ଆଜି ବିଶ୍ୱ ପରିବେଶ ଦିବସ: ପଇସା ଦିଅ, ରୋଗ କିଣ!

ପଙ୍ଗୁ କରୁଛି ପାଣି ବୋତଲ

0 190

ଭୁବନେଶ୍ୱର: ଅନିୟମିତ ଋତୁଚକ୍ର ସାବଧାନ ହେବାକୁ ଇସାରା ଦେଲାଣି। ଅସହ୍ୟ ତାତିରେ ମଣିଷ କଲବଲ ହେଲାଣି। ଭଲ ପାଣି ମୁନ୍ଦେ ପାଇଁ ଚିନ୍ତା ଘାରିଲାଣି। ପରିବେଶବିତ୍‌ମାନେ ସତର୍କ ବାଣୀ କଲେଣି। ଏବେଠୁ ପ୍ରତ୍ୟେକ ବ୍ୟକ୍ତି ସଚେତନ ନହେଲେ ପରିବେଶ ବିଗିଡ଼ିଯିବ। ତଥାପି ମାନବ ସମାଜ ପରିବେଶ ମନସ୍କ ହୋଇପାରିନି। ପରିବେଶ ପ୍ରଦୂଷଣରେ ପ୍ଲାଷ୍ଟିକ୍‌ର ଭୟାବହତା ଚଳିତ ବର୍ଷ ପରିବେଶ ଦିବସର ବିଷୟବସ୍ତୁ ରହିଛି। ଅଥଚ ଦୈନଦିନ ଜୀବନରେ ପ୍ଲାଷ୍ଟିକ୍‌ର ବ୍ୟବହାର ଭବିଷ୍ୟତ ପାଇଁ ଏକ ବଡ଼ ବିପଦକୁ ଆମନ୍ତ୍ରଣ କରୁଛି। ବିଶେଷତଃ ଦୈନଦିନ ଜୀବନରେ ପାଣି ବୋତଲ ବ୍ୟବହାର କରି ମଣିଷ ଯେ ପ୍ରତି ଦିନ ରୋଗ କିଣୁଛି ଏକଥା ତାକୁ ମାଲୁମ ନାହିଁ।

ମା’ ପେଟରୁ ବିକଳାଙ୍ଗ କରିଦିଏ, କ୍ୟାନ୍‌ସର୍‌ ବ୍ୟାଧିକୁ ଜନ୍ମ ଦିଏ
ଆପଣ ଯେବେ ହୋଟେଲ୍‌ରୁ ଗରମ ଖାଦ୍ୟ ମଗାନ୍ତି ଅବା ଘରକୁ ନିଅନ୍ତି ନିଶ୍ଚେ ପଲିଥିନ୍‌ର ବ୍ୟାଗ୍‌ର ସାହାରା ନେଉଥିବେ। ପିଇବା ପାଇଁ ବି ପାଣି ବୋତଲ ବ୍ୟବହାର ଏବେ ଏକ ପ୍ରକାର ଜରୁରୀ ଆବଶ୍ୟକତା ପାଲଟିଯାଇଛି। ମାତ୍ର ଏହି ପଲିଥିନ୍‌ ଏବଂ ପ୍ଲାଷ୍ଟିକ୍‌ ବୋତଲରେ ଦୀର୍ଘଦିନ ଧରି ସାଇତା ଯାଇଥିବା ପାଣି ଆମ ଭିତରେ ଅନେକ ରୋଗକୁ ଜନ୍ମ ଦିଏ। ଜୈବିକ ସଂଶ୍ଳିଷ୍ଟ (କୃତ୍ରିମ) ମିଶ୍ରଣରୁ ପ୍ରସ୍ତୁତ ବିସ୍‌ଫିଲୋନ୍‌ ମା ପେଟରେ ଥିବା ପିଲାଙ୍କୁ ଦିବ୍ୟାଙ୍ଗ କରିଦେଇପାରେ। ସହରାଞ୍ଚଳରେ ଗଦାଗଦା ବର୍ଜ୍ୟବସ୍ତୁ ପୋଡ଼ାଯିବା ବେଳେ ସେଥିରୁ ଡାଇଅକ୍ସିନ୍‌ ଓ ଫ୍ୟୁରାନ୍‌ ଭଳି ବିଷାକ୍ତ ବାଷ୍ପ ନିର୍ଗତ ହୋଇ ପାଖାପାଖି ରହୁଥିବା ଲୋକଙ୍କ ଭିତରେ କ୍ୟାନ୍‌ସର ଭଳି ମହାବ୍ୟାଧି ସୃଷ୍ଟି କରେ। ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିବା ସହ ହରମନ୍‌ ସମସ୍ୟା ସୃଷ୍ଟି କରେ।

Panda Mobile only

ବନ୍ୟା ସୃଷ୍ଟି ରୁଛି, ସାମୁଦ୍ରିକ ଜୀବଙ୍କୁ ମାରୁଛି
ସାମାନ୍ୟ ବର୍ଷାରେ ସହରରେ ବନ୍ୟା ସୃଷ୍ଟି ହେବା ପଛରେ ପ୍ଲାଷ୍ଟିକ୍‌ ପଲିଥିନ୍‌ ଅନ୍ୟତମ କାରଣ। ପଲିଥିନ୍‌ ଓ ପାଣି ବୋତଲ ବ୍ୟବହାର କରି ଫିଙ୍ଗିଦେବା ପରେ ଏହା ନଈନାଳରେ ଭାସି ଠାଏଠାଏ ଅବରୋଧ ସୃଷ୍ଟି କରେ। ତେଣୁ ପାଣି ନିଷ୍କାସିତ ହୋଇ ନପାରି ଜମି ରୁହେ। ସଂଶ୍ଳେଷିତ ପଦାର୍ଥ ହୋଇଥିବାରୁ ମାଟିରେ ପଡ଼ିଲେ ଅଣୁଜୀବମାନେ ଏହାକୁ ଭାଙ୍ଗିପାରନ୍ତି ନାହିଁ। ତେଣୁ ଏହା ଶହଶହ ବର୍ଷ ମାଟିରେ ପଡ଼ି ରହୁଥିବାରୁ ଭୂତଳକୁ ଜଳ ରିଚାର୍ଜ ହେବାରେ ବାଧକ ସାଜେ ବୋଲି ପରିବେଶ ବିଜ୍ଞାନୀ ଡ.ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି। ସର୍ବେକ୍ଷଣ ମୁତାବକ, ସମୁଦ୍ରକୁ ବର୍ଷକୁ ୧୩ ନିୟୁତ ଟନ୍‌ ପ୍ଲାଷ୍ଟିକ୍‌ ପଦାର୍ଥ ଯାଉଥିବାରୁ ୧ଲକ୍ଷ ସାମୁଦ୍ରିକ ଜୀବ, ୨ ନିୟୁତ ସାମୁଦ୍ରିକ ପକ୍ଷୀ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ତେଣୁ ପ୍ଲାଷ୍ଟିକ୍‌ ବ୍ୟବହାର କମାଇବା, ପୁନଃ ବ୍ୟବହାର କରିବା ଏବଂ ପୁନଃଚକ୍ରଣ ଦ୍ୱାରା ବ୍ୟବହାର କରିବା ଭଳି ୩ଟି କଥାକୁ ଅନୁସରଣ କରିବା ଉଚିତ୍‌ ବୋଲି ଡ.ପାଣିଗ୍ରାହୀ କହିଛନ୍ତି।

ବର୍ଷକୁ ଜମା ହେଉଛି ୨ହଜାର କୋଟି ପାଣି ବୋତଲ

ସର୍ବେକ୍ଷଣ ତଥ୍ୟ ମୁତାବକ, ଏବେ ବାର୍ଷିକ ୩୦ ହଜାର ଟନ୍‌ ପ୍ଲାଷ୍ଟିକ୍‌ ଉତ୍ପାଦନ କରାଯାଉଛି। ପ୍ରତି ମିନିଟ୍‌ରେ ୧ ନିୟୁତ ପ୍ଲାଷ୍ଟିକ୍‌ ବୋତଲ ପ୍ରସ୍ତୁତ ହେଉଛି। ସେଥିରୁ ପ୍ରାୟ ୫୦ ପ୍ରତିଶତ ବୋତଲ ବା ପଲିଥିନ୍‌ ମାତ୍ର ଥରେ ବ୍ୟବହାର ହେଉଛି। ତେଣୁ ବର୍ଷକୁ ୨ହଜାର କୋଟି ପାଣି ବୋତଲ ବର୍ଜ୍ୟବସ୍ତୁ ଭାବେ ପଡ଼ି ରହୁଛି। ଅର୍ଥାତ ପୁନଃଚକ୍ରଣ ମାଧ୍ୟମରେ ବ୍ୟବହାର କଲେ ବିପୁଳ ସାଧନ ବଞ୍ଚିପାରିବ। ୧ ଟନ୍‌ ପାଣିବୋତଲ ରିସାଇକେଲିଂ କରାଗଲେ ୩.୮ ବ୍ୟାରେଲ୍‌ ଅଶୋଧିତ ତୈଳ ବଞ୍ଚାଇ ହେବ। ପୁନଃ ଚକ୍ରଣ ପ୍ରକ୍ରିୟାରେ ସେତିକି ପ୍ଲାଷ୍ଟିକ୍‌ ପାଣି ବୋତଲ ପ୍ରସ୍ତୁତିରେ ୨ ତୃତୀୟାଂଶ ଶକ୍ତି ବଞ୍ଚାଇ ହେବ। ପୁନଃଚକ୍ରଣ ବେଳେ କମ୍‌ ଶକ୍ତି ଓ ଇନ୍ଧନ ବ୍ୟବହୃତ ହେଉଥିବାରୁ ଗ୍ରିନ୍‌ ହାଉସ୍‌ ଗ୍ୟାସ୍‌ ଏତେ ସୃଷ୍ଟି ହେବ ନାହିଁ। ଯଦିଓ ପ୍ଲାଷ୍ଟିକ୍‌ େଓ୍ଵଷ୍ଟ୍‍ ମ୍ୟାନେଜ୍‌ମେଣ୍ଟ୍‌ ରୁଲ୍‌ ୨୦୧୧ ମୁତାବକ ୫୦ରୁ କମ ମାଇକ୍ରନ୍‌ର ପଲିଥିନ୍‌ ବ୍ୟବହାରର ନିର୍ଦେଶ ଅଛି କିନ୍ତୁ ତାହା ବାସ୍ତବରେ ହୋଇପାରୁନି। କେବଳ ସରକାରଙ୍କ ଉପରେ ଛାଡ଼ି ନଦେଇ ପ୍ରତ୍ୟେକ ବ୍ୟକ୍ତି ନିଜ ଘରୁ ପ୍ଲାଷ୍ଟିକ୍‌ଠାରୁ ଦୂରେଇବା ଆରମ୍ଭ କଲେ ଯାଇ ସମସ୍ୟାର ସମାଧାନ ହୋଇପାରିବ ବୋଲି ପରିବେଶବିତ୍‌ ରୀନା ରାଉତରାୟ କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.