ୍ଠୀ ଯାତ୍ରା ହେବ ବୋଲି ଏଥିରେ ଘୋଷଣା କରାଯାଇଥିଲା। ଅନ୍ୟପକ୍ଷରେ ପ୍ରଶାସନକୁ ଦାୟୀ କରି ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ଧାରଣା ଜାରି ରହିଛି। ରାଜ୍ୟ ସରକାରଙ୍କ ଉଦାସୀନତା ଓ ଅପାରଗତା ଯୋଗୁଁ ଶିବ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା ବନ୍ଦ ହେବା ଆଶଙ୍କା ଦେଖା ଦେଇଛି ବୋଲି ବହୁ ସେବାୟତ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଲୋକ ପ୍ରତିନିଧି କାହିଁକି ଚପ୍‌ ବସିଛନ୍ତି ବୋଲି ବରିଷ୍ଠ ସେବାୟତ ଶରତ ପଣ୍ଡା ପ୍ରଶ୍ନ କରିଛନ୍ତି।

ମଙ୍ଗନରେ ନିମନ୍ତ୍ରିତ ହେଲେନି ଅଷ୍ଟଚଣ୍ଡୀ
ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ ରବିବାର। ଏଥି ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ଓ କେଦାରଗୌରୀ ମନ୍ଦିରରେ ପ୍ରସ୍ତୁତି ଶେଷ ହୋଇଛି। ମାତ୍ର ଶ୍ରୀଲିଙ୍ଗରାଜ ମନ୍ଦିରରେ ଆଜି ମଙ୍ଗନ ବିଧି ହୋଇନାହିଁ। ମନ୍ଦିରରେ ସନ୍ଧ୍ୟା ଧୂପ ପରେ ଅଷ୍ଟଚଣ୍ଡୀଙ୍କୁ ନିମନ୍ତ୍ରଣ କରାଯାଇଥାଏ। ଏକାମ୍ର କ୍ଷେତ୍ରରେ ବିଭିନ୍ନ ସ୍ଥାନରେ ଥିବା ଅଷ୍ଟ ଦେବୀ ଯଥା ମଠ କପଳୀ ଠାକୁରାଣୀ, ମହନୀ ଠାକୁରାଣୀ, ଆଖଡ଼ା ଚଣ୍ଡୀ ଠାକୁରାଣୀ, ରାମାୟଣୀ ଠାକୁରାଣୀ, କପାଳୀ ଠାକୁରାଣୀ, ଉତ୍ତରାୟଣୀ ଠାକୁରାଣୀ, ଗୌରୀ ଠାକୁରାଣୀ, ଅମ୍ବିକେ ଠାକୁରାଣୀ ଓ ଦ୍ଵାରବାସିନୀ ଠାକୁରାଣୀଙ୍କୁ ବିବାହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଏ। ବିଧି ମୁତାବକ ରବିବାର ରାତି ୧୧ଟା ସୁଦ୍ଧା ବରଯାତ୍ରୀ ମନ୍ଦିରରୁ ବାହାରି ବଢ଼େଇବାଙ୍କ ଛକ, ତିନିମୁଣ୍ଡିଆ ଛକ, ଏକାମ୍ର ବନ ନିକଟ ଦେଇ ଯାତ୍ରା କରିବାର ଥିଲା। ରାତି ୧୨ଟାରୁ ସାଢ଼େ ୩ଟା ମଧ୍ୟରେ ଦେବଦେବୀଙ୍କ ହାତଗଣ୍ଠି ପଡ଼ିବା କାର୍ଯ୍ୟକ୍ରମ ଥିଲା। ମାତ୍ର ଏହି ନୀତି ନିର୍ଧାରିତ ସମୟରେ କିପରି ସଂପନ୍ନ ହେବ ତାହା ଏବେ ଅନିଶ୍ଚିତତାରେ ରହିଛି। ସେପଟେ କେଦାରଗୌରୀ ମନ୍ଦିରରେ ଆଜି ଅଷ୍ଟପ୍ରହର ନାମଯଜ୍ଞ ହେବା ସହ ମଙ୍ଗନ କାର୍ଯ୍ୟ କରାଯାଇଛି। ପୂଜା କାର୍ଯ୍ୟ ଆରମ୍ଭ ପାଇଁ କଳସ ସ୍ଥାପନ କରାଯାଇଛି। ଏହି ଅବସରରେ କେଦାରଗୌରୀ ଅଷ୍ଟପ୍ରହରୀ ନାମଯଜ୍ଞ ଓ ଶୀତଳ ଷଷ୍ଠୀ ସାଂସ୍କୃତିକ ପରିଷଦ ପକ୍ଷରୁ ମନ୍ଦିର ସମ୍ମୁଖରେ ସମ୍ବଲପୁରୀ ଭଜନ ଅନୁଷ୍ଠିତ ହୋଇଛି।

ପାରମ୍ପରିକ ବାଦ୍ୟ ପ୍ରସ୍ତୁତ
ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା ଚଳିତ ବର୍ଷ ଅଧିକ ଆକର୍ଷଣୀୟ କରାଯିବା ପାଇଁ ପ୍ରସ୍ତୁତି କରାଯାଇଛି ବୋଲି କମିଟିର ସଭାପତି ସୁରେଶ କୁମାର ରାଉତରାୟ କହିଛନ୍ତି। ଚଳିତ ବର୍ଷ ନବଦମ୍ପତି ଗୋସାଗରେଶ୍ୱର ଛକ ନିକଟ ଶୀତଳ ଷଷ୍ଠୀ ରାସ୍ତା, ତିନି ମୁଣ୍ଡିଆ ଛକ, ବଢ଼େଇବାଙ୍କ ଛକ, ମହାଖଳା ଛକ ମଧ୍ୟ ଦେଇ ନଗର ପରିକ୍ରମା କରିବେ। ଯାତ୍ରାରେ ଚଳିତ ବର୍ଷ ଘଣ୍ଟ, ସମ୍ବଲପୁରୀ, ଦୁଲ୍‌ଦୁଲି, ଗଞ୍ଜାମ ଯୋଡ଼ି ଶଙ୍ଖ, ଢୋଲ ମହୁରି, ବନ୍ୟ ଜନ୍ତୁ ବେଶ, କଣ୍ଢେଇ, ଘୋଡ଼ା ନାଚ, ମୟୂରଭଞ୍ଜ ଛଉ, ଡୋଲ ମାଦଳ, ମହିଳା କଳସ ନୃତ୍ୟ, ଦେବଦେବୀ ବେଶ, ବନାଟି ସହିତ ବିଭିନ୍ନ ଜିଲ୍ଲାର ପାରମ୍ପରିକ ବାଦ୍ୟ ଓ ସଂଗୀତ ପରିବେଷଣ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ସେହିପରି ଉକ୍ତ ଦିନ ଲିଙ୍ଗରାଜ ଭଜନ ମଣ୍ଡପଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ତେବେ ମହାପ୍ରଭୁ ଚାହିଁଲେ ଯାତ୍ରା ଠିକଣା ଭାବେ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର