ସନ୍ଧ୍ୟାରେ ମଙ୍ଗନ ରାତିରେ ବାହାଘର

ପୁରୁଣା ଭୁବନେଶ୍ୱର: ବାଦ ବିବାଦର ଅନ୍ତ ଘଟିଛି। ସନ୍ଧ୍ୟାରେ ମଙ୍ଗନ ପରେ ବିଳମ୍ବିତ ରାତିରେ ଠାକୁରଙ୍କ ହାତ ଗଣ୍ଠି ପଡ଼ିଛି। ସମ୍ପନ୍ନ ହୋଇଛି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ ନୀତି। ମୁରବିମାନଙ୍କ ଦିନତମାମ କସରତ ଏବଂ ଅତିରିକ୍ତ ଜିଲ୍ଲାପାଳ ବୈଠକ କରି ସେବାୟତଙ୍କୁ ମନାଇବା ପରେ ପ୍ରଭୁ ବାହାବେଦିରେ ବସିଥିଲେ। ଆସନ୍ତା ୩୦ ତାରିଖ ସୁଦ୍ଧା ଉଚ୍ଚ ନ୍ୟାୟାଳୟର ନିର୍ଦେଶ ପାଳନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଲିଖିତ ପ୍ରତିଶ୍ରୁତି ଦେବା ପରେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ କାର୍ଯ୍ୟରେ ଯୋଗ ଦେଇଥିଲେ। ଫଳରେ ମନ୍ଦିରରେ ଦୈନନ୍ଦିନ ନୀତି ସମ୍ପନ୍ନ ସହ ସନ୍ଧ୍ୟା ସାଢ଼େ ୭ଟାରେ ମଙ୍ଗନ ହୋଇଥିଲା। ତେବେ ସମସ୍ତ ନୀତି ସରିବାରେ ବିଳମ୍ବ ହେବାରୁ ରାତି ପ୍ରାୟ ୧୧ଟା ୧୫ରେ ଠାକୁର ବରଯାତ୍ରୀଙ୍କ ସହ ମନ୍ଦିରରୁ ବାହାରିଥିଲେ। ପ୍ରକାଶଯୋଗ୍ୟ, ଗତକାଲି ଉଚ୍ଚ ନ୍ୟାୟାଳୟ ନିର୍ଦେଶ ପାଳନ ପାଇଁ ଦାବି କରି ସେବାୟତମାନେ ନିଜ ଜିଦରେ ଅଟଳ ରହିଥିଲେ। କାର୍ଯ୍ୟରେ ଯୋଗ ନ ଦେବାରୁ ଅପରାହ୍ନ ୫ଟାରୁ ନୀତି ବନ୍ଦ ରହିଥିଲା। ଫଳରେ ମନ୍ଦିରରେ ମଙ୍ଗନ କାର୍ଯ୍ୟ ହୋଇ ପାରିନଥିଲା। ସେପଟେ ଜିଲ୍ଲାପାଳଙ୍କ ପରେ ଅତିରିକ୍ତ ଜିଲ୍ଲାପାଳ ବୈଠକ କରି ପୁଣି ସେବାୟତଙ୍କୁ ମନାଇବାକୁ ଉଦ୍ୟମ କରି ମଧ୍ୟ କିଛି ଫଳପ୍ରଦ ହୋଇନଥିଲା।

ବିଳମ୍ବିତ ରାତିରେ ପଡ଼ିଲା ହାତଗଣ୍ଠି
କାର୍ଯ୍ୟରେ ଯୋଗଦେଲେ ଦୁଇ ନିଯୋଗ
୩୦ ତାରିଖ ସୁଦ୍ଧା ହାଇକୋର୍ଟ ନିର୍ଦେଶ ପାଳିବାକୁ ଲିଖିତ ପ୍ରତିଶ୍ରୁତି

ସୋମବାର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେବ। ନବଦମ୍ପତି କେଦାରଗୌରୀ ମନ୍ଦିରରୁ ବାହାରି ଗୋସାଗରେଶ୍ୱର ଛକ ନିକଟ ଶୀତଳଷଷ୍ଠୀ ରାସ୍ତା, ତିନି ମୁଣ୍ଡିଆ ଛକ, ବଢ଼େଇବାଙ୍କ ଛକ, ମହାଖଳା ଛକ ମଧ୍ୟ ଦେଇ ନଗର ପରିକ୍ରମା କରିବେ। ବଡ଼ଦାଣ୍ଡକୁ ପାରମ୍ପାରିକ ଚିତାରେ ସୁସଜ୍ଜିତ କରାଯାଇଥିବା ବେଳେ ଆଲୋକମାଳାରେ ସଜାଯାଇଛି। ଭୁବନେଶ୍ୱର ଶୀତଳଷଷ୍ଠୀ କମିଟି ପକ୍ଷରୁ ଶୀତଳଷଷ୍ଠୀ ଯାତ୍ରାରେ ଚଳିତ ବର୍ଷ ଘଣ୍ଟ, ସମ୍ବଲପୁରୀ, ଦୁଲଦୁଲି, ଗଞ୍ଜାମ ଯୋଡ଼ି ଶଙ୍ଖ, ଢ଼ୋଲ ମହୁରୀ, ବନ୍ୟ ଜନ୍ତୁ ବେଶ, କଣ୍ଢେଇ, ଘୋଡ଼ା ନାଚ, ମୟୂରଭଞ୍ଜ ଛଉ, ଢୋଲ, ମାଦଳ, ମହିଳା କଳସ ନୃତ୍ୟ, ଦେବଦେବୀ ବେଶ, ବନାଟି ଦେଖିବାକୁ ମିଳିବ। ଏଥିସହ ଶ୍ରୀଲିଙ୍ଗରାଜ ଭଜନ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି କମିଟିର ସଭାପତି ସୁରେଶ କୁମାର ରାଉତରାୟ କହିଛନ୍ତି।

ଶୀତଳଷଷ୍ଠୀ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଶୀତଳଷଷ୍ଠୀ ଯାତ୍ରା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ୧୦ ପ୍ଲାଟୁନ୍‌ ପୁଲିସ, ୮ ଜଣ ଆଇଆଇସି, ୪ଜଣ ଏସିପି, ୪ଜଣ ଏଡିସିପି ସହ ସାଦା ପୋଷାକଧାରୀ ମଧ୍ୟ ରହିବେ। ମିଳିଥିବା ସୂଚନା ଅନୁଯାୟୀ, ପ୍ରତ୍ୟେକ ପ୍ରଶାସନ ନୃତ୍ୟ ଦଳ ସହ ଜଣେ ଲେଖାଏଁ ଆଇଆଇସି, ଏସ୍‌ଆଇ, ଏଏସ୍‌ଆଇ ରହିବେ। ସେହିପରି ଯାତ୍ରାରେ ସବୁ ଛକଠାରେ ପୁଲିସ ଫୋର୍ସ ରଖାଯିବ। ଠାକୁରଙ୍କ ନେବା ବେଳେ କଡ଼ର୍ନ କରି ନିଆଯିବ। ସେହିପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କଲେ କିମ୍ବା ନିଶା ସେବନ କରି ଯାତ୍ରାରେ ସାମିଲ ହେଲେ ପୁଲିସ ସଙ୍ଗେ ସଙ୍ଗେ ପଦକ୍ଷେପ ନେବ ବୋଲି କୁହାଯାଇଛି। ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ନୀତି ନିର୍ଘଣ୍ଟ ମନ୍ଦିରରେ ମଙ୍ଗଳ ଆଳତୀ ଓ ଅବକାଶ ସକାଳ ୬ଟାରେ ହେବା ପରେ କେଦାର ଗୌରୀ ମନ୍ଦିରରେ ୭ଟାରୁ ସାଢ଼େ ୭ଟା ମଧ୍ୟରେ ହେବ। ସାହାଣ ମେଲା ଦର୍ଶନ ସକାଳ ୭ଟାରୁ ସାଢ଼େ ୯ଟା ସେହିପରି ପୁଣି ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ହେବ। ସେହିପରି ମନ୍ଦିରରେ ସନ୍ଧ୍ୟା ଧୂପ ହେବା ପରେ କେଦାରଗୌରୀ ମନ୍ଦିରରେ ସନ୍ଧ୍ୟା ଧୂପ ହେବ। ରାତି ୯ଟାରୁ ସାଢ଼େ ୯ମଧ୍ୟରେ ସାହାଣ ମେଲା ଦର୍ଶନ ପରେ ନବ ଦମ୍ପତି ବାହାରିବାର କାର୍ଯ୍ୟକ୍ରମ ରହିଛି।

ଆଜି ଶୀତଳଷଷ୍ଠୀ ମୁରବିଙ୍କ ଉଦ୍ୟମକୁ ପ୍ରଶଂସା
ଗତକାଲି ନୀତି ବନ୍ଦ ସହ ମଙ୍ଗନ ହୋଇ ପାରିନଥିବା ବେଳେ ଆଜି ପୂର୍ବାହ୍ନରେ ସମାନ ଅବସ୍ଥା ଉପୁଜିିଥିଲା। ତେବେ ସକାଳୁ ମୁରବିମାନେ ଦୁଇ ନିଯୋଗକୁ ମନାଇବା ପାଇଁ ମଧ୍ୟାହ୍ନ ୧୨ଟାରେ ବୈଠକ ଡାକିଥିଲେ। ଶୀତଳଷଷ୍ଠୀ କମିଟି ସଭାପତି ସୁରେଶ କୁମାର ରାଉତରାୟ ସମସ୍ତ ସେବାୟତ ଓ ଟ୍ରଷ୍ଟ ବୋର୍ଡର ସଭ୍ୟଙ୍କୁ ଡାକି ବୈଠକ କରି ଠାକୁରଙ୍କ ବିବାହ କାର୍ଯ୍ୟରେ ଯୋଗଦେବାକୁ ଅନୁରୋଧ କରିଥିଲେ। ପୁଣି ଅତିରିକ୍ତ ଜିଲ୍ଲାପାଳ ହାଇକୋର୍ଟ ନିର୍ଦେଶ ପାଳନ ହେବା ନେଇ ଲିଖିତ ପ୍ରତିଶ୍ରୁତି ରଖିଥିଲେ। ପରେ ପ୍ରାୟ ୩ଟାରେ ଦୁଇ ନିଯୋଗ କାର୍ଯ୍ୟରେ ଯୋଗ ଦେଇଥିଲେ।

ଧାରଣାରୁ ଉଠିଲା ଏକାମ୍ର ଜନ ଜାଗରଣ ମଞ୍ଚ
ଠାକୁରଙ୍କ ପରମ୍ପରା ଭଙ୍ଗ ଏବଂ ଉଚ୍ଚନ୍ୟାୟାଳୟ ନିର୍ଦେଶ ପାଳନ ହେଉନଥିବାରୁ ସ୍ଥାନୀୟ ଲୋକ ଏହି ଘଟଣାରେ ପ୍ରଶାସନକୁ ଦାୟୀ କରି ଅହୋରାତ୍ର ଧାରଣା ଦେଇଥିଲେ। ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ଦୁଇ ଦିନ ଧରି ଧାରଣା ଦିଆଯାଇଥିଲା। ଆଜି ହାଇକୋର୍ଟ ନିର୍ଦେଶ ପାଳନ ହେବା ପ୍ରତିଶ୍ରୁତି ମିଳିବା ପରେ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକ ଓ ସଭ୍ୟମାନେ ଧାରଣାରୁ ଉଠିଥିଲେ।

ନିମନ୍ତ୍ରିତ ହେଲେ ଅଷ୍ଟଚଣ୍ଡୀ
ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ ଆଜି ମଧ୍ୟ ରାତିରେ ହେବା ପରମ୍ପରା ଥିବା ବେଳେ ମଙ୍ଗନ କାର୍ଯ୍ୟ ଆଜି ହୋଇଥିଲା। ଏକାମ୍ର କ୍ଷେତ୍ରରେ ବିଭିନ୍ନ ସ୍ଥାନରେ ଥିବା ଅଷ୍ଟଦେବୀ ଯଥା ମଠ କପଳୀ ଠାକୁରାଣୀ, ମହନୀ ଠାକୁରାଣୀ, ଆଖଡ଼ାଚଣ୍ଡୀ ଠାକୁରାଣୀ, ରାମାୟଣୀ ଠାକୁରାଣୀ, କପାଳୀ ଠାକୁରାଣୀ, ଉତ୍ତରାୟଣୀ ଠାକୁରାଣୀ, ଗୌରୀ ଠାକୁରାଣୀ, ଅମ୍ବିକେ ଠାକୁରାଣୀ, ଓ ଦ୍ଵାରବାସିନୀ ଠାକୁରାଣୀଙ୍କୁ ବିବାହରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଥିଲା। ସେବାୟତମାନେ ଫୁଲ, ଚନ୍ଦନ, ବେଲପତ୍ର, ଠାକୁରଙ୍କ ମହାପ୍ରସାଦକୁ ସମର୍ପଣ କରି ନିମନ୍ତ୍ରଣ କରିଥିଲେ। ମନ୍ଦିରରେ ନୀତି ପରେ ପାରମ୍ପରିକ ବାଦ୍ୟ ରୋଷଣି ମଧ୍ୟରେ ବିଳମ୍ବିତ ରାତିରେ ବରଯାତ୍ରୀ ଦଳ କେଦାରଗୌରୀ ମନ୍ଦିରକୁ ଯାଇଥିଲେ।

ମଧ୍ୟାହ୍ନ ଯାଏଁ ଉପାସ ରହିଲେ ଠାକୁର
ଆଜି ଥିଲା ଠାକୁରଙ୍କ ବିବାହ ତିଥି। ତେବେ ସେବାୟତଙ୍କ ନୀତି ବନ୍ଦ ଯୋଗୁଁ ସକାଳୁ କୌଣସି ନୀତି ହୋଇନଥିଲା। ୩ଟାରେ ସେବାୟତ କାର୍ଯ୍ୟରେ ଯୋଗ ଦେଇ ମନ୍ଦିରରେ ମଙ୍ଗଳ ଆଳତି ଅବକାଶ କରିଥିଲେ। ସାହାଣମେଲା ଦର୍ଶନ ପରେ କୋଠରୋଷ, ଧୋପକାଳ, ମହାସ୍ନାନ, ବଲ୍ଲଭ କରାଯିବା ପରେ ଦ୍ଵିପ୍ରହର ଧୂପ କରାଯାଇଥିଲା। ତେଣୁ ପ୍ରଭୁଙ୍କୁ ମଧ୍ୟାହ୍ନ ଯାଏଁ ଉପାସ ରହିବାକୁ ପଡ଼ିଥିଲା। ଠାକୁରଙ୍କ ଶଙ୍କୁଡ଼ି ଭୋଗ ମନ୍ଦିରରେ ଦେବଦେବୀଙ୍କୁ ଅର୍ପଣ ପରେ ଅଷ୍ଟଚଣ୍ଡୀଙ୍କୁ ନିମନ୍ତ୍ରଣ କରିବାକୁ ସେବାୟତମାନେ ଯାଇଥିଲେ।

ସମ୍ବନ୍ଧିତ ଖବର