ଭୁବନେଶ୍ୱର: ଆମ୍ବର ମହକରେ ମହକୁଛି ସହର। ଫଳ ଦୋକାନରେ ଗଦାଗଦା ରସାଳ ଆମ୍ବ ମନ ଟାଣି ନେଉଛି। ଆମ୍ରପଲ୍ଲୀ, ବାଇଗଣପଲେଇ, ତୋତାପୁରୀ, ଆଲ୍ଫୋନ୍ସୋ, ଲେଙ୍ଗ୍ଡା, ଦୁସେରି, ସୁବର୍ଣ୍ଣରେଖା, ହିମସାଗର, ମଲ୍ଲିକା, ନିଲମ, ବମ୍ବେ କ୍ୱିନ୍ ଭଳି ରକମରକମର ଆମ୍ବ ଉପଲବ୍ଧ ହେଉଛି। ଏବେ କୋଲକାତା, ଆନ୍ଧ୍ର ଓ ଅନ୍ୟ ଅଞ୍ଚଳର ଆମ୍ବ ଭୁବନେଶ୍ୱରର ଆବଶ୍ୟକତା ପୂରଣ କରୁଛି। ମାତ୍ର ଏକାମ୍ର କ୍ଷେତ୍ର ଯେ ଦିନେ ଆମ୍ବକୁ ନେଇ ସମୃଦ୍ଧ ଥିଲା, ତାହାର ଐତିହାସିକ ଦସ୍ତାବିଜ୍ ଆଖିରେ ପଡ଼ିଲେ ସେତେବେଳର ଆମ୍ରକାନନର ଚିତ୍ର ଆଖି ଆଗରେ ଝଲସି ଉଠେ।
Sambad is now on WhatsApp
Join and get latest news updates delivered to you via WhatsApp
ସେଇ ଏକାମ୍ର କ୍ଷେତ୍ର ଅଛି, ମାତ୍ର ଆମ୍ର କାନନର ବାସ୍ନା ଆଉ ନାହିଁ। ଓୟୁଏଟିର ପ୍ରାକ୍ତନ ପ୍ରଫେସର ଡ. ତୁଷାରକାନ୍ତିଙ୍କ ସୂଚନା ମୁତାବକ, ଏକାମ୍ର ପୁରାଣ ଲେଖା ଅନୁଯାୟୀ ଏକାମ୍ର କ୍ଷେତ୍ର ୧୬ କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା। ଏକାମ୍ର କ୍ଷେତ୍ରରେ ଶହଶହ ଆମ୍ବ ବଗିଚା ପରିବେଷ୍ଟିତ ଥିଲା। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିଜେସ୍ଥଳୀକୁ ଦେବକୂଳର ଆଖ୍ୟା ଦିଆଯାଇଥିଲା। ଐତିହାସିକଙ୍କ ମତରେ ଆମ୍ରକାନନ ପରିବେଷ୍ଟିତ ଏକାମ୍ର କ୍ଷେତ୍ର ଉପାସନା, ଈଶ୍ୱର ଆରାଧନା, ଭଗବତ ପ୍ରାପ୍ତିର ପ୍ରକୃଷ୍ଟ ପୀଠ ଥିଲା। ମନ୍ଦିର, ପୁଷ୍କରିଣୀ ଓ ଚଲାପଥରେ ଧାଡ଼ିଧାଡ଼ି ଆମ୍ବଗଛ ଆକର୍ଷଣ ସାଜୁଥିଲା। ସେ ସମୟରେ ଏଠାରେ ଏତେ ଆମ୍ବ ଫଳୁଥିଲା ଯେ, ଦକ୍ଷିଣ ଭାରତକୁ ଶଗଡ଼ରେ ପଠା ଯାଉଥିଲା। ଗଙ୍ଗବଂଶୀ ରାଜାମାନେ ବିଜୟନଗରମ୍କୁ ଆମ୍ବ ବୋଝେଇ ଶଗଡ଼ ଗାଡ଼ି ପଠାଉଥିଲେ। ସେଠାରେ ଏକାମ୍ର କ୍ଷେତ୍ରର ଆମ୍ବର ଢେର୍ ଚାହିଦା ଥିଲା। ମାତ୍ର ଏବେ ଆନ୍ଧ୍ର ଓ ବଙ୍ଗଳାରୁ ଆମ୍ବ ବୋଝେଇ ଟ୍ରକ୍ ନ ଆସିଲେ ଏଠାରେ ଆମ୍ବ ମିଳେ ନାହିଁ। ଅର୍ଥାତ ଦିନେ ଯୋଉଠୁ ଶଗଡ଼ ଶଗଡ଼ ଆମ୍ବ ଓଡ଼ିଶା ବାହାରକୁ ପଠାଯାଉଥିଲା, ଆଜି ସେଠି ଆମ୍ବ କାଁ ଭାଁ ଦେଖିବାକୁ ମିଳୁଛି। ଆସନ୍ତାକାଲିଠୁ ରାଜ୍ୟ ସରକାରଙ୍କ କୃଷି ବିଭାଗ ଆନୁକୂଲ୍ୟରେ ୨ ଦିନ ଧରି ରାଜ୍ୟସ୍ତରୀୟ ଆମ୍ବ ପ୍ରଦର୍ଶନୀ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବିଭିନ୍ନ ରକମର ଆମ୍ବ ଉପଲବ୍ଧ ହେବ। ଏହି ପରିପ୍ରେକ୍ଷୀରେ ପୁରାଣର ସେହି ଆମ୍ରବନର ଅଦେଖା କାହାଣୀ ସ୍ମୃତି ପଟରେ ନିଶ୍ଚେ ଝଲସି ଉଠିବ।