ଆଜି ବିଶ୍ୱ ସଂଗୀତ ଦିବସ: ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମୋହର କେବେ ?

ଭୁବନେଶ୍ୱର: ଓଡ଼ିଶୀ ସଂଗୀତ ଶାସ୍ତ୍ରୀୟ। ଏହାକୁ ଶାସ୍ତ୍ରୀୟ ମାନ୍ୟତା ମିଳୁ। ଢେର୍‌ ବର୍ଷ ହେବ ଓଡ଼ିଶାର ଭୌଗଳିକ ସୀମା ସରହଦ ଭିତରେ କେବଳ ଏମିତି କାନ୍ଦଣା ହିଁ ଶୁଭୁଛି। ଯେବେ ବିଶ୍ୱ ସଂଗୀତ ଦିବସ ଆସୁଛି, ଏ କାନ୍ଦଣାର ସ୍ୱର ଆହୁରି ଗାଢ଼ ହେଉଛି। କିନ୍ତୁ ୫ ବର୍ଷ ପରେ ବି ଶାସ୍ତ୍ରୀୟ ମାନ୍ୟତା ପାଇଁ ବାଟ ଫିଟିପାରିନି। ଓଡ଼ିଶୀ ସଂଗୀତର ନିଜସ୍ୱ ରାଗରାଗେଣୀ ରହିଛି। ମାତ୍ର ଏବେ ବି ଓଡ଼ିଶୀ ଗାଇବା ବେଳେ ୮୦ ପ୍ରତିଶତ ରାଗ ହିନ୍ଦୁସ୍ତାନୀ ଅବା କର୍ଣ୍ଣାଟକୀ ରାଗକୁ ଉଦ୍ଧାର କରିି ଅନେକ ଗାଉଛନ୍ତି ବୋଲି କିଛି ଗବେଷକ କହିଛନ୍ତି। ଓଡ଼ିଶୀ ନୃତ୍ୟକୁ ଅନେକ ବର୍ଷ ତଳୁ ଶାସ୍ତ୍ରୀୟ ମାନ୍ୟତା ମିଳିସାରିଛି। ୫ ବର୍ଷ ତଳେ ଓଡ଼ିଆ ଭାଷାକୁ ବି ମାନ୍ୟତା ମିଳିଛି। କିନ୍ତୁ ଏଯାଏଁ ଓଡ଼ିଶୀ ସଂଗୀତକୁ ଏହା ମିଳିପାରୁନାହିଁ। ଏନେଇ ଓଡ଼ିଶା ସଂଗୀତ ନାଟକ ଏକାଡେମିଠୁ ଆରମ୍ଭ କରି ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଅନେକ କିଛି ହୋଇଛି। କିନ୍ତୁ ଏଯାଏଁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟକୁ ମନାଇବା ଭଳି ଗବେଷଣାଲବ୍ଧ ତଥ୍ୟ ଉପସ୍ଥାପନ କରାଯାଇପାରିନି।

୨୦୧୩ରୁ ଏନେଇ ସଂସ୍କୃତି ବିଭାଗ ଅଣ୍ଟା ଭିଡ଼ିଲାଣି। ଏନେଇ କଣ୍ଠଶିଳ୍ପୀ, ଗୀତିକାର, ଓଡ଼ିଶୀ ନୃତ୍ୟଶିଳ୍ପୀ, ଗବେଷକଙ୍କଠାରୁ ୨୦୧୪ରେ ପ୍ରବନ୍ଧ ସଂଗ୍ରହ କରାଯାଇଥିଲା। ତଥାପି ମାନ୍ୟତା ପାଇବାର ଆଶା ଏଯାଏଁ ଉଙ୍କି ମାରିନାହିଁ। ଗତ ୫ ବର୍ଷରେ ଆମେ କେତେ ଆଗେଇଛୁ ତାହାର ତର୍ଜମା ଏଯାଏଁ ହୋଇନାହିଁ। ଏନେଇ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଡ.ସଂଗୀତା ଗୋସାଇଁ କହିଛନ୍ତି, କେନ୍ଦ୍ର ଆରମ୍ଭ ଦିନରୁ ଏଯାବତ ଓଡ଼ିଶୀ ସଂଗୀତକୁ ନେଇ ୧୫୦ରୁ ଊର୍ଧ୍ୱ ଆଲୋଚନାଚକ୍ର ହୋଇଛି। ଏହି ଆଧାରରେ ବହି ପ୍ରସ୍ତୁତ ହୋଇଛି। ଶାସ୍ତ୍ରୀୟ ମାନ୍ୟତା ପାଇଁ ଏକ ରିପୋର୍ଟ ଦିଲ୍ଲୀସ୍ଥିତ ସଂସ୍କୃତି ମନ୍ତ୍ରାଳୟକୁ ପଠାଯାଇଛି। ମାତ୍ର ଏହା ଅନେକ ଦିନ ବିତିଯାଇଥିବାରୁ ପୁନର୍ବାର ଗୁରୁ ରାମହରି ଦାସ, ଗଣେଶ ପ୍ରସାଦ ଦାସ, କୀର୍ତନ ନାରାୟଣ ପାଢ଼ୀ, ଚିତ୍ତରଂଜନ ମଲିଆ, ରଘୁନାଥ ପଣ୍ଡା ଓ ସଂଗୀତା ଗୋସାଇଁଙ୍କୁ ନେଇ ପୁନଃ ଏକ କମିଟି ବସି ଆଉ ଏକ ରିପୋର୍ଟ ପ୍ରସ୍ତୁତି ଚାଲିଛି। ତାହା ଖୁବ୍‌ଶୀଘ୍ର ଏକ ରିମାଇଣ୍ଡର ଭାବେ ପୁନଃ ସଂସ୍କୃତି ମନ୍ତ୍ରାଳୟକୁ ପଠାଯିବ ବୋଲି ସେ କହିଛନ୍ତି। ୨୦୧୩ରୁ ଆରମ୍ଭ ହୋଇଥିବା ଅଭିଯାନକୁ ୫ ବର୍ଷ ପୂରିଛି। ୨୩ ଜଣ ସଂଗୀତଜ୍ଞ, କଣ୍ଠଶିଳ୍ପୀ, ବାଦ୍ୟଶିଳ୍ପୀ, ଗବେଷକ ଓ ସମୀକ୍ଷକ ଯୋଗଦେଲେ। ରାଗ, ରାଗିଣୀ, ଜାଗ ଆଖଡ଼ା ସଂଗୀତ, ଆନୁସଙ୍ଗିକ କଳାରେ ଓଡ଼ିଶୀ ସଂଗୀତ ଓ ଗାୟନଶୈଳୀରେ ବୈଶିଷ୍ଟ୍ୟ ସମ୍ପର୍କରେ ରିପୋର୍ଟ ଦାଖଲ କରି ମତ ରଖିଛନ୍ତି। ମାତ୍ର ଏଯାଏଁ ସଂସ୍କୃତି ମନ୍ତ୍ରାଳୟକୁ ମନାଯାଇ ପାରିନି।

ସମ୍ବନ୍ଧିତ ଖବର