ଆଜିଠୁ ୭ ପେଣ୍ଡାଲ୍‌ରେ ଯାତ୍ରା

ଭୁବନେଶ୍ବର: ଖଣ୍ଡଗିରି ଯାତ୍ରା ମଇଦାନର ଦ୍ବିତୀୟ ପର୍ଯ୍ୟାୟ ଲଢ଼େଇ ଆଜିଠୁ ଆରମ୍ଭ ହୋଇଛି। ଆସନ୍ତାକାଲି ଯୋଡ଼ିହେବ ଆଉ ୨ ଯାତ୍ରା ଦଳ। ଯାତ୍ରାଶ୍ରୀ ବିଶ୍ବଦରବାର, ଇନ୍ଦ୍ରମହଲ, ତୁଳସୀ ଗଣନାଟ୍ୟ, କଳିଙ୍ଗ ଗଣନାଟ୍ୟ ଗତକାଲି ସାମିଲ୍‌ ହୋଇଥିବା ବେଳେ ରଙ୍ଗମହଲ ୧୭ରୁ ସାମିଲ୍‌ ହୋଇ ନାଟକ ପରିବେଷଣ କରୁଛି। ଆଜି ୫ଟି ପେଣ୍ଡାଲ୍‌ରେ ଯାତ୍ରା ଦେଖିବାକୁ ମିଳିଥିବା ବେଳେ ଆସନ୍ତାକାଲି ସାମିଲ୍‌ ହେବେ କୋଣାର୍କ ଗଣନାଟ୍ୟ ଏବଂ ସଚ୍ଚିଦାନନ୍ଦ। ତେଣୁ ଆସନ୍ତାକାଲିଠୁ ଯାତ୍ରା ମଇଦାନରେ ୭ଟି ଯାତ୍ରା ଦଳ ନାଟକ ମଂଚସ୍ଥ କରିବେ।

ଆସନ୍ତାକାଲି ଜାଗମରା ମେଳଣ ପଡ଼ିଆରେ ଯାତ୍ରା ସଚ୍ଚିଦାନନ୍ଦ ‘ରେପ୍‌ ଆଣ୍ଡ୍‌ ମର୍ଡର’ ନାଟକ ନେଇ ମଇଦାନକୁ ଓହ୍ଲାଇବ ବୋଲି ଖଣ୍ଡଗିରି ସାଂସ୍କୃତିକ ପରିଷଦର ମହେନ୍ଦ୍ର ଗୁରୁ ସୂଚନା ଦେଇଛନ୍ତି। ବିଶେଷକରି ଓଡ଼ିଆ ଧାରାବାହିକର ପରିଚିତ ମୁହଁ ଚନ୍ଦନ-ଲିସାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏଥିସହ ସଂଜୟ ଭୋଳ, ସୁଜୟ-ମିନୁ, ସିନେ କମେଡିଆନ୍‌ ଗୁଡୁଙ୍କ ଅଭିନୟ ମଧ୍ୟ ମଞ୍ଚରେ ଦେଖିବାକୁ ମିଳିବ। ଏଥିସହ ଆସନ୍ତାକାଲି ଖଣ୍ଡଗିରି ପାର୍କିଂ ପଡ଼ିଆରେ ଯାତ୍ରା ଆରମ୍ଭ କରିବ କୋଣାର୍କ ଗଣନାଟ୍ୟ। ‘ସୈତାନ’ ନାଟକ ନେଇ କୋଣାର୍କ ଆସୁଥିବା ବେଳେ ଦୈତାରୀ ପଣ୍ଡାଙ୍କ ଭଳି ଚର୍ଚ୍ଚିତ ଖଳନାୟକଙ୍କୁ ଦେଖିବା ପାଇଁ ଭିଡ଼ ଜମିବ। ମହତାବ ପେଣ୍ଡାଲ୍‌ରେ ପ୍ରଥମ ଦିନରୁ ଯାତ୍ରାଶ୍ରୀ ବିଶ୍ବଦରବାର ‘ଭଲ ପାଇବାକୁ ଭୟ ଲାଗୁଛି’ ନାଟକ ପରିବେଷଣ କରି ପ୍ରଶଂସା ଭାଜନ ହୋଇଛି। ଦୀପକ ଜେନାଙ୍କ ରଚିତ ଏବଂ ଗୁରୁ ମିଶ୍ରଙ୍କ ନିର୍ଦେଶିତ ଏହି ନାଟକର ଲୋକପ୍ରିୟତା ଦେଖି ଆସନ୍ତାକାଲି ମଧ୍ୟ ଏହି ନାଟକ ରିପିଟ୍‌ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଘାଟିକିଆ ପେଣ୍ଡାଲ୍‌ରେ ତୁଳସୀ ଗଣନାଟ୍ୟ ‘ହସୁଛି କେବଳ କାନ୍ଦିବା ପାଇଁ’ ନାଟକ ମଂଚସ୍ଥ କରିବା ପରେ ଏହାକୁ ରିପିଟ୍‌ କରିବ ବୋଲି ସୂଚନା ମିଳିଛି। ଇନ୍ଦିରା ସାଂସ୍କୃତିକ ମଣ୍ଡପ ପଡ଼ିଆରେ କଳିଙ୍ଗ ଗଣନାଟ୍ୟ ଲିଲି ଦାସଙ୍କ ରଚିତ ଏବଂ ଆଶୁତୋଷ ମହାପାତ୍ରଙ୍କ ନିର୍ଦେଶିତ ନାଟକ ‘ସ୍ବାମୀ ଆସିଥିଲା ରାତିକ ପାଇଁ’ ମଂଚସ୍ଥ କରି ଚର୍ଚ୍ଚାକୁ ଆସିଛି। କେସିଏ ପଡ଼ିଆରେ ଦ୍ବିତୀୟ ଯାତ୍ରା ଦଳ ଭାବେ ଇନ୍ଦ୍ରମହଲ ସାମିଲ୍‌ ହୋଇ ନାଟକ ‘ଉର୍ବଶୀ ଆସୁଛି ଇନ୍ଦ୍ରମହଲ’ ଭେଟି ଦେଇଥିବା ବେଳେ ଏହାକୁ ରିପିଟ୍‌ କରିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର