ଆଜି ବିଶ୍ବ କିଡ୍‌ନି ଦିବସ: ବିଶ୍ବ‌‌‌‌ରେ ୮୫କୋଟି କିଡ୍‌ନି‌ ରୋଗୀ

0

ଭୁବନେଶ୍ବର: କେବଳ ଭାରତ ନୁହେଁ, ବିଶ୍ବରେ କିଡ୍‌ନି ଜନିତ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଭିନ୍ନ କାରଣରୁ ବିଶ୍ବରେ ପ୍ରାୟ ୮୫କୋଟି ଲୋକ ବିଭିନ୍ନ ପ୍ରକାର କିଡ୍‌ନି‌ ରୋଗରେ ପୀଡ଼ିତ। ପ୍ରତିଦିନ କାହାର ନା କାହାର କିଡ୍‌ନି ଖରାପ ହୋଇଯିବା, ପରିସ୍ରାରେ ଅନିୟମିତତା ବା କିଡ୍‌ନି ଜନିତ ବହୁ ସମସ୍ୟା ଦେଖାଯାଉଛି। ମଣିଷ ସ୍ବାସ୍ଥ୍ୟ ପାଇଁ କିଡ୍‌ନିର ଆବଶ୍ୟକତା ଓ ବିଭିନ୍ନ କିଡ୍‌ନି ରୋଗ ଜନିତ ସମସ୍ୟା ବିଷୟରେ ବ୍ୟାପକ ପ୍ରଚାର ପ୍ରସାର ପାଇଁ ୨୦୦୬ ମସିହାରେ ପ୍ରଥମେ ବିଶ୍ୱ କିଡ୍‌ନି ଦିବସ ପାଳିତ ହୋଇଥିଲା। ଏହା ପରଠାରୁ ପ୍ରତିବର୍ଷ ମାର୍ଚ୍ଚ ଦ୍ବିତୀୟ ଗୁରୁବାରକୁ ‘ବିଶ୍ବ କିଡ୍‌ନି ଦିବସ’ ଭାବେ ପାଳନ କରାଯାଉଛି। ବିଭିନ୍ନ ରୋଗଜନିତ ମୃତ୍ୟୁ ମଧ୍ୟରୁ କିଡ୍‌ନି‌ ରୋଗଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ପ୍ରତିବର୍ଷ ବିଶ୍ବରେ ପ୍ରାୟ ୨୪ଲକ୍ଷ ଲୋକ କିଡ୍‌ନି ରୋଗରେ ପ୍ରାଣ ହରାଉଛନ୍ତି। ଏଣୁ ବେଳ ଥାଉଁ କିଡ୍‌ନିର ଉତ୍ତମ ଯତ୍ନ ନେବା ସହ ପ୍ରାରମ୍ଭରୁ ଏହି ରୋଗର ଉପଚାର ଓ ଉପଯୁକ୍ତ ଚିକିତ୍ସା ଆମକୁ ସୁସ୍ଥ ସମାଜ ଗଢ଼ିବାରେ ସାହାଯ୍ୟ କରିବ। ଏଥିପାଇଁ ଚଳିତ ବର୍ଷ ବିଶ୍ବ କିଡ୍‌ନି ଦିବସର ବିଷୟବସ୍ତୁ ରହିଛି ‘କିଡ୍‌ନି ସ୍ବାସ୍ଥ୍ୟ; ସମସ୍ତଙ୍କ ପାଇଁ ଓ ସବୁଠାରେ।’

ସୋନପୁର, ସମ୍ବଲପୁର ଓ ନରସିଂହପୁର ଅଞ୍ଚଳରେ କିଡ୍‌ନି‌ ରୋଗୀ ଅଧିକ
କିଡ୍‌ନି ଆମ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ଏଣୁ ଏହାକୁ ସୁରକ୍ଷିତ ରଖିବା ଆମର ଦାୟିତ୍ବ। ବର୍ତ୍ତମାନ ପୃଥିବୀରେ ପ୍ରତି ୧୦୦ ଜଣରେ ୧୦ଜଣ କିଡ୍‌ନି ରୋଗରେ ପୀଡ଼ିତ ଥିବା ବେଳେ ଦିନକୁ ଦିନ ଏହି ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶେଷକରି ମଧୁମେହ, ରକ୍ତଚାପ ଓ ମୋଟାପଣରେ ପୀଡ଼ିତ ବ୍ୟକ୍ତିମାନଙ୍କର କିଡ୍‌ନି ରୋଗ ହେବାର ଅଧିକ ଆଶଙ୍କା ରହିଛି। ପେନ୍‌-କିଲର କିମ୍ବା ଅଧିକ ଆୟୁର୍ବେଦିକ ଔଷଧ ସେବନ କରୁଥିବା ବ୍ୟକ୍ତିଙ୍କ କିଡ୍‌ନି ଖରାପ ହେବାର ମଧ୍ୟ ଆଶଙ୍କା ରହିଛି। ଏହା ବଂଶଗତ ମଧ୍ୟ ହୋଇପାରେ। ଏଣୁ ପ୍ରତ୍ୟେକ ବ୍ୟକ୍ତି ବର୍ଷକୁ ଥରେ ନିଜ ପରିସ୍ରା ପରୀକ୍ଷା କରିବାର ଆବଶ୍ୟକତା ରହିଛି। ପରିସ୍ରାରେ ପ୍ରୋଟିନ ଯାଉଥିଲେ, କିଡ୍‌ନି ରୋଗ ହୋଇଥିବା ସ୍ପଷ୍ଟ ହୋଇଥାଏ।

ଗୋଡ଼ ହାତ ଫୁଲିବା, ପରିସ୍ରା କମିଯିବା, ପରିସ୍ରାରୁ ଫେଣ ବାହାରିବା, ଧଇଁସଇଁ ଲାଗିବା, ରକ୍ତଚାପ ବଢ଼ିଯିବା, ଦେହ କୁଣ୍ଡାଇ ହେବା, ରକ୍ତହୀନତା, ଭୋକ କମିଯିବା, ବାନ୍ତି ଲାଗିବା ଆଦି କିଡ୍‌ନି ରୋଗର କାରଣ। କିଡ୍‌ନି ରୋଗ ଏକ ନିରବ ରୋଗ। ଏତିକି ଲକ୍ଷଣ ଦେଖାଇବା ବେଳକୁ କିଡ୍‌ନି ଅଧିକ ଖରାପ ହୋଇଯାଇଥାଏ। ଏଣୁ ଆମକୁ କିଡ୍‌ନିକୁ ନେଇ ସଚେତନ ରହିବା ଉଚିତ। ପ୍ରତିଦିନ ଅତି କମ୍‌ରେ ୮ ଗ୍ଲାସ୍‌ ପାଣି ପିଇବା ସହ ସୁଗାର ଓ ରକ୍ତଚାପ ନିୟନ୍ତ୍ରଣରେ ରଖିବା, କୋଲେଷ୍ଟୋରଲ୍‌, ପ୍ରୋଟିନ୍‌, ନିଶା, ପେନ୍‌କିଲର ଆଦି ସେବନ ଉପରେ ଲଗାମ ଲଗାଇବା ଫଳରେ କିଡ୍‌ନିକୁ ସୁରକ୍ଷିତ ରଖିବାରେ ଆମେ ସଫଳ ହୋଇପାରିବା। ଓଡ଼ିଶାର ସୋନପୁର, ସମ୍ବଲପୁର ଓ ନରସିଂହପୁର ଅଞ୍ଚଳରେ କିଡ୍‌ନି‌ ରୋଗୀ ଅଧିକ ଦେଖାଯାଆନ୍ତି। ସେଠିକାର ପାଣିରେ ସିସା, ଲୌହ ଓ ଆସେନିକ୍‌ ଆଦିର ପରିମାଣ ଅଧିକ ଥିବାରୁ ସେଠାରେ ଏହି ସମସ୍ୟା ଅଧିକ। ସେହିପରି କୃଷକମାନେ ଅଧିକ ସମୟ ଡିହାଇଡ୍ରେଟେଡ୍‌ ହୋଇ ବିଲରେ କାମ କରୁଥିବାରୁ ସେମାନଙ୍କଠାରେ ମଧ୍ୟ କିଡ୍‌ନି ରୋଗ ଜନିତ ସମସ୍ୟା ଦେଖାଯାଇଥାଏ।
ଡାକ୍ତର ବିବେକାନନ୍ଦ ପଣ୍ଡା, ବରିଷ୍ଠ ପରାମର୍ଶଦାତା, ଆପୋଲୋ ହସ୍ପିଟାଲ

କିଡ୍‌ନି ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ତେଣୁ ଏହାର ଉତ୍ତମ ଯତ୍ନ ଜରୁରି। ସମସ୍ତ ପ୍ରକାର କିଡ୍‌ନି ରୋଗ ଅପେକ୍ଷା କ୍ରୋନିକ କିଡ୍‌ନି ରୋଗ ବହୁତ ପ୍ରାଣଘାତୀ। ଏଥିପାଇଁ ପ୍ରାରମ୍ଭିକ ଅବସ୍ଥାରୁ ଏହାର ଚିକିତ୍ସା ଜରୁରି। ପ୍ରାରମ୍ଭିକ ଅବସ୍ଥାରେ ଔଷଧ ଠିକ୍‌ ସମୟରେ ଗ୍ରହଣ କଲେ ରୋଗ ଭଲ ହୋଇଯିବାର ସମ୍ଭାବନା ରହିଛି। ଏଥିସହ ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ହେମୋଡାଏଲିସିସ୍‌, ପେରିଟୋନେୟାଲ ଡାଏଲିସିସ୍‌ ଓ କିଡ୍‌ନି ପ୍ରତ୍ୟାରୋପଣ ଆଦି ଅତ୍ୟାଧୁନିକ ଚିକିତ୍ସା ମଧ୍ୟ ରହିଛି। କିଡ୍‌ନି ରୋଗ ପାଇଁ ରୋଗର ବିଭିନ୍ନସ୍ତରରେ ଭିନ୍ନ ଭିନ୍ନ ପ୍ରକାର ଚିକିତ୍ସା ବ୍ୟବସ୍ଥା ଥିବାରୁ ରୋଗୀଙ୍କୁ ବ୍ୟସ୍ତ ନହୋଇ ‌ଧୈର୍ଯ୍ୟର ସହ ନିଜ ପାଇଁ ଚିକିତ୍ସା ଚୟନ କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ସୁକାନ୍ତ ଦାସ, କନ୍‌ସଲ୍‌ଟାଣ୍ଟ୍‌ ନେଫ୍ରୋଲୋଜିଷ୍ଟ ତଥା କିଡ୍‌ନି ଟ୍ରାନ୍‌ସ୍‌ପ୍ଲାଣ୍ଟ ବିଶେଷଜ୍ଞ, ଆମ୍ରି ହସ୍ପିଟାଲ

ସମ୍ବନ୍ଧିତ ଖବର

Leave A Reply

Your email address will not be published.