ଟ୍ରେନ୍‌ ଲାଇନ୍‌ ଉପରେ, ଟ୍ରାଫିକ୍‌ ଜାମ୍‌

ଭୁବନେଶ୍ବର: ବମିଖାଲ ଓଭରବ୍ରିଜ୍‌ ଦେଇ କେବେ ଯାତାୟାତ ଆରମ୍ଭ ହେବ ତାହା ତ ସମୟ କହିବ। ମାତ୍ର ଏହି ବ୍ରିଜ୍‌ର କାମ ଦିନକୁ ଦିନ ବିଳମ୍ବ ହେଉଥିବା ବେଳେ ଆଜି ଏକ ବିରଳ ଓ ବିପଜ୍ଜନକ ଘଟଣା ଦେଖିବାକୁ ମିଳିଥିଲା। ରେଳ ଧାରଣା ଉପରେ ଶତାଧିକ ଲୋକ ଚିତ୍କାର କରୁଥିଲେ। ରେଳ ଧାରଣା ଉପରେ ଟ୍ରାଫିକ୍‌ ଜାମ୍‌ ହୋଇଯିବାରୁ ସୃଷ୍ଟି ହୋଇଥିଲା ଏପରି ଅଭାବନୀୟ ପରିସ୍ଥିତି। ରେଳ ଲାଇନ୍‌ ଉପରେ ବାଇକ୍‌ ଓ କାର୍‌ ସହିତ ଅଟକି ରହିଥିଲେ ଶତାଧିକ ଲୋକ। ଲେଭେଲ୍‌ କ୍ରସିଂର ସତର୍କ ଘଣ୍ଟି ଘନଘନ ବାଜି ଉଠୁଥିଲା। ଲୋକମାନଙ୍କଠାରୁ ମାତ୍ର ୨୦ ହାତ ଦୂରରେ ଠିଆ ହୋଇଥିଲା ଟ୍ରେନ୍। ଟ୍ରେନ୍‌, ଲେଭେଲ୍‌ କ୍ରସିଂ ଓ ଗାଡ଼ିଗୁଡ଼ିକର ହର୍ଣ୍ଣ ସହିତ ଲୋକଙ୍କ ଚିତ୍କାର ସେଠାରେ ଭୟାତୁର ପରିବେଶ ସୃଷ୍ଟି କରିଥିଲା। ସେପଟେ ଟ୍ରାଫିକ୍‌ ଜାମ୍‌ ଏତେ ଥିଲା ଯେ, କାହାର ଇଞ୍ଚେ ବି ଘୁଞ୍ଚିବାର ଚାରା ନଥିଲା। ଘଟଣାଟି ଘଟିଥିଲା ଆଜି ସନ୍ଧ୍ୟାରେ ସହିଦନଗର ଲେଭେଲ୍‌ କ୍ରସିଂରେ।

ସମୟ ପ୍ରାୟ ସନ୍ଧ୍ୟା ସାଢ଼େ ୫ଟା। ସହିଦ ନଗର ଲେଭେଲ୍ କ୍ରସିଂ ଫାଟକ ପଡ଼ିଥାଏ। ପାଖାପାଖି ୨୦ ମିନିଟ୍ ହେବ ସେ ରାସ୍ତା ଦେଇ ଟ୍ରେନ୍‌ ଅତିକ୍ରମ କରୁଥାଏ ନା ଫାଟକ ଖୋଲୁଥାଏ। ଭିଡ଼ ଲଗାତାର ବଢ଼ିବାରେ ଲାଗିଥାଏ। ୨୦ ମିନିଟ୍‌ ଅପେକ୍ଷା ପରେ ଶେଷରେ ଟ୍ରେନ୍‌ ୨ଟି ଅତିକ୍ରମ କଲା। ଫାଟକ ଖୋଲିଲା। ଲୋକମାନେ ଯା’ ଆସ ଆରମ୍ଭ କଲେ। କିନ୍ତୁ ଭିଡ଼ ଏତେ ଥିଲା ଯେ, ଏହା ଖାଲି ହେବାର ନାଁ ନେଉ ନ ଥାଏ। ଟ୍ରାକ୍‌ ଉପରେ ବହୁତ ଲୋକ ଥା’ନ୍ତି। ଏହି ସମୟରେ ହିଁ ଆଉ ଏକ ଟ୍ରେନ୍‌ ଦ୍ରୁତ ଗତିରେ ମାଡ଼ିଆସି କିଛି ହାତ ଦୂରରେ ହଠାତ୍‌ ଅଟକି ଗଲା। ୨ ମିନିଟ୍ ରହିବା ପରେ ପୁଣି ହର୍ଣ୍ଣ ଦେଇ ଚାଲିବାକୁ ଲାଗିଲା। ଗେଟ୍‌ ମ୍ୟାନ୍‌ ଅକ୍ଳାନ୍ତ ପରିଶ୍ରମ କରି ଟ୍ରାକ୍‌ ଉପରୁ ଲୋକଙ୍କୁ ବାହାର କରିବାରେ ସଫଳ ହୋଇଥିଲେ। ରକ୍ଷା ପାଇଯାଇଥିଲେ ବହୁ ଲୋକ। ଏଭଳି ଏକ ଅଭାବନୀୟ ଘଟଣା ବି‌ଷୟରେ ଗେଟ୍ ମ୍ୟାନ୍‌ ନିରଞ୍ଜନ ବେହେରାଙ୍କୁ ପଚାରିବାରୁ ସେ କହିଲେ, ଅସୁବିଧା ସବୁ ଆରମ୍ଭ ହୋଇଥିଲା ବାଙ୍ଗିରିପୋଷି ଟ୍ରେନ୍‌ର ଅଚାନକ ରହିଯିବା ଯୋଗୁଁ। ବାଣୀବିହାର ଷ୍ଟେସନ୍‌ ଟ୍ରେନ୍‌ର ରହଣି ସ୍ଥାନ ନ ଥିଲା, ଜଣେ ଯାତ୍ରୀ ଚେନ୍‌ ପୁଲିଂ ଯୋଗୁଁ ଟ୍ରେନ୍‌ ରହିଲା। ଚେନ୍‌ ପୁଲିଂର କାରଣ ଖୋଜିବାକୁ ୧୦ ମିନିଟ୍ ଟାଇମ୍‌ ଲାଗିଗଲା। ଫଳରେ ଅନ୍ୟ ଦିଗରୁ ଆସୁଥିବା ସମ୍ବଲପୁର ଇଣ୍ଟରସିଟି ଲାଇନ୍‌ କ୍ଲିୟର୍‌ ନଥିବା ସଙ୍କେତ ପାଇ ଦୂରରେ ଅଟକିଗଲା। ଉଭୟ ଟ୍ରେନ୍‌ କ୍ଲିୟର୍‌ ହେବାକୁ ଏହା ଭିତରେ ୨୦/୨୫ ମିନିଟ୍ ଲାଗିଗଲା। ସେତେବେଳେ ସଂଧ୍ୟା ସମୟ ଯୋଗୁଁ ଲୋକମାନଙ୍କ ଗହଳି ଅଧିକ ହୋଇଯାଇଥିଲା। ଭିଡ଼ ଭାଙ୍ଗିବା ଭିତରେ ଆଉ ଏକ ଟ୍ରେନ୍‌ ଆସିଯାଇଥାଏ। ଯେହେତୁ ଲୋକମାନେ ଟ୍ରାକ୍ ଉପରେ ଥିଲେ ଗେଟ୍‌ ପକାଇବା ବି ସମ୍ଭବ ନ ଥିଲା। ରାସ୍ତା କ୍ଲିୟର୍‌ ନ ହେବା ସଙ୍କେତ ପାଇ ଟ୍ରେନ୍‌ଟି ୨ ମିନିଟ୍‌ କିଛି ଦୂରରେ ଅଟକି ହର୍ଣ୍ଣ ମାରି ମାରି ଆଗକୁ ଗତି କରିଥିଲା। ଏ‌ପଟେ ଟ୍ରେନ୍‌ ମାଡ଼ିଯିବା ଭୟରେ ଲୋକମାନେ ଅଧୈର୍ଯ୍ୟ ହୋଇପଡ଼ିଲେ। ଫଳରେ ଟ୍ରାଫିକ୍‌ କ୍ଲିୟର କରିବା କଷ୍ଟକର ହୋଇପଡ଼ିଲା।

ସହିଦନଗର ଲେଭେଲ୍‌ କ୍ରସିଂର ଏହି ସମସ୍ୟା ଆଜିକାର ନୁହେଁ। ସହିଦନଗରରୁ ବମିଖାଲ ପଟକୁ ବାହାରିବାର ଏହା ଏକ ମାତ୍ର ରାସ୍ତ‌ା ହୋଇଥିବାରୁ ଶହ ଶହ ଲୋକ ଏହି ରାସ୍ତା ଉପରେ ନିର୍ଭରଶୀଳ। ପୁଣି ସନ୍ଧ୍ୟା ସମୟରେ ଭିଡ଼ ଅଧିକ। ଫ୍ଲାଏ ଓଭର୍‌ ନିର୍ମାଣ ହେଲେ ଏହି ସମସ୍ୟା କେତେକାଂଶରେ ଦୂର ହୁଅନ୍ତା। କିନ୍ତୁ ସେ ବି ୬ ବର୍ଷ ହେଲା ଶେଷ ହେଉନି। ତେଣୁ ଜାମ୍‌ ଯୋଗୁଁ ଏଭଳି ସମସ୍ୟା ଏଠାରେ ସାଧାରଣ ହୋଇଗଲାଣି। ପୁଣି ଜଣେ ମାତ୍ର ଗେଟ୍‌ ମ୍ୟାନ୍‌ ପକ୍ଷେ ଏହା ସମ୍ଭାଳିବା ସହଜ ହୋଇ ନଥିବା ବେଳେ ଏଠାରେ ଆର୍‌ପିଏଫ୍‌ ପୁଲିସ୍‌ ନିଯୁକ୍ତ ହେଉ ନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପଟେ ଲେଭେଲ କ୍ରସିଂ ଟ୍ରାକ୍‌ ଉପରେ ଯାତ୍ରୀମାନେ ଥିବା ସମୟରେ ଟ୍ରେନ୍‌ କେବେ ବି ଯାତ୍ରୀଙ୍କୁ ଚଢ଼ାଇ ଚାଲିଯିବ ନାହିଁ। ଏହି ସଚେତନତା ସମସ୍ତଙ୍କ ମଧ୍ୟରେ ରହିବା ଉଚିତ ବୋଲି ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର