ପର୍ଯ୍ୟଟନ ବିଭାଗର ପର୍ଯ୍ୟଟନ ଦିବସ: ପଦଯାତ୍ରା.. ଖାଦ୍ୟ ମହୋତ୍ସବ.., ନାଟକ..

ଭୁବନେଶ୍ୱର:ପଦଯାତ୍ରା, ଖାଦ୍ୟ ମହୋତ୍ସବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଶ୍ବ ପର୍ଯ୍ୟଟନ ଦିବସ ପାଳନ କରିଛି ଓଡ଼ିଶା ପର୍ଯ୍ୟଟନ ବିଭାଗ। କ୍ରୀଡ଼ା ପର୍ଯ୍ୟଟନ ତଥା ଆସନ୍ତା ନଭେମ୍ବରରୁ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ହକି ପୁରୁଷ ବିଶ୍ବକପ୍‌କୁ ଦୃଷ୍ଟିରେ ରଖି କଳିଙ୍ଗ ଷ୍ଟାଡିୟମରୁ ପଦଯାତ୍ରା ଆରମ୍ଭ ହୋଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା ଉପସ୍ଥିତ ଥିବା ବେଳେ ପର୍ଯ୍ୟଟନ ସଚିବ ବିଶାଲ ଦେବ ଏବଂ ନିର୍ଦେଶିକା ଅର୍ଚନା ପଟ୍ଟନାୟକ ପଦଯାତ୍ରାରେ ସାମିଲ୍‌ ହୋଇଥିଲେ। ପଦଯାତ୍ରାରେ ଛାତ୍ର, ବରିଷ୍ଠ ନାଗରିକଙ୍କ ସମେତ ହୋଟେଲ୍‌ ଓ ରେ‌ାସ୍ତୋରାଁ ଆସୋସିଏସନ୍‌, ଟ୍ରାଭେଲ୍‌ ଆସୋସିଏସନ୍‌, ଟୁର୍‌ ଅପରେଟର୍ସ ଓ ରାଜ୍ୟ ଟୁରିଷ୍ଟ୍‌ ଗାଇଡ୍‌ ଆସୋସିଏସନ୍‌ର ପ୍ରତିନିଧିବୃନ୍ଦ ସାମିଲ୍‌ ହୋଇଥିଲେ। ୬ଟି ସ୍ଥାନରେ ପଦଯାତ୍ରୀମାନଙ୍କୁ ଗୋଟିପୁଅ, ସମ୍ବଲପୁରୀ, ଓଡ଼ିଶୀ, ଆଦିବାସୀ ନୃତ୍ୟ ଓ ମେଢ଼ ନାଚ ପରିବେଷଣ ପୂର୍ବକ ସ୍ବାଗତ କରାଯାଇଥିଲା। ପ୍ଲାଷ୍ଟିକ୍‌ମୁକ୍ତ ଓ ପରିଚ୍ଛନ୍ନ ଓଡ଼ିଶାର ସ୍ଲୋଗାନ୍‌ ଦିଆଯାଇଥିଲା। ପଦଯାତ୍ରା ଉତ୍କଳ ମଣ୍ଡପରେ ଶେଷ ହୋଇଥିଲା। ଅପରାହ୍‌ଣରେ ପ୍ରଦର୍ଶନୀ ପଡ଼ିଆରେ ଓଟିଡିସି ଏବଂ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ୍‌ ସହଯୋଗରେ ‘ଖାଦ୍ୟ ମହୋତ୍ସବ’ ଉଦ୍‌ଘାଟିତ ହୋଇଛି। ମୋଟ ୨୨ଟି ଖାଦ୍ୟ ଷ୍ଟଲ୍‌ ଖୋଲିଥିବା ବେଳେ ଓଡ଼ିଆ ପିଠା, ମୁଗଲାଇ, କବାବ୍‌, ବିରିୟାନି, ମକ୍‌ଟେଲ୍‌, ପିଜା, ଚକୁଳି, ମାଂସ, ସମୁଦ୍ର ମାଝ, ଦୁଗ୍ଧଜାତ ଖାଦ୍ୟ ଏବଂ ଜନଜାତି ଖାଦ୍ୟ ଉପଲବ୍ଧ ହେଉଛି। ପର୍ଯ୍ୟଟନ ନିର୍ଦେଶକ ଅର୍ଚନା ପଟ୍ଟନାୟକ ଖାଦ୍ୟ ମହୋତ୍ସବକୁ ଉଦ୍‌ଘାଟନ କରିଛନ୍ତି। ଆସନ୍ତା ୬ତାରିଖ ପର୍ଯ୍ୟନ୍ତ ଏହା ଚାଲିବାକୁ ଥିବା ବେଳେ ଦିନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଲୋକେ ଖାଦ୍ୟର ମଜା ନେଇପାରିବେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଯୁଗ୍ମ ନିର୍ଦେଶକ ଉତ୍ପଳ ପତି, ସହ ନିର୍ଦେଶକ ସୁନିଲ ପଟ୍ଟନାୟକ, ବରିଷ୍ଠ ପଦାଧିକାରୀ ରତିକାନ୍ତ ପଟ୍ଟନାୟକ, ପିକେ ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ସନ୍ଧ୍ୟାରେ ପର୍ଯ୍ୟଟନ ବିଭାଗର ସାଂସ୍କୃତିକ ପରିଷଦ ପକ୍ଷରୁ ରବୀନ୍ଦ୍ର ମଣ୍ଡପ‌ରେ ନାଟକ ‘କେମିତି ସହିବି କୁହ’ ମଞ୍ଚସ୍ଥ ହୋଇଥିଲା। ନିହାର ରଂଜନ ମହାନ୍ତିଙ୍କ ରଚନାରେ ଅନନ୍ତ କିଶୋର ସାହୁ ନିର୍ଦେଶନା ଦେଇଥିଲେ। ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପର୍ଯ୍ୟଟନ ସଚିବ ବିଶାଲ ଦେବ, ନିର୍ଦେଶିକା ଅର୍ଚନା ପଟ୍ଟନାୟକ, ଯୁଗ୍ମ ସଚିବ ମାଗୁଣି ଚରଣ ପାତ୍ର, ଆଇଆଇଟିଟିଏମ୍‌ର ଆଞ୍ଚଳିକ ଅଧିକାରୀ ଶରତ ଲେଙ୍କା ଉପସ୍ଥିତ ଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର