ଆଜି ବିଶ୍ବ ଐତିହ୍ୟ ଦିବସ: ଅବହେଳିତ ଗ୍ରାମୀଣ ଐତିହ୍ୟ

ଭୁବନେଶ୍ବର: ଅତୀତର ସ୍ମାରକୀ ଏକ ଜାତିକୁ ପରିଚୟ ଦିଏ। ସେଇ ନିର୍ଦିଷ୍ଟ ଅଞ୍ଚଳର ଗାରିମା ବଢ଼ାଏ। ଐତିହ୍ୟର ମୂକସାକ୍ଷୀ ଭାବେ ଦଣ୍ଡାୟମାନ ହୋଇ ଭବିଷ୍ୟତକୁ ପାଦ ବଢ଼େଇବାକୁ ପ୍ରେରଣା ଦିଏ। ଅଥଚ ସମୟର କରାଳ ଚକ୍ରରେ ଏବଂ ଆଧୁନିକତାର କ୍ରୂର ଅତ୍ୟାଚାରରେ ବେଳେବେଳେ ଏହା ସତ୍ତା ହରାଏ। କୋଟିଏ ଲିଙ୍ଗର ସହର ହେଉ ଅବା ମାର୍ସାଲ କିଟୋଙ୍କ ଭାଷାରେ ୧୨୬ ଝରଣାର ଭୁବନେଶ୍ବର; ଏବେ ଯେମିତି ସ୍ବପ୍ନ। ଅଟ୍ଟାଳିକାର ସାମ୍ରାଜ୍ୟ ଭିତରେ ଅତୀତର ଶହଶହ ମନ୍ଦିର ଯେ ଲୁଚି ଯାଇଛି, ପୁରୁଣା ଭୁବନେଶ୍ବର ଘେରାଏ ବୁଲି ଆସୁଥିବା ଲୋକଟିଏ ଏହା ନିଶ୍ଚେ ହୃଦ୍‌ବୋଧ କରିବ। ଖାଲି ସ୍ମାରକୀ ନୁହେଁ, ସାଂସ୍କୃତିକ ଐତିହ୍ୟ ବି ଧୀରେଧୀରେ ବିସ୍ମୃତ ହୋଇଯାଉଛି। ସୁଦୃଶ୍ୟ ସ୍ମାରକୀକୁ ଯେତିକି ଗୁରୁତ୍ବ ଦିଆଯାଉଛି, ଗାଁ’ ଗହଳିରେ ଥିବା ଐତିହ୍ୟ ସ୍ମାରକୀକୁ ସେତିକି ମହତ୍ତ୍ବ ଦିଆଯାଉନାହିଁ। ‘ଇଣ୍ଟରନ୍ୟାନାଲ୍ କାଉନ୍‌ସିଲ୍‌ ଫର୍ ମନୁମେଣ୍ଟ୍‌ସ ଆଣ୍ଡ୍ ସାଇଟ୍‌ସ’ ପକ୍ଷରୁ ଚଳିତ ବର୍ଷ ଐତିହ୍ୟ ଦିବସର ବିଷୟ ରହିଛି ‘ଗ୍ରାମୀଣ ପରିଦୃଶ୍ୟ’। ତେବେ ଯୋଉ ଐତିହ୍ୟକୁ ନେଇ ଦିନେ ଅନେକ ସ୍ଥାନରେ ଗାଁଟିଏ ଗଢ଼ି ଉଠିଥିଲା, ଦୀପତଳ ଅନ୍ଧାର ଭଳି ଏବେ ସେଠି ସ୍ମାରକୀ ସବୁ କୋଣଠେସା ହୋଇଯାଇଛି। ଏବେଠୁ ସଚେତନ ନହେଲେ, ଏସବୁ ଯେ କେବଳ ଇତିହାସ ପୃଷ୍ଠାରେ ନରହିଯିବ କିଏ କହିବ?

କୁଆଡ଼େ ଗଲା ମୂର୍ତି?
ଚଉଷଠୀ ଯୋଗିନୀଙ୍କୁ ନେଇ ସମ୍ପୃକ୍ତ ଅଞ୍ଚଳର ପରିଚିତି। ଅଥଚ ଏହି ପରିସରରେ ୧୯୬୪ ପର୍ଯ୍ୟନ୍ତ ଥିବା ଏକ ଶିବଙ୍କ ମୂର୍ତି କୁଆଡ଼େ ଗଲା ତା’ର ଖବର କାହା ପାଖରେ ନାହିଁ। ଏପରିକି ଚଉଷଠୀ ଯୋଗିନୀଙ୍କ ମୂର୍ତି ଭାଙ୍ଗି ଯାଇଥିଲେ ହେଁ ତାହାର ରକ୍ଷଣାବେକ୍ଷଣ ପରିବର୍ତେ କେବଳ ଚଉଷଠୀ ଯୋଗିନୀ ଉତ୍ସବ କରି ସେଠିକାର ସ୍ମାରକୀର ଗୁରୁତ୍ବକୁ ମନେ ପକେଇବା କାମଟି କରୁଛନ୍ତି ସରକାର। କେବଳ ସେତିକି ନୁହେଁ ଅଡ଼ଶପୁର ନିକଟରେ ‘ଅଁଳ’ଠାରେ ଥିବା ଖ୍ରୀଷ୍ଟପୂର୍ବ ସମୟର ଜୈନ ମୂର୍ତି ଚୋରି ହୋଇଯାଇଥିଲେ ହେଁ ତାକୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇପାରିନାହିଁ। ସେହିପରି ଜୟଦେବଙ୍କ ଗାଁ ନିକଟ ପାରିବାସୁଦେବପୁରରେ ଥିବା ବାସୁଦେବ ମନ୍ଦିରର ଏକ ସାଢ଼େ ୩ ଫୁଟର ନୃସିଂହ ମୂର୍ତି ଚୋରି ହୋଇଯାଇଥିଲେ ହେଁ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ କେବଳ ବାଲିଅନ୍ତା ଥାନାରେ ରିପୋର୍ଟ ଲେଖିଦେଇ ଚୁପ୍ ବସିଯାଇଛି। ବାସ୍ତବରେ ଏଥିପାଇଁ ସରକାରୀ କଳ ଯେତିକି ଦାୟୀ ସ୍ଥାନୀୟ ଜନତାଙ୍କର ଆନ୍ତରିକତା ନରହିବା ମଧ୍ୟ ସମ ପରିମାଣରେ ଦାୟୀ ବୋଲି ଐତିହାସିକମାନେ କହିଛନ୍ତି।

ବିସ୍ମୃତ ସାଂସ୍କୃତିକ ଐତିହ୍ୟ
ଆଉ ଦେଖିବାକୁ ମିଳୁନି କଂସ ମାରୁଣି। ପରିବେଷଣ ହେଉନି ମୂଳ କରମା ନୃତ୍ୟ। ରାମଲୀଳା, କୃଷ୍ଣଲୀଳା, ଚଢ଼େୟା ଚଢ଼େୟାଣୀ ଭଳି ନୃତ୍ୟ ମଧ୍ୟ ଲୁପ୍ତପ୍ରାୟ ଅବସ୍ଥାରେ ପହଞ୍ଚିଲାଣି। ରାଜ୍ୟ କଳା ସଂସ୍କୃତି ସଂଘ ଗଠନ କରାଯାଇ ୪୭୨ଟି ଲୋକକଳାକୁ ଚିହ୍ନଟ କରାଯାଇଥିବା କଥା କୁହାଯାଉଛି। ଜିଲ୍ଲା, ବ୍ଲକ୍, ଗ୍ରାମ୍ୟ କଳା ସଂସ୍କୃତି ସଂଘ ଗଠନ ହେବା ପରେ କିଛି ପାରମ୍ପରିକ କଳାକାର କାମ ପାଇଛନ୍ତି ସତ, କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ। ୪୭୨ ଲୋକକଳା ଚିହ୍ନଟ ହୋଇଥିବା କୁହାଯାଉଥିଲେ ହେଁ, ସବୁ ପ୍ରକାରର ପାରମ୍ପରିକ କଳା ଓ କଳାକାରଙ୍କୁ କଳା ପରିବେଷଣର ସୁଯୋଗ ସୃଷ୍ଟି କରାଯାଇନାହିଁ। ପାଲା ଏବେ ଜନ୍ମଦିନ ବେଳେ ସତ୍ୟନାରାୟଣ ପାଲାରେ ସୀମିତ ରହିଯାଇଛି। ସଂକୀର୍ତନ ବି ଏକାଦଶାହ କିମ୍ବା ଶ୍ରାଦ୍ଧ ଦିବସରେ ସୀମିତ ରହିଯାଇଛି। ପାରମ୍ପରିକ ବାଦ୍ୟ ଉପରେ ଗବେଷଣା କରୁଥିବା ଗବେଷକ ରବିରତନ ସାହୁଙ୍କ କହିବା ମୁତାବକ, ୨୩ଟି ବାଦ୍ୟଯନ୍ତ୍ର ବିଷୟରେ କେବଳ ଶୁଣିବାକୁ ମିଳୁଥିଲେ ହେଁ ଏହା ଆଉ ଉପଲବ୍ଧ ନାହିଁ। କେବଳ ଦୃଶ୍ୟମାନ ହେଉଥିବା କଳାକୁ ଗୁରୁତ୍ବ ଦିଆଯାଉଥିଲେ ହେଁ, ଯାହା ବିସ୍ମୃତ ହୋଇଯାଉଛି ତାକୁ ପୁନରୁଦ୍ଧାର ପାଇଁ ସେତିକି ପ୍ରୟାସ ହେଉନାହିଁ। ଗାଁରେ ସହରୀ ପରମ୍ପରା ପ୍ରବେଶ ପରେ ଯେମିତି ଐତିହ୍ୟ କୋଣଠେସା ହୋଇଯାଇଛି।

ଐତିହ୍ୟ ପ୍ରୀତି ଏମିତି…
ଖଣ୍ଡଗିରିକୁ ନେଇ ଅଞ୍ଚଳର ନାମକରଣ। ଅଥଚ ଖଣ୍ଡଗିରି ପାଖରେ ଥିବା ଉଦୟଗିରିର ରକ୍ଷଣାବେକ୍ଷଣ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଯେତିକି ସଚେତନ ଖଣ୍ଡଗିରି ପ୍ରତି ସେତିକି ଯତ୍ନବାନ ନୁହେଁ। ଏହାର ପ୍ରମୁଖ କାରଣ ହେଉଛି, ଖଣ୍ଡଗିରିକୁ ଯିବା ପାଇଁ ପର୍ଯ୍ୟଟକମାନେ ଟଙ୍କାଟିଏ ଟିକେଟ୍ ବାବଦରେ ଦିଅନ୍ତି ନାହିଁ। ତେଣୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବରେ ଥିଲେ ମଧ୍ୟ ଏଏସ୍ଆଇ ଏଠାରେ ଜଣେ ସୁରକ୍ଷାକର୍ମୀଙ୍କୁ ମଧ୍ୟ ନିୟୋଜିତ କରିନାହିଁ। ନିୟମ ନଥାଇ ମଧ୍ୟ ଏଠି ମନଇଚ୍ଛା ଭୋଜିଭାତ ହୁଏ। ନିଶାସକ୍ତ ବ୍ୟକ୍ତିଙ୍କ ପାଇଁ ତ ଏହା ଯେମିତି ଭୂସ୍ବର୍ଗ। ଏଠାରେ ଅନେକଥର ନିଆଁ ଲାଗି ଜଙ୍ଗଲ ବି ନଷ୍ଟ ହୋଇଛି। ହେଲେ କିଛି ଫରକ ପଡ଼ିନାହିଁ। ଶିଶୁପାଳଗଡ଼ ଗ୍ରାମୀଣ ଐତିହ୍ୟର ଅନ୍ୟତମ ମୁକସାକ୍ଷୀ। ମାତ୍ର ଏହା ଯେ, ଜମି ମାଫିଆଙ୍କ କବ୍ଜାରେ ତାହା କାହାକୁ ଅଛପା ନାହିଁ। କେବଳ ସେତିକି ନୁହେଁ, ଶିଶୁପାଳଗଡ଼କୁ ନେଇ ଏଠି ଗଢ଼ିଉଠିଥିବା ସାହି ଘରଦ୍ବାରରେ ଆଚ୍ଛାଦିତ ହୋଇଛି। ଯଦି ଏଠାକୁ କେହି ଐତିହ୍ୟପ୍ରେମୀ ପ୍ରତିବାଦ କରିବାକୁ ଆସେ, ତେବେ ଜମି ମାଫିଆଙ୍କ ଆକ୍ରୋଶର ଶିକାର ହୁଏ। ଶିଶୁପାଳଗଡ଼ ଭଳି ଗଂଜାମର ପାଣ୍ଡିରିପଡ଼ା ପଞ୍ଚାୟତର ପୁରୁଷୋତ୍ତମପୁରରେ ଧନୁଆ ନଈ ପାଖେ କଳିଙ୍ଗ ଯୁଦ୍ଧ ହୋଇଥିବା ଐତିହାସିକ ପ୍ରଫୁଲ୍ଲ ତ୍ରିପାଠୀ କହୁଥିବା ବେଳେ ସେଠାରେ ବି ଶିଶୁପାଳଗଡ଼ ଭଳି ମାଟିର ପ୍ରାଚୀର ଅଛି। ଏହା ସମ୍ରାଟ ଅଶୋକଙ୍କ ସମୟର ହୋଇଥିଲେ ହେଁ ଏପର୍ଯ୍ୟନ୍ତ ସେଠାକୁ ଯିବା ପାଇଁ ରାସ୍ତାଟିଏ ନାହିଁ। ରାଜ୍ୟରେ ଶହଶହ ଗ୍ରାମୀଣ ଐତିହ୍ୟ ଏଭଳି ଅବହେଳିତ ଅବସ୍ଥାରେ ରହିଥିଲେ ହେଁ ସେଥିପ୍ରତି ଏଏସ୍ଆଇ ଏବଂ ଓଡ଼ିଶା ପ୍ରତ୍ନତତ୍ତ୍ବ ବିଭାଗର ନିଘା ନାହିଁ।

ସମ୍ବନ୍ଧିତ ଖବର