ତୋଷାଳି ମେଳାର ଅଷ୍ଟମ ସଂଧ୍ୟା : ପ୍ରଣବଙ୍କ ସଂଗୀତରେ ଭିଜିଲେ ଦର୍ଶକ

ଭୁବନେଶ୍ୱର : ଜନତା ମଇଦାନରେ ଆୟୋଜିତ ହୋଇଥିବା ଜାତୀୟ ତୋଷାଳି ମେଳାର ଅଷ୍ଟମ ସଂଧ୍ୟାରେ ଅନୁଷ୍ଠିତ ହୋଇଥିଲା ପ୍ରସିଦ୍ଧ ସଙ୍ଗୀତ ରଚୟିତା ତଥା ଗାୟକମାନଙ୍କ ସଙ୍ଗୀତ କାର୍ଯ୍ୟକ୍ରମ। ଓଡ଼ିଶାର ମଉଡ଼ମଣି ଓ ଏହି ବର୍ଷର ଜୟଦେବ ସମ୍ମାନରେ ସମ୍ମାନିତ ପ୍ରଣବ କିଶୋର ପଟ୍ଟନାୟକଙ୍କ କଣ୍ଠରୁ ମାଝିରେ…ଶେଷ ଶ୍ରାବଣ ଗୀତ ଦର୍ଶକଙ୍କୁ ମତୁଆଲା କରିଥିଲା। ସୌରଭ ନାୟକ ଓ ଇତିଶ୍ରୀ ବେହେରା (ଚାନ୍ଦିନୀ) ମଧ୍ୟ ଗୀତ ପରିବେଷଣ କରିଥିଲେ। ଏହି ସଂଗୀତ ଆସରରେ ମଜ୍ଜି ବହୁ ଦର୍ଶକ ନିଜ ପୁରୁଣା ସ୍ମୃତିକୁ ସାଉଁଟି ଥିଲେ। ଅନ୍ୟ ପକ୍ଷରେ ଅନ୍ୟ ଦିନଗୁଡ଼ିକ ଭଳି ଆଜି ସଂଧ୍ୟାରେ ମଧ୍ୟ ମେଳାରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା।

ଶିଶୁଙ୍କ ଓ୍ଵାଟରବୋଟ୍‌ ମଜା

ତୋଷାଳି ମେଳାରେ ପ୍ରଥମ କରି ଛୋଟ ଛୋଟ ପିଲାଙ୍କ ମନୋରଂଜନ ପାଇଁ ଓ୍ଵାଟରବୋଟ୍‌ ଉପଲବ୍ଧ ହେଉଛି। ୧୫-୧୭ କେଜି ଓଜନର ଶିଶୁ ଏହି ଓ୍ଵାଟରବୋଟ୍‌ର ମଜା ନେଉଛନ୍ତି। ୩୦ଫୁଟରେ ୩୦ ଫୁଟ୍‌ ଅଞ୍ଚଳ ପରିମିତ ଏହି ଓ୍ଵାଟରପାର୍କରେ ଏକ ଫୁଟ୍‌ ଗଭୀରର ପାଣି ରହିଛି। ଆଠଟି ଓ୍ଵାଟରବୋଟ୍‌ର ବ୍ୟବସ୍ଥା ରହିଛି ଏହି କୁତ୍ରିମ ହ୍ରଦରେ। ଯାଜପୁର ଅଞ୍ଚଳର ଶରତ ସାହୁ ଶିଶୁଙ୍କ ପାଇଁ ଏହି ଓ୍ଵାଟରପାର୍କର ବ୍ୟବସ୍ଥା କରିଛନ୍ତି। ଟିକେଟ୍‌ର ମୂଲ୍ୟ ମାତ୍ର ଦଶ ଟଙ୍କା ରଖାଯାଇଛି। ରାଜଧାନୀରେ ଛୋଟ ପିଲାଙ୍କ ପାଇଁ ନିରାପଦରେ ବୋଟିଂ କରିବାର ଅବସର ଆସିଥିବାରୁ ଅଭିଭାବକମାନେ ମଧ୍ୟ ନିଜ ନିଜ ପିଲାଙ୍କୁ ଏହାର ମଜା ନେବାକୁ ସୁଯୋଗ ଦେଉଛନ୍ତି। ସୁରକ୍ଷା ଦୃଷ୍ଟିରୁ ଏହା ଅତ୍ୟନ୍ତ ନିରାପଦ ଥିବାରୁ ମେଳାକୁ ବୁଲିଆସୁଥିବା ଯେକୌଣସି ଛୋଟ ପିଲା ଏହି ଓ୍ଵାଟରବୋଟ୍‌ର ମଜା ନେବାକୁ ଜିଦ୍‌ କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର