ଆଜି ଶ୍ରାବଣ ସୋମବାର କାଉଡ଼ିଆଙ୍କ ଭିଡ଼

ପୁରୁଣା ଭୁବନେଶ୍ୱର: ଆସନ୍ତାକାଲି ଶ୍ରାବଣ ସୋମବାର। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଜଳାଭିଷେକ କରିବା ପାଇଁ ଏକାମ୍ର କ୍ଷେତ୍ରରେ ଆଜିଠାରୁ କାଉଡ଼ିଆଙ୍କ ଭିଡ଼ ଜମିବାରେ ଲାଗିଛି। କଟକ ଗଡ଼ଗଡ଼ିଆ ଘାଟ ଓ ବାଙ୍କୀରୁ ତୀର୍ଥଜଳ ଆଣି କାଉଡ଼ିଆମାନେ ଏକାମ୍ର କ୍ଷେତ୍ରରେ ପହଞ୍ଚିବାରେ ଲାଗିଛନ୍ତି। ସେମାନେ କେଦାରଗୌରୀ ମନ୍ଦିର, ଭଜନମଣ୍ଡପ ଓ ସିଂହଦ୍ଵାର ନିକଟରେ ଅପେକ୍ଷା କରିଛନ୍ତି। ଭୋରୁଭୋରୁ ମନ୍ଦିର ଖୋଲିବା ପରେ ମହାଦେବଙ୍କୁ ଜଳଲାଗି କରିବେ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଜି ରାତିରେ ମନ୍ଦିରରେ ବାଇଶି ପାହାଚଠାରୁ ସିଂହଦ୍ଵାର ପର୍ଯ୍ୟନ୍ତ ବ୍ୟାରିକେଡ୍‌ ବନ୍ଧା ଯାଇଛି। ବିଳମ୍ବିତ ରାତିରେ ଆଡ଼କାଠରୁ ଗର୍ଭଗୃହକୁ ପିତଳର ନଳ ବନ୍ଧାଯିବ। ମନ୍ଦିର କାର୍ଯ୍ୟନିର୍ବାହୀ ଏହାର ଅନୁଧ୍ୟାନ କରିଛନ୍ତି। କାଉଡ଼ିଆଙ୍କ ଜଳଲାଗି ପରେ ମନ୍ଦିର ପରିସର ଯେପରି ସଙ୍ଗେ ସଙ୍ଗେ ସଫେଇ ହେବ, ସେଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଭୋର୍‌ ସାଢ଼େ ୩ଟାରେ ମନ୍ଦିରରେ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯାଇ ୪ଟାରେ ସାହାଣମେଲା ଦର୍ଶନ ଓ ଜଳଲାଗି ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ ଶ୍ରୀଲିଙ୍ଗରାଜ ଭଜନ ମଣ୍ଡପଠାରେ ଅହୋରାତ୍ର ଭଜନ ପରିବେଷଣ ଆୟୋଜନ କରାଯାଇଛି।

ରାତି ସାରା ବର୍ଷାରେ ଭିଜିଲେ
ଆସନ୍ତାକାଲି ଶ୍ରାବଣ ସୋମବାର ପାଇଁ ଏକାମ୍ର କ୍ଷେତ୍ରରେ ଭିଡ଼ ଜମାଉଥିବା କାଉଡ଼ିଆମାନେ ଆଜି ସଂଧ୍ୟାର ପ୍ରବଳ ବର୍ଷାରେ ସଂପୂର୍ଣ୍ଣ ଭିଜି ଯାଇଛନ୍ତି। ଶିଶୁଙ୍କଠାରୁ ଆରମ୍ଭ କରି ମହିଳା କାଉଡ଼ିଆ, ସମସ୍ତେ ସାରା ରାତି ବର୍ଷାରେ ଭିଜିଥିଲେ। ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ସେମାନେ ଆଶ୍ରୟ ଖୋଜିଥିଲେ। କିଛି ଭଜନ ମଣ୍ଡପ, ଲିଙ୍ଗରାଜ ମାର୍କେଟ୍‌ ବିଲଡିଂରେ ଆଶ୍ରୟ ନେଇଥିଲେ ହେଁ ଶହ ଶହ କାଉଡ଼ିଆ କୌଣସି ସ୍ଥାନ ନ ପାଇ ବର୍ଷାରେ ଭିଜିଥିବା ଜଣାଯାଇଛି। ବିଶେଷକରି ଶିଶୁ ଓ ମହିଳା କାଉଡ଼ିଆମାନେ ବେଶି ସମସ୍ୟା ଭୋଗିଥିଲେ। ଏପରି ସ୍ଥିତିକୁ ଏଡ଼ାଇବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ମନ୍ଦିର ସମ୍ମୁଖରେ ଟିଣ ସେଡିଂ ପାଇଁ ୬ ମାସ ତଳେ ଶୁଭ ଦିଆଯାଇଥିଲା। କିନ୍ତୁ ଏଯାବତ୍‌ କାମ ଶେଷ ହୋଇନାହିଁ।

ସମ୍ବନ୍ଧିତ ଖବର