୧୫ଶହ ଷଣ୍ଢ, ୪୦ହଜାର କୁକୁରଙ୍କୁ ଆଜିଠୁ ଦିଆଯିବ ଖାଦ୍ୟ

ଭୁବନେଶ୍ବର: ରାଜଧାନୀରେ ଥିବା ୧୫ଶହ ଷଣ୍ଢ ଓ ବୁଲା ଗୋରୁ, ୪୦ହଜାର କୁକୁର ଏବେ ଖାଦ୍ୟ ନପାଇ ଆଉଟୁପାଉଟୁ ହେଉଛନ୍ତି। ୧୦ରୁ ଅଧିକ କୁକୁର ବିଭିନ୍ନ ଜାଗାରେ ମରି ପଡ଼ିଲେଣି। ଆଉ କିଛି କୁକୁର ଭୋକରେ ଦିନ ଦୁଇଦିନରେ ମରିବା ସ୍ଥିତିରେ ପହଞ୍ଚିଲେଣି। ଷଣ୍ଢ ଓ ଗାଈ ଯେଉଁଠି ଶୋଉଛନ୍ତି, ସେଠାରୁ ଉଠି ପାରୁନାହାନ୍ତି। କିଛି କୁକୁର ତ ପାଗଳ ହୋଇ କାମୁଡ଼ିବାକୁ ଗୋଡ଼ାଇଲେଣି। ଏ ପରିସ୍ଥିତିରେ ବିଏମ୍‌ସି ବୁଧବାରଠାରୁ ଏମାନଙ୍କୁ ଖାଦ୍ୟ ଦେବାକୁ ଯୋଜନା କରୁଛି। ଲକ୍‌ଡାଉନ୍‌କୁ ୭ଦିନ ବିତି ଯାଇଥିବା ବେଳେ ବିଏମ୍‌ସି ମୁଣ୍ଡରେ ଏବେ ବୁଲା ଗୋରୁ ଓ କୁକୁରଙ୍କ କଥା ପଶିଛି। ତାହା ପୁଣି ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ।

ବିଏମ୍‌ସି ପକ୍ଷରୁ ନିଷ୍ପତ୍ତି ହୋଇଛି ଯେ, ରାଜ୍ୟ ସରକାର ଦିନକୁ ଯେଉଁ ୨୦ହଜାର ଟଙ୍କା ବୁଲା କୁକୁର ଓ ଗୋରୁଙ୍କ ଖାଇବା ପାଇଁ ଦେବେ ସେଥିରୁ ୮ହଜାର ଟଙ୍କା ଷଣ୍ଢ ଓ ବୁଲା ଗୋରୁ ଏବଂ ୧୨ହଜାର ଟଙ୍କା କୁକୁରଙ୍କ ପାଇଁ ଖର୍ଚ୍ଚ ହେବ। ଗଳିକନ୍ଦିରେ କୁକୁର ଓ ଷଣ୍ଢ ବୁଲୁଥିବାରୁ ରାଜଧାନୀର ୨୦୦ଟି ସ୍ଥାନରେ ଖାଦ୍ୟ ବଣ୍ଟା ହେବ। ମୁଖ୍ୟତଃ ଖେଚୁଡି ରନ୍ଧା ହୋଇ କୁକୁର ଓ ଷଣ୍ଢଙ୍କୁ ଦିଆଯିବ। ସୂଚନାଯୋଗ୍ୟ, ବୁଲା କୁକୁର ଓ ଗୋରୁଙ୍କୁ ଖାଇବାକୁ ଦେବାକୁ ରାଜ୍ୟ ସରକାର ବିଏମ୍‌ସିକୁ ୩ଲକ୍ଷ ୬୦ହଜାର ଟଙ୍କା ଦେଇଛନ୍ତି। ୧୮ଦିନ ପର୍ଯ୍ୟନ୍ତ ଖାଇବାକୁ ଦେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର