ଟ୍ରେଡ୍‌ ଲାଇସେନ୍ସ ଥିଲେ ଦୋକାନକୁ ଜିନିଷ ଆଣିପାରିବ

ଭୁବନେଶ୍ବର : ରାଜଧାନୀରେ ବ୍ୟବସାୟ କରିବା ପାଇଁ ଟ୍ରେଡ୍‌ ଲାଇସେନ୍ସ ବାଧ୍ୟତାମୂଳକ ବୋଲି ବିଏମ୍‌ସି ନିୟମ କରିଛି। ଏହାକୁ ବହୁ ବ୍ୟବସାୟୀ ମାନୁଥିବା ବେଳେ କିଛି ବ୍ୟବସାୟୀ ମାନୁନାହାନ୍ତି। ହେଲେ ଏବେ ରାଜ୍ୟ ସରକାର ନିୟମ କରିଛନ୍ତି ଯେ ଲକ୍‌-ଡାଉନ୍ ଭଳି ସ୍ଥିତିରେ କେବଳ ଟ୍ରେଡ୍‌ ଲାଇସେନ୍ସ ଥିବା ବ୍ୟବସାୟୀ ହିଁ ଦୋକାନକୁ ମାଲ୍‌ ଆଣିପାରିବେ। ଯେଉଁ ଗାଡ଼ି‌ରେ ମାଲ୍‌ ଆସିବ, ସେହି ଗାଡ଼ି ଚାଳକ କେଉଁ ଦୋକନକୁ ମାଲ୍‌ ନେଉଛନ୍ତି ତା’ର ଟ୍ରେଡ୍ ଲାଇସେନ୍ସ ପ୍ରମାଣ ଭାବେ ଦେଖାଇବେ। ତା’ପରେ ହିଁ ଗାଡ଼ିକୁ ଛଡ଼ାଯିବ। ରାଜ୍ୟ ସରକାର ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ଏହି ନିୟମ କରିବା ପରେ ବହୁ ବ୍ୟବସାୟୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ଅନେକଙ୍କ ପାଖରେ ଟ୍ରେଡ୍‌ ଲାଇସେନ୍ସ ନଥିବାରୁ କିପରି ଦୋକାନକୁ ସାମଗ୍ରୀ ଆଣିବେ ସେ ଚିନ୍ତା ଘାରିଛି। ଏପରିକି ବହୁ ବ୍ୟବସାୟୀ ରାସ୍ତା କଡ଼ରେ ସାମଗ୍ରୀ ବିକ୍ରି କରୁଥିବାରୁ ସେମାନେ କିପରି ସାମଗ୍ରୀ ଆଣିବେ ସେ ଚିନ୍ତାରେ ପଡ଼ି ଯାଇଛନ୍ତି। ଏଭଳି ସ୍ଥିତିରେ ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ବ୍ୟବସାୟୀମାନେ ଅନଲାଇନରେ ଆବେଦନ କରି ଟ୍ରେଡ୍‌ ଲାଇସେନ୍ସ ପାଇପାରିବେ। ଭୁବନେଶ୍ବର.ମି ୱେବସାଇଟ୍‌କୁ ଯାଇ ଆବେଦନ କରିପାରିବେ। ସବୁ ଡକୁମେଣ୍ଟ ଠିକ୍ ଥିଲେ ଦିନେରୁ ଦୁଇ ଦିନ ମଧ୍ୟରେ ଲାଇସେନ୍ସ ମିଳିଯିବ।

ସମ୍ବନ୍ଧିତ ଖବର