ଆବୁଧାବିରେ ‘ଉତ୍କଳ ଦିବସ’ ଆଜି

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆ ସମାଜ, ଆବୁଧାବି ପକ୍ଷରୁ ଆସନ୍ତାକାଲି (ଶୁକ୍ରବାର) ଉତ୍କଳ ଦିବସ ଆବୁଧାବିର ଇଣ୍ଡିଆନ୍‌ ସୋସିଆଲ କଲ୍‌ଚରାଲ ସେଣ୍ଟରଠାରେ ପାଳନ କରାଯିବ। ୟୁଏଇରେ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ପାଳିତ ହେଉଥିବା ଏହି କାର୍ଯ୍ୟକ୍ରମ ଚଳିତ ବର୍ଷ ଅଷ୍ଟମ ବର୍ଷରେ ପଦାର୍ପଣ କରିଛି। ଏଥିରେ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଦୀପକ ମିଶ୍ର ମୁଖ୍ୟ ଅତିଥି, ଅଭିନେତ୍ରୀ ତଥା ସମାଜସେବୀ ନନ୍ଦିତା ଦାସ ସମ୍ମାନିତ ଅତିଥି ଭାବେ ଯେଗାଦେବେ। ଏନେଇ ଆବୁଧାବିଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ଦୀପକ ଦାସ ଓ ଉପଦେଷ୍ଟା କମଲ ମିଶ୍ର ସୂଚନା ଦେଇଛନ୍ତି। ଶ୍ରୀ ଦାସ କହିଥିଲେ ଯେ ଓଡ଼ିଶା ବାହାରେ ସୁଦୂର ଆବୁଧାବିରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ନିଜ ବ୍ୟସ୍ତବହୁଳ ଜବୀନରେ ଥିଲେ ମଧ୍ୟ ନିଜ ମା’ ମାଟିର ଐତିହ୍ୟ ପରମ୍ପରାକୁ ଭୁଲି ନାହାନ୍ତି। ତେଣୁ ସେମାନଙ୍କୁ ଏକତ୍ରିତ କରି ଗତ ୭ ବର୍ଷ ହେବ ଏଠାରେ ଉତ୍କଳ ଦିବସ ପାଳନ କରାଯାଇ ଆସୁଅଛି। ଚଳିତବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଧୁମ୍‌ଧାମ୍‌ରେ ପାଳନ କରାଯିବ। ଆସନ୍ତାକାଲି ସକାଳ ୧୦ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। କାର୍ଯ୍ୟକ୍ରମରେ ସୁସ୍ୱାଦୁ ଓଡ଼ିଆ ଖାଦ୍ୟ ପରିବେଷଣ ସାଙ୍ଗକୁ ପ୍ରବାସୀ ଓଡ଼ିଆମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର