ଟ୍ରାଫିକ୍‌ ଯନ୍ତ୍ରଣା, ଆମ୍ବୁଲାନ୍ସ ଭିତରେ ରୋଗୀଙ୍କ ଭାଗ୍ୟ

ଏହି ରାସ୍ତାରେ ଟ୍ରାଫିକ୍‌ ସମସ୍ୟାରୁ ମୁକୁଳି ପାରୁନି ଆମ୍ବୁଲାନ୍ସ। ପ୍ରତିଦିନ ଡର୍ଜ‌ନେରୁ ଅଧିକ ଆମ୍ବୁଲାନ୍ସ ଭିଡ଼ ଭିତରେ ଫସୁଛି। କିମ୍‌ସ, ଆପୋଲୋ ହସ୍ପିଟାଲ, କଳିଙ୍ଗ ହସ୍ପିଟାଲ, କେୟାର ହସ୍ପିଟାଲ ପରି ରାଜ୍ୟ ପ୍ରମୁଖ ତଥା ଜଣାଶୁଣା ଘରୋଇ ମେଡିକାଲ ଏହି ରାସ୍ତାରେ ଗଲେ ପଡ଼ୁଛି। ଏପରିକି ଏହି ରାସ୍ତା ଦେଇ କଟକ ବଡ଼ ମେଡିକାଲକୁ ଆମ୍ବୁଲାନ୍ସଗୁଡ଼ିକ ଯାଉଛି। ଆମ୍ବୁଲାନ୍ସ ବାରମ୍ବାର ଭିଡ଼ରେ ଫସୁଥିବାରୁ ରୋଗୀଙ୍କ ଭାଗ୍ୟ ଯେ କେତେବେଳେ କ’ଣ ହେବ, ତାହା କେହି କହିପାରିବେ ନାହିଁ। ଭିଡ଼ ହେଉଥିବାରୁ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିବାକୁ ଲୋ‌କେ ବି ବାଟ ପାଉନାହାନ୍ତି। ଆଗକୁ ଯାଇ ପାରୁ ନାହାନ୍ତି କି ପଛକୁ ଫେରି ପାରୁ ନାହାନ୍ତି। ଟ୍ରାଫିକ୍‌ ଭିଡ଼ ଭିତରେ ଫସି ରହୁଛନ୍ତି।

ଚନ୍ଦ୍ରଶେଖରପୁର: ହକି ବିଶ୍ବକପ୍‌କୁ ଉପଭୋଗ କରିବା ପାଇଁ ଦେଶ ବିଦେଶରୁ ଧାଇଁ ଆସିଛନ୍ତି ଦେଶୀ ଓ ବିଦେଶୀ ଦର୍ଶକ। ସେମାନଙ୍କୁ ସୁରକ୍ଷା ଦେବା, କୌଣସି ଅସୁବିଧାରେ ନ ପକାଇବା, ଯିବା ଆସିବା ଲାଗି ରାସ୍ତାକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ ପଦକ୍ଷେପ ନିଆଯାଇଛି। ଜୟଦେବ ବିହାର ଛକରୁ ନନ୍ଦନକାନନ ରାସ୍ତାର ସୌନ୍ଦର୍ଯ୍ୟକରଣ କରାଯିବା ସହ ସାଇକେଲ୍‌ ଟ୍ରାକ୍‌, ଫୁଟ୍‌ପାଥ୍‌, ବସ୍‌ଷ୍ଟାଣ୍ଡ ଆଦି କରାଯାଇଛି। ହେଲେ ଟ୍ରାଫିକ୍‌ ବ୍ୟବସ୍ଥାକୁ ଏପର୍ଯ୍ୟନ୍ତ ସଜଡ଼ା ଯାଇ ପାରିନି। ଯୁଆଡ଼େ ଦେଖିଲେ ଖାଲି ଭିଡ଼ ହିଁ ଭିଡ଼। ସନ୍ଧ୍ୟା ସମୟରେ ଟ୍ରାଫିକ୍‌ ଯନ୍ତ୍ରଣା ଏଭଳି ବଢ଼ିଯାଉଛି ଯେ ଜୟଦେବ ବିହାରରୁ ରଘୁନାଥପୁର ପର୍ଯ୍ୟନ୍ତ ରାସ୍ତା ପାର ହେବାକୁ ସାଧାରଣ ଲୋକଙ୍କୁ ଘଣ୍ଟାଏ ସମୟ ଲାଗୁଛି। ଯେଉଁଥିପାଇଁ ପ୍ରତିଦିନ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଲୋକେ। ଆଉ ଏବେ ଏଥିରୁ ବାଦ୍‌ ପଡ଼ୁନି ବିଦେଶୀ ଖେଳାଳିଙ୍କ ଗାଡ଼ି ଓ ଆମ୍ବୁଲାନ୍ସ। ଭିଡ଼ ଭିତରେ ଫସି ଯାଉଛନ୍ତି। ବିଶ୍ବକପ୍‌ରେ ଭାଗ ନେଇଥିବା ୧୬ଟି ଦେଶ ମଧ୍ୟରୁ ଅଧିକାଂଶ ଟିମ୍‌ ଏହି ରାସ୍ତାରେ ପଡ଼ୁଥିବା ହୋଟେଲରେ ରହୁଛନ୍ତି। ହୋଟେଲ ମେ’ ଫେୟାର, ସ୍ବସ୍ତି ପ୍ରିମିୟମ୍‌, ଟ୍ରାଇଡେଣ୍ଟ, ସାଣ୍ତିସ୍‌ ଟାଵାରରେ ଭାରତ, ପାକିସ୍ତାନ, ଚୀନ୍‌, ଅଷ୍ଟ୍ରେଲିଆ, ଇଂଲଣ୍ଡ ପରି ଦେଶର ଖେଳାଳି ରହିବା ସହ ଏହି ରାସ୍ତାରେ ଯିବା ଆସିବା କରୁଛନ୍ତି। ଏପରିକି ଇଂଲଣ୍ଡ ଖେଳାଳିମାନେ ହୋଟେଲ ମେ’ ଫେୟାରରେ ରହିବା ସହ ଖାଇବା ପାଇଁ ଏହି ରାସ୍ତା ଦେଇ ସୈନିକ ସ୍କୁଲ ନିକଟ ଏକ ରେଷ୍ଟୁରାଣ୍ଟକୁ ପ୍ରତିଦିନ ଯାଉଛନ୍ତି। ବିଭିନ୍ନ ଦେଶର ଖେଳାଳି ଇନ୍‌ଫୋସିଟ୍‌ ଭିତରେ ଥିବା ଗଲ୍ଫ କୋର୍ଟ ସମେତ ଘରୋଇ ସ୍କୁଲ ପରିଭ୍ରମଣ କରୁଛନ୍ତି। ରାସ୍ତାରେ ସେମାନଙ୍କୁ ଯେତିକି ସୁରକ୍ଷା ଦିଆଯିବା କଥା ତାହା ହେଉ ନଥିବା ଦେଖିବାକୁ ମିଳୁଛି।

ଦିନ ସମୟରେ ବିଭିନ୍ନ ବଭିନ୍ନ ସ୍ଥାନକୁ ଯାଉଥିବା ହକି ଟିମ୍‌ ଗାଡ଼ିଗୁଡ଼ିକ ଟ୍ରାଫିକ୍‌ରେ ଫଶି ଯାଉଛି। ଅଧିକାଂଶ ବିଦେଶୀ ପର୍ଯ୍ୟଟକ ମଧ୍ୟ ଏହି ରାସ୍ତାରେ ଚଳପ୍ରଚଳ କରୁଥିଲେ ମଧ୍ୟ ସେମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଦିଆଯାଇପାରୁ ନାହିଁ। ଯେଉଁଥିପାଇଁ ଜୟଦେବ ବିହାର ଛକରୁ ମ୍ୟାଗନେଟ୍‌ ଛକ ପର୍ଯ୍ୟନ୍ତ ରାସ୍ତା ଏବେ ସମ୍ବେଦନଶୀଳ ହୋଇପଡ଼ିଛି। ପୂର୍ବାହ୍ଣ ୯ଟାରୁ ୧୧ଟା ଓ ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ରାସ୍ତାରେ ପ୍ରବଳ ଗହଳି ହେଉଛି। ଲୋକେ କାର‌୍‌, ବାଇକ୍‌ରେ ଯିବା ଦୂରର କଥା, ଚାଲି ଚାଲି ରାସ୍ତା ପାର ହେବା ବି କଷ୍ଟକର ହୋଇପଡ଼ୁଛି। ପଟିଆରେ ନୂଆ କରି ହୋଇଥିବା ସିଟି ବସ୍‌ଷ୍ଟାଣ୍ତକୁ ଯିବା ରାସ୍ତା ସମ୍ପ୍ରସାରଣ କରାଯାଇ ନଥିବାରୁ ଏହି ରାସ୍ତାରେ ସନ୍ଧ୍ୟା ସମୟରେ ଗହଳି ହେଉଛି। ଡମଣା ଛକ ଟ୍ରାଫିକ୍‌ରେ କେଉଁ ପାର୍ଶ୍ବର ଲୋକଙ୍କୁ କେତେବେଳେ ଛଡ଼ାଯାଉଛି ତାହା କେହି ଜାଣିପାରୁ ନାହାନ୍ତି। ଡମଣା ଗାଁ ଆଡ଼ୁ ଆସୁଥିବା ଲୋକେ ରାସ୍ତା ଉପରେ ଅଟକି ରହୁଛନ୍ତି। ପଟିଆ ଆଡ଼ୁ ଶୈଳଶ୍ରୀବିହାର ଯିବାକୁ ଥିବା ଲୋକେ ମଧ୍ୟ ରାସ୍ତା ଉପରେ ଛିଡ଼ା ହୋଇ ରହୁଛନ୍ତି। ଯେଉଁଥିପାଇଁ ଟ୍ରାଫିକ୍‌ ସିଗନାଲ୍‌ ଏଠାରେ ସମ୍ପୂର୍ଣ୍ଣ ଫେଲ୍‌ ମାରୁଛି। ଏହି ରାସ୍ତାରେ ଥିବା ୭ଟି କଟିଂ ଟ୍ରାଫିକ୍‌ ସମସ୍ୟାକୁ ସାଙ୍ଘାତିକ ବଢ଼ାଇ ଦେଉଛି। କୌଣସି ଗୋଟିଏ ବଡ଼ ଗାଡ଼ି ଏହି କଟିଙ୍ଗ୍‌ରେ ୟୁ-ଟର୍ଣ୍ଣ ମାରିଲେ ପ୍ରାୟ ୫୦୦ ମିଟର ପର୍ଯ୍ୟନ୍ତ ଗାଡ଼ି ଲାଇନ୍‌ ଲାଗୁଛି। ସମସ୍ୟା ଦିନକୁ ଦିନ ଜଟିଳ ହେଉଥିଲେ ମଧ୍ୟ କମିସନରେଟ୍‌ ପୁଲିସର ଏଥିପ୍ରତି ଧ୍ୟାନ ନାହିଁ। କମିସନରେଟ୍‌ ପୁଲିସର ଜରିମାନା ଆଦାୟ ଏବେ ବନ୍ଦ ହୋଇଥିବା ବେଳେ ରାତି ୧୨ଟା ପରେ କିନ୍ତୁ ଯାଞ୍ଚ କଡ଼ାକଡ଼ି ହେଉଥିବା ଦେଖିବାକୁ ମିଳୁଛି। କାର୍‌ଗୁଡ଼ିକୁ ଅଟକାଯାଇ କାଗଜପତ୍ର ଯାଞ୍ଚ ହେଉଛି।

ଫୁଟ୍‌ପାଥ୍‌ରେ ବିଦେଶୀ ହଟହଟା
ବିଶ୍ବକପ୍‌ ହକିକୁ ଦୃଷ୍ଟିରେ ରଖି ଏହି ରାସ୍ତାର ଫୁଟପାଥ୍‌ ଓ ସାଇକେଲ୍‌ ଟ୍ରାକ୍‌କୁ ସଜଡ଼ା ଯାଇଛି। ହେଲେ ତାହା ଏବେ ବାଇକ୍‌ ଟ୍ରାକ୍‌ରେ ପରିଣତ ହୋଇଛି। ଭିଡ଼ ଆଡେ଼ଇବା ପାଇଁ ବାଇକ୍‌ ଚାଳକ ଏବେ ଏହି ଢଳେଇ ରାସ୍ତାରେ ଯିବା ଆସିବା କରୁଛନ୍ତି। ବେଳେବେଳେ କାର‌୍‌ ଚାଳକ ବି ଏହି ଟ୍ରାକ୍‌କୁ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ବିଦେଶୀ ପର୍ଯ୍ୟଟକମାନେ ଫୁଟ୍‌ପାଥ ଓ ସାଇକେଲ୍‌ ଟ୍ରାକ୍‌ରେ ଚାଲି ଚାଲି ଯିବା ସମୟରେ ବାଇକ୍‌ ଚାଳକମାନେ ମଧ୍ୟ ସେହି ରାସ୍ତାରେ ଗାଡ଼ି ନେଉଛନ୍ତି। ଏହାଦ୍ବାରା ବିଦେଶୀଙ୍କୁ ହଟହଟା ହେବାକୁ ପଡ଼ୁଛି। ବାରମ୍ବାର ଫୁଟ୍‌ପାଥ ତଳକୁ ଡେଉଁଛନ୍ତି। ଏଭଳି ଘଟଣା ଯୋଗୁଁ ଆଜି କେତେଜଣ ବିଦେଶୀ ପର୍ଯ୍ୟଟକ ମଧ୍ୟ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର