ଓଡ଼ିଶା ଟ୍ରାଭେଲ୍ ବଜାର: ଐତିହ୍ୟ ପଦଯାତ୍ରାରେ ସାମିଲ୍ ହେଲେ ଟୁର୍ ଅପରେଟର

ଭୁବନେଶ୍ବର: ଓଡ଼ିଶା ଟ୍ରାଭେଲ୍ ବଜାରରେ ସାମିଲ୍ ହୋଇଥିବା ଜାତୀୟସ୍ତରର ଜଣାଶୁଣା ଟୁର୍ ଅପରେଟରମାନେ ଆଜି ପୁରୁଣା ଭୁବନେଶ୍ବରରେ ଆୟୋଜିତ ଐତିହ୍ୟ ପଦଯାତ୍ରାରେ ସାମିଲ୍ ହୋଇଥିଲେ। ବିଶେଷକରି ମନ୍ଦିର ମାଳିନୀ ଏକାମ୍ର କ୍ଷେତ୍ରରେ ମନ୍ଦିରର କାରୁକାର୍ଯ୍ୟ ଓ କୀର୍ତିରାଜି ଦେଖି ଅଭିଭୂତ ହୋଇଥିଲେ। ପର୍ଶୁରାମେଶ୍ବର ପୀଠରୁ ଆରମ୍ଭ କରି ବିନ୍ଦୁସାଗର ନିକଟସ୍ଥ ଔଷଧ ଉଦ୍ୟାନ ବୁଲି ଦେଖିଥିଲେ। ସେମାନେ ୭ଟି ଐତିହ୍ୟ କୀର୍ତିରାଜି ବୁଲି ଦେଖିବା ସହ ଓଡ଼ିଶା ପର୍ଯ୍ୟଟନର ପ୍ରସାର ଓ ବିପଣନରେ ଭୂମିକା ନେବେ ବୋଲି ମତ ରଖିଥିଲେ। ପର୍ଯ୍ୟଟନ ଗାଇଡ୍ ତପନ କୁମାର ମିଶ୍ର ଟୁର୍ ଅପରେଟର୍‌ମାନଙ୍କୁ ମନ୍ଦିରର ନିର୍ମାଣ ଶୈଳୀ ଓ ସ୍ଥାପତ୍ୟର ବିଶେଷତ୍ବ ସମ୍ପର୍କରେ ବୁଝାଇଥିଲେ। ରାଜ୍ୟ ପର୍ଯ୍ୟଟନ ଓ ଫିକି ଆନୁକୂଲ୍ୟରେ ଗତକାଲିଠାରୁ ବିପଣନ କାର୍ଯ୍ୟକ୍ରମ ତଥା ବୈଠକ ଆରମ୍ଭ ହୋଇଥିବା ବେଳେ ଟୁର୍ ଅପରେଟରମାନେ ଓଡ଼ିଶାର ଐତିହ୍ୟ, ବୌଦ୍ଧ ସ୍ମାରକୀ କ୍ଷେତ୍ର, ଜନଜାତି ପର୍ଯ୍ୟଟନକୁ ନେଇ ବେଶ୍ ଆଗ୍ରହ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର