ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା: ମଞ୍ଚରୁ ଶୁଭିଲା ଶଙ୍ଖ, ପୁରାଣ ପାଠ ଧ୍ବନି

ଭୁବନେଶ୍ୱର: ମଞ୍ଚ ଉପରୁ ଭାସି ଆସୁଥିଲା ପବିତ୍ର ଶଙ୍ଖ ଓ ପୁରାଣ ପାଠର ଧ୍ବନି। ମଥାରେ ଓଢ଼ଣୀ ଓ ସିନ୍ଦୂର, ହାତରେ ନାଲି ଶଙ୍ଖ, ଚୁଡ଼ିରେ ସୁସଜ୍ଜିତ ଓଡ଼ିଆଣୀମାନଙ୍କୁ ଦେଖି ଓଡ଼ିଆ ଓଡ଼ିଆ ଲାଗୁଥିଲା ପରିବେଶ। ଆଜି ପବିତ୍ର ଉତ୍କଳ ଦିବସ ଅବସରରେ ‘ସଂଭାବନା’ ପକ୍ଷରୁ ଏକାମ୍ର ହାଟ ମୁକ୍ତ ମଞ୍ଚରେ ଆରମ୍ଭ ହୋଇଯାଇଥିଲା ‘ଚତୁର୍ଦ୍ଦଶ ଓଡ଼ିଆ ମହୋତ୍ସବ’ର ପ୍ରମୁଖ କାର୍ଯ୍ୟକ୍ରମ ‘ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା’। ଏଥିସହ ‘ଶିଶୁ-କିଶୋର ଓଡ଼ିଆ ସ୍ବାଭିମାନ ପ୍ରତିଯୋଗିତା’ ମଧ୍ୟ ଆଜିଠାରୁ ଆରମ୍ଭ ହୋଇଯାଇଛି। ଏହି ଅବସରରେ ଶିଶୁ ଓ କିଶୋରମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକ, ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ସୁଜାତା ମହାପାତ୍ର ପ୍ରମୁଖ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ। ଏହାସହ ସମ୍ମାନିତ ଅତିଥି ଭାବେ ୨୦୧୭ର ଶ୍ରେଷ୍ଠ ଓଡ଼ିଆଣୀ ଚନ୍ଦ୍ରପ୍ରଭା ଦାସ ଓ ଓଡ଼ିଆଣୀ ସମିତିର ସଂଯୋଜିକା ସୌଦାମିନୀ ସାମଲ ଉପସ୍ଥିତ ଥିଲେ। ପୁରାଣ ପାଠ ପ୍ରତିଯୋଗିତାରେ ବିଚାରକ ଭାବେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଓ ପାଲା ଗାୟକ ସୁରେନ୍ଦ୍ର ଛୋଟରାୟ ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଆ‌ ମହୋତ୍ସବର ଅଧ୍ୟକ୍ଷ ରାଜୀବ ଶେଖର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଂଧ୍ୟାରେ ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ର ମହୋତ୍ସବ ସଂପର୍କରେ କହିଥିଲେ। ‘ସଂଭାବନା’ର ପରିଚାଳନା ଟ୍ରଷ୍ଟି ଦେବ ପ୍ରସାଦ ପରିଜା ପ୍ରାରମ୍ଭିକ ସୂଚନା ଦେଇଥିଲେ। ଏହି ଅବସରରେ କଣ୍ଠଶିଳ୍ପୀ ସିଦ୍ଧାନ୍ତ ଶତପଥୀ, ଅର୍ଣ୍ଣବ ପଣ୍ଡା, ସତ୍ୟ ସାର୍ଥକ, ଋତିକା ରିମ୍‌ଝିମ୍ ଓ ଇପ୍ସିତା ମହାନ୍ତି ପ୍ରମୁଖଙ୍କ ସ୍ବରରେ ଓଡ଼ିଆତ୍ବ ମୂର୍ଚ୍ଛନାରେ ମୁଖରିତ ହୋଇଥିଲା ପରିବେଶ। ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ‘ଓଡ଼ିଶାରେ ଗାନ୍ଧୀ’ ଓ ‘କଳାର କୋଣାର୍କ’ ଶୀର୍ଷକ ଚିତ୍ର‌ାଙ୍କନ କରିଥିଲେ ଶିଶୁ-କିଶୋରମାନେ।

ଏହି ଅବସରରେ ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ନିର୍ଦ୍ଦେଶନାରେ ‘ତ୍ରିଧାରା’ର ଶିଳ୍ପୀମାନେ ଓଡ଼ିଶୀରେ ଦୁର୍ଗା ତାଣ୍ଡବ ପରିବେଷଣ କରିଥିବା ବେଳେ ଗୁରୁ ଇତିଶ୍ରୀ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଅନୁଷ୍ଠାନର ଶିକ୍ଷାର୍ଥୀମାନେ ଓଡ଼ିଶୀ ନୃତ୍ୟରେ ଗଣେଶ ତାଣ୍ଡବ ପରିବେଷଣ କରିଥିଲେ। ସେହିଭଳି ‘ଶୁଭସଂଧ୍ୟା ଏକାଡେମି’ର ଶିଳ୍ପୀମାନେ ଗଙ୍ଗା ତରଙ୍ଗ ପ୍ରସ୍ତୁତ କରିଥିଲେ। ‘ସଂଭାବନା’ର ଟ୍ରଷ୍ଟି ସ୍ମୃତି ମହାନ୍ତିଙ୍କ ମୁଖ୍ୟ ପରିଚାଳନା ଏବଂ ସତ୍ୟବ୍ରତ ମହାପାତ୍ର, ପ୍ରଫୁଲ୍ଲ ଦେ, ଅଭିରାମ ସାହୁ, ଗୁରୁ ପ୍ରସାଦ ଦାସ, ପ୍ରଫେସର ପ୍ରେମ ପ୍ରକାଶ ସିଂ, ସୁଜିତ ପଟ୍ଟନାୟକଙ୍କର ସଂଚାଳନରେ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର