ଓଡ଼ିଆଟିଏ ହେବାକୁ ଓଡ଼ିଆମି ଦରକାର

‘ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା’ର ଉଦ୍‌ଯାପନୀ ଉତ୍ସବର ଚତୁର୍ଥ ସନ୍ଧ୍ୟା

ଭୁବନେଶ୍ୱର: ସକାଳୁ ଉଠି ଓଡ଼ିଆଣୀଟିଏ ଦାଣ୍ଡ ଓଳାଇ, ଗୋବର ପାଣି ଛିଞ୍ଚି ମୁରୁଜ ପକାଇବାର ପରମ୍ପରା ବହୁ ପୁରାତନ। ଆଜି ଏହି ଗାଁ ପରିବେଶ ସୃଷ୍ଟି ହୋଇଥିଲା ରାଜଧାନୀର ଏକାମ୍ର ହାଟ ମୁକ୍ତାକାଶ ମଞ୍ଚରେ। ଓଡ଼ିଆଣୀଙ୍କ ରଙ୍ଗ ବେରଙ୍ଗର ମୁରୁଜରେ ଆକର୍ଷିତ ହେଉଥିଲେ ଦର୍ଶକ। ମଞ୍ଚରେ ପଞ୍ଚୁକର ଭ୍ରମ ସୃଷ୍ଟି କରୁଥିଲା ପଞ୍ଚ ମୁରୁଜର ଶୋଭା। ଓଡ଼ିଆଣୀଙ୍କ ମୁରୁଜ ପକାକୁ ମୂଲ୍ୟାୟନ କରୁଥିଲେ ଚିତ୍ରଶିଳ୍ପୀ ସୁବ୍ରତ ମଲ୍ଲିକ, ବିଦ୍ୟୁତ୍‌ଲତା ପାଟ୍ଟଶାଣୀ ଓ ଚିନ୍ତାମଣି ବିଶ୍ୱାଳ। ଓଡ଼ିଆ ଚାଲିଚଳଣୀ, ପରମ୍ପରା, ମାତୃଭାଷାକୁ ଓଡ଼ିଆଙ୍କ ମଧ୍ୟରେ ପୁନଃ ଆଦୃତ କରିବା ଉଦ୍ଦେଶ୍ୟରେ ‘ସଂଭାବନା’ ପକ୍ଷରୁ ଆୟୋଜିତ ତ୍ରୟୋଦଶ ଓଡ଼ିଆ ମହୋତ୍ସବର ମୁଖ୍ୟ ଆକର୍ଷଣ ‘ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା’ର ଆଜି ଥିଲା ଉଦ୍‌ଯାପନୀ ଉତ୍ସବର ଚତୁର୍ଥ ସନ୍ଧ୍ୟା। ସାଂସଦ ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦ୍‌ଘାଟନ କରଥିିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଲେ, ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତାର ପରିକଳ୍ପନା ଅତ୍ୟନ୍ତ ପ୍ରାସଙ୍ଗିକ ଓ ଉପାଦେୟ। ଓଡ଼ିଆଟିଏ ହେବା ପାଇଁ ଆମ ନିକଟରେ ଓଡ଼ିଆମି ରହିବା ଦରକାର। ଓଡ଼ିଶାର ସବୁ କିଛିକୁ ନେଇ ଗର୍ବ ଅନୁଭବ କରିବାର ଅଭ୍ୟାସ ହେଉଛି ଓଡ଼ିଆମି। ଆଜି ସମସ୍ତ ପ୍ରତିକୂଳ ପରିବେଶ ସତ୍ତ୍ୱେ ଆମ ଭିତରେ ଓଡ଼ିଆମିଟିକୁ ଫେରାଇ ଆଣିବା ପାଇଁ ଏକ ବିରାଟ ଉଦ୍ୟମ ଆରମ୍ଭ ହୋଇଛି। ଆମ ଓଡ଼ିଆ ଜାତିର ମୂଳ ପିଣ୍ଡଟି ହେଉଛି ଭାଷା। ଏହାକୁ ଆମେ ବ୍ୟବହାର ନ କଲେ, ଅନ୍ୟ ଯେତେ ଦୃଷ୍ଟିରୁ ଆମେ ସମୃଦ୍ଧ ହେଲେ ବି ନିଜକୁ ଆମେ ଓଡ଼ିଆ ବୋଲି ପ୍ରତିପାଦିତ କରିପାରିବା ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଆଜିର କାର୍ଯ୍ୟକ୍ରମରେ ପ୍ରମୁଖ ଅତିଥି ଭାବେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଓ ଗତ ବର୍ଷର ଶ୍ରେଷ୍ଠ ଓଡ଼ିଆଣୀ ମଧୁସ୍ମିତା ଦାସ ଯୋଗ ଦେଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ର ସଭାରେ ସଭାପତିତ୍ୱ କରିଥିଲେ ଓ ସମ୍ପାଦକ ଦେବପ୍ରସାଦ ପରିଜା ଧନ୍ୟବାଦ ଅର୍ପଣ କରିଥିଲେ। ସଂଧ୍ୟାର ଶିଶୁ କିଶୋର ପ୍ରତିଯୋଗିତାରେ ପ୍ରତିଯୋଗୀଙ୍କ ମଧ୍ୟରେ ସଙ୍ଗୀତ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

ସମ୍ବନ୍ଧିତ ଖବର