ଟ୍ରାଫିକ୍‌ ଜରିମାନା : ୪୦ ଦିନରେ ୨୦ ଲକ୍ଷରୁ ଅଧିକ ଆଦାୟ

ଭୁବନେଶ୍ୱର : ରାସ୍ତା ଦୁର୍ଘଟଣା କମାଇବା ପାଇଁ ମୋଟର ଯାନ ଆଇନ(ଏମ୍‌ଭି ଆକ୍ଟ) ଓ ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ(ଓୟୁପି) ଉଲ୍ଲଂଘନକାରୀଙ୍କ ଠାରୁ ପୁଲିସ ଜରିମାନା ଆଦାୟ କରୁଛି। ଏହି ଜରିମାନା ଆଦାୟରେ ସ୍ବଚ୍ଛତା ଆଣିବା ସହ ସହଜ କରିବା ପାଇଁ ରସିଦ୍‌ ବ୍ୟବହାରକୁ ଉଚ୍ଛେଦ କରି ଇ-ଚାଲାଣ ବ୍ୟବସ୍ଥା ଲାଗୁ କରାଯାଇଛି। ପରିବହନ ବିଭାଗ କିଛି ଦିନ ତଳେ ଏହି ବ୍ୟବସ୍ଥା ଆରମ୍ଭ କରିଥିବା ବେଳେ କମିସନରେଟ୍‌ ପୁଲିସ ମଧ୍ୟ ଏହି ବ୍ୟବସ୍ଥାକୁ ଆପଣେଇଛି। ତେବେ ବିଗତ ୪୦ ଦିନ ଭିତରେ କମିସନରେଟ୍‌ ପୁଲିସ କେବଳ ଭୁବ‌ନେଶ୍ବରରୁ ୨୦ ଲକ୍ଷ ୬୧ ହଜାର ୭ଶହ ଟଙ୍କା ଜରିମାନା ଆଦାୟ କରିଛି। ଏମ୍‌ଭି ଆକ୍ଟ ବଳରେ ୫ ହଜାର ୮ଶହ ୯୦ ଧରାପଡ଼ିଥିବା ବେଳେ ଓୟୁପି ଆକ୍ଟ ବଳରେ ୨ ହଜାର ୭ଶହ ୧୧ ଜଣ ଧରାପଡ଼ିଥିଲେ। ଏଭଳି ମୋଟ ୮ ହଜାର ୬ଶହ ୧ଜଣ ଆଇନ ଉଲ୍ଲଂଘନକାରୀଙ୍କ ଠାରୁ ଏହି ଜରିମାନା ଆଦାୟ କରାଯାଇଛି। ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ଚାଳକକୁ ଧରିବା ପାଇଁ ସିସିଟିଭି କ୍ୟାମେରା ଖଞ୍ଜା ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ପରିବହନ ବିଭାଗ ଓ ପୁଲିସ ପକ୍ଷରୁ ଗାଡ଼ି ଯାଞ୍ଚ କରାଯାଉଛି। ହେଲେ ଯେତିକି କଟକଣା ହେଉଛି ଆଇନ ଉଲ୍ଲଂଘନକାରୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ଏହି ଜରିମାନା ସୂଚନା ଦେଉଛି। ୪୦ ଦିନ ଅର୍ଥାତ୍‌ ନଭେମ୍ବର ୫ ତାରିଖରୁ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ଏହା ଯାଞ୍ଚ ପାଇଁ ପ୍ରତ୍ୟେକ ଦିନ ୫୦ରୁ ଊର୍ଦ୍ଧ୍ବ ଅଫିସରଙ୍କ ସହ ଶତାଧିକ ହୋମ୍‌ଗାର୍ଡ ନି‌ୟୋଜିତ ହେଉଥିବା ବେଳେ ୫୦ରୁ ଊର୍ଦ୍ଧ୍ବ ଷ୍ଟୁଡେଣ୍ଟ ସ୍ବେଚ୍ଛାସେବୀ ସହାୟତା କରୁଛନ୍ତି। ଗତ ୨ ତାରିଖ ଦିନ ସର୍ବନିମ୍ନ ଜରିମାନା ୧୧ ଜଣ ଉଲ୍ଲଂଘନକାରୀଙ୍କଠାରୁ ୪ହଜାର ୩ଶହ ଟଙ୍କା ଆଦାୟ ହୋଇଥିବା ବେଳେ ଗତ ୨୧ ତାରିଖରେ ଉଭୟ ଆଇନ ବଳରେ ୧ହଜାର ୪ଶହ ୭୮ ଉଲ୍ଲଂଘନକାରୀଙ୍କ ଠାରୁ ସର୍ବାଧିକ ୪ ଲକ୍ଷ ୫୪ ହଜାର ୮୫୦ ଟଙ୍କା ଆଦାୟ ହୋଇଛି।

ସମ୍ବନ୍ଧିତ ଖବର