ଚିନ୍ତା ବଢ଼ାଉଛି ଜିଜିପି କଲୋନି ଛକ, ଟ୍ରାଫିକ୍‌ ପୁଲିସ୍‌ ମୁତୟନ ପାଇଁ ଦାବି

ଭୁବନେଶ୍ୱର : ପଳାସୁଣି ଛକରୁ ଲକ୍ଷ୍ମୀସାଗର ପର୍ଯ୍ୟନ୍ତ କେନାଲ୍‌ ରୋଡ୍‌ ଏବେ ରାଜଧାନୀର ଅନ୍ୟତମ ବ୍ୟସ୍ତବହୁଳ ରାସ୍ତା ପାଲଟିଯାଇଛି। କେନାଲ୍‌ର ଦୁଇ କଡ଼ରେ ଅନେକ ଆବାସିକ କଲୋନି ଓ ବ୍ୟବସାୟିକ ପ୍ରତିଷ୍ଠାନ ଗଢ଼ିଉଠିଥିବାରୁ ରାସ୍ତାରେ ଅଧିକାଂଶ ସମୟ ଗହଳି ରହୁଛି। କେନାଲ୍‌ ରୋଡ୍‌ରେ ଜିଜିପି କଲୋନି ଛକ ଏବେ ସ୍ଥାନୀୟ ଅଧିବାସୀଙ୍କ ସର୍ବାଧିକ ଚିନ୍ତାର କାରଣ ହୋଇଛି। କେନାଲ୍‌ ରୋଡ୍‌ର ଏହି ଗୁରୁତ୍ୱପୂର୍ଣ୍ଣ ଛକଟି ଏବେ ଲୋକଙ୍କ ଦୁଃଖ ପାଲଟିଯାଇଛି।

ପଳାସୁଣି ଛକରୁ ଆସିଥିବା ଏହି କେନାଲ ରୋଡ୍‌ ଜିଜିପି କଲୋନିଠାରେ ୪ଟି ରାସ୍ତାକୁ ସଂଯୋଗ କରୁଛି। ଗୋଟିଏ ରାସ୍ତା ଜିଜିପି କଲୋନିକୁ ଯାଇଥିଲା ବେଳେ ଆଉ ଗୋଟିଏ ରାସ୍ତା ରସୁଲଗଡ଼ ଗାଁକୁ ସଂଯୋଗ କରୁଛି। ଏହି ଛକ ନିକଟରେ ଛୋଟ ଛୋଟ ଦୁର୍ଘଟଣା ଘଟିବା ଏକ ନିୟମିତ ବ୍ୟାପାର ହୋଇଗଲାଣି। ଯଦିଓ କୌଣସି ବଡ଼ ଧରଣର ଅଘଟଣ ଏ ପର୍ଯ୍ୟନ୍ତ ଘଟି ନାହିଁ, କିନ୍ତୁ ସବୁଦିନେ ଛୋଟ ଦୁର୍ଘଟଣା ଘଟୁଛି। ପୁଣି ବହୁ ସମୟରେ ଏପରି ଟ୍ରାଫିକ୍‌ ଜାମ୍‌ ହୋଇଯାଉଛି ଯେ ସବୁ ପଟ ରାସ୍ତାରେ ଗାଡ଼ିଗୁଡ଼ିକର ଲମ୍ବା ଧାଡ଼ି ଲାଗିଯାଉଛି। ସ୍ଥାନୀୟ କିଛି ଲୋକଙ୍କ ଉଦ୍ୟମରେ ସମସ୍ୟା ସମାଧାନ ହେଉଛି ସତ, କିନ୍ତୁ ସେଠାରେ ଏହା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛି। ଭିଡ଼ ହଟାଇବାକୁ ବହୁ ସମୟ ଲାଗିଯାଉଛି। ଗାଡ଼ି ଚାଳକ ଓ ସ୍ଥାନୀୟ ଲୋକ ହାତାହାତି ହେବା ପର୍ଯ୍ୟନ୍ତ କଥା ଯାଉଛି।

ଛକଟି ଜନଗହଳିପୂର୍ଣ୍ଣ ହୋଇଥିଲା ବେଳେ ସମସ୍ୟା ଆହୁରି ବଢ଼ାଇଦେଉଛି ରାସ୍ତା ଉପରେ ଗଦା ହୋଇ ରହୁଥିବା ବାଲି, ଇଟା। ଲୋକମାନେ ରାସ୍ତା ଉପରେ ଏଗୁଡ଼ିକୁ ଗଦେଇ ରଖି ଅବରୋଧ କରୁଛନ୍ତି। ଦୀର୍ଘ ଦିନ ଅବରୋଧ ହେବା ଦ୍ୱାରା ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହେଉଛି। ପୁଣି ଏହି ରାସ୍ତାରେ ଭାରୀଯାନ ଚଳାଚଳ ଆଉ ଏକ ଗୁରୁତର ସମସ୍ୟା ଭାବେ ଉଭା ହୋଇଛି। ଭାରୀଯାନ ଚଳାଚଳରେ କୌଣସି ସମୟସୀମା ନାହିଁ କି କଟକଣା ନାହିଁ। ଏହା ଦ୍ୱାରା ରାସ୍ତା ଦୁର୍ବଳ ହେଉଛି ଓ ଟ୍ରାଫିକ୍‌ ସମସ୍ୟା ଆହୁରି ଗୁରୁତର ହେଉଛି। ଫଳରେ ଦୁର୍ଘଟଣା ବଢ଼ିବାରେ ଲାଗିଛି।

ଜିଜିପି କଲୋନି ଚାରି ଛକ ଅଞ୍ଚଳରେ ଟ୍ରାଫିକ୍‌ ପୁଲିସ ମୁତୟନ କରିବା ପାଇଁ ସ୍ଥାନୀୟ ଲୋକ ଦୀର୍ଘ ଦିନ ଧରି ଦାବି କରିଆସୁଛନ୍ତି। କିନ୍ତୁ ପୁଲିସ୍‌ ପକ୍ଷରୁ ଏ ପର୍ଯ୍ୟନ୍ତ ଏ ନେଇ କୌଣସି ପଦକ୍ଷେପ ନିଆଯାଉନି। ଏହା ସହ ଯେଉଁ ଲୋକମାନେ ରାସ୍ତାକୁ ଅବରୋଧ କରିଛନ୍ତି, ସେମାନଙ୍କୁ ତୁରନ୍ତ ଅବରୋଧ ହଟାଇବା ପାଇଁ ବିଏମ୍‌ସି ପକ୍ଷରୁ ନୋଟିସ୍‌ ଜାରି କରିବାକୁ ମଧ୍ୟ ଦାବି ହେଉଛି।

ସମ୍ବନ୍ଧିତ ଖବର