ମୋଦୀଙ୍କ ବିରୋଧରେ ବର୍ଷିଲେ ତୋଗାଡ଼ିଆ

ଭୁବନେଶ୍ବର: ମୋଦୀ ଜଣେ ଏକଛତ୍ରବାଦୀ ଶାସକ। ସେ ନିଜ ଦଳର କୌଣସି ବିଧାୟକ, ସାଂସଦ ଏମିତିକି ନିଜ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ ବିଶ୍ବାସକୁ ନିଅନ୍ତି ନାହିଁ। ରାମ ମନ୍ଦିର କଥା କହି ଶାସନକୁ ଆସିଲେ। ମାତ୍ର ଏବେ ରାମ ମନ୍ଦିରକୁ ଭୁଲିଗଲେଣି। ଏପରିକହି ମୋଦୀଙ୍କ ଉପରେ ବର୍ଷିଛନ୍ତି ‘ଆନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ’ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡାକ୍ତର ପ୍ରବୀଣ ଭାଇ ତୋଗାଡ଼ିଆ। ଇନ୍‌ଷ୍ଟିଚ୍ୟୁଟ୍ ଅଫ ଇଞ୍ଜିନିୟର୍ସ ପରିସରରେ ଆୟୋଜିତ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଏବଂ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଡାକ୍ତର ତୋଗାଡ଼ିଆ ମୋଦି, ବିଜେପି ଓ ଆର୍ଏସ୍ଏସ୍‌କୁ ଟାର୍ଗେଟ୍‌ କରିଥିଲେ। ନରେନ୍ଦ୍ର ମୋଦୀଙ୍କ ସରକାରରେ ଦେଶର ହିନ୍ଦୁ ମନ୍ଦିର, ମଠ, ଧାର୍ମିକ ସ୍ଥଳୀ, ବେକାର ଯୁବକ, ଯୁବତୀ, ଶିକ୍ଷାନୁଷ୍ଠାନ, ଶିକ୍ଷାର୍ଥୀ, ଚାଷୀ, ସେନାବାହିନୀ ବିଶେଷକରି କଶ୍ମୀର ଓ ଆସାମରେ ରହୁଥିବା ହିନ୍ଦୁମାନେ ଅସୁରକ୍ଷିତ ହୋଇ ପଡିଛନ୍ତି ବୋଲି କହିଥିଲେ। ବାଜପେୟୀଙ୍କଠାରୁ ମୋଦିଙ୍କ ଯାଏ ସବୁ ନେତା ରାମ ମନ୍ଦିର ନିର୍ମାଣ କରିବା ନାମରେ ଭୋଟ ଭିକ୍ଷା କରି କ୍ଷମତାକୁ ଆସିଲା ପରେ ଏ ପ୍ରସଙ୍ଗକୁ ପଛ କରି ଦେଇଛନ୍ତି। ସାଢେ ଚାରିବର୍ଷ ପରେ ଏବେ କିଛି ବିଜେପି ଓ ଆର୍‌ଏସ୍‌ଏସ୍‌ ନେତା ରାମ ମନ୍ଦିର କଥା ଉଠାଇ ପୁନର୍ବାର ହିନ୍ଦୁମାନଙ୍କୁ ଭଣ୍ଡାଇବାର ପ୍ରୟାସ କରାଯାଉଛି। ଯିଏ ରାମ ମନ୍ଦିରକୁ ଛାଡ଼ିଲା, ତାକୁ ହିନ୍ଦୁମାନେ ଛାଡ଼ିବେ। ସେ ରାମଙ୍କୁ ନ ଛାଡ଼ିବାରୁ ବିଶ୍ବ ହିନ୍ଦୁ ପରିଷଦ ଛାଡ଼ିଲେ ବୋଲି କହିଛନ୍ତି ତୋଗାଡ଼ିଆ। ଆସନ୍ତା ନିର୍ବାଚନରେ ହିନ୍ଦୁ ବିରୋଧୀଙ୍କୁ ଉଚିତ ଶାସ୍ତି ଦିଆଯିବ। ମୋଦିଙ୍କୁ ହଟାଇବା ପାଇଁ ଆରମ୍ଭ ହୋଇଥିବା ‘ମୋଦି ବିରୋଧୀ ଅଭିଯାନ’ ଭୁବନେଶ୍ବରରୁ ଆରମ୍ଭ ହେଲା ବୋଲି ‌ଆଜି ତୋଗାଡ଼ିଆ ଘୋଷଣା କରିଛନ୍ତି।

ରାମ ମନ୍ଦିର ନିର୍ମାଣ ନେଇ ସେ ସମସ୍ତ ହିନ୍ଦୁମାନଙ୍କୁ ଆହ୍ବାନ ଜଣାଇଛନ୍ତି। ଅକ୍ଟୋବର ୨୧ରୁ ୨୩ ଯାଏ ୩ ଦିନ ଧରି ଲ‌େକ୍ଷ୍ନୗରୁ ଅଯୋଧ୍ୟା ପର୍ଯ୍ୟନ୍ତ ୨୦୦ କିଲୋମିଟର ପଦଯାତ୍ରା ଆୟୋଜିତ ହେବ। ଏଥିରେ ଦେଶରୁ ମୋଟ ୨୫ ଲକ୍ଷ ହିନ୍ଦୁ ଯୋଗଦେବେ ବୋଲି ପ୍ରବୀଣ ଭାଇ ଆଜି ସୂଚନା ଦେଇଛନ୍ତି। ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀ, ସ୍ବାମୀ କ୍ରିଷ୍ଣ ଚୈତନ୍ୟ, ଆନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଓଡ଼ିଶା ମାର୍ଗଦର୍ଶକ ଡ. ବଦ୍ରି ନାରାୟଣ ପଟ୍ଟନାୟକ, ସଭାପତି ସଂଗ୍ରାମ ଆଚାର୍ଯ୍ୟ, ଯତୀନ କୁମାର ସ୍ବାଇଁ, ଅରୁଣ ଉପାଧ୍ୟାୟ ପ୍ରମୁଖ ହିନ୍ଦୁତ୍ବବାଦୀ ନେତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର