ଟ୍ରାଫିକ ଟେନ୍‌ସନ୍‌ : ଖୁବ୍‌ଶୀଘ୍ର ନୂଆ କୌଶଳ

ଭୁବନେଶ୍ୱର : ଟ୍ରାଫିକ ଦେଉଛି ଟେନ୍‌ସନ୍‌। ଘଣ୍ଟା ଘଣ୍ଟା ଧରି ପ୍ରମୁଖ ରାସ୍ତା ରହୁଛି ଜାମ୍‌। ସିଗ୍‌ନାଲ ମଧ୍ୟ କାଟୁ କରୁନି। ଯିଏ ଯୁଆଡେ ପାରୁଛି ମାଡ଼ି ଯାଉଛି। ଏଭଳି ଏକ ପରିସ୍ଥିତି କେବଳ ରାଜଧାନୀବାସୀଙ୍କୁ ନୁହେଁ, ପୁଲିସକୁ ମଧ୍ୟ ଟେନ୍‌ସନ୍‌ ଦେଇଛି। ରାଜଧାନୀରେ ପାଖାପାଖି ୧୫ଲକ୍ଷ ଲୋକ ରହିଥିବା ବେଳେ ଟ୍ରାଫିକ୍‌ ଡ୍ୟୁଟି ପାଇଁ ରହିଛନ୍ତି ଦେଢ଼ଶହ କର୍ମଚାରୀ। ଅର୍ଥାତ୍‌ ଗୋଟିଏ କର୍ମଚାରୀ ୧୦ ହଜାର ଲୋକଙ୍କୁ ନିୟନ୍ତ୍ରଣ କରୁଛି। ଏଭଳି ଏକ ବିଚିତ୍ର ସ୍ଥିତିକୁ ସମ୍ଭାଳିବା ପାଇଁ କମିସନରେଟ ପୁଲିସ ଯୋଜନା କରିଛି। ଖୁବ୍‌ ଶୀଘ୍ର ଚନ୍ଦ୍ରଶେଖରପୁର ଟ୍ରାଫିକ୍‌ ଥାନା କାର୍ଯ୍ୟକ୍ଷମ ହେବା ସହ ୧୬୦ ଜଣ କର୍ମଚାରୀ ଯୋଗ ଦେବାକୁ ଯାଉଛନ୍ତି। ଏହା ସହିତ ଟ୍ରାଫିକ୍‌ ଶୃଙ୍ଖଳିତ ଭାବରେ ପରିଚାଳନା ପାଇଁ ଏକ ସ୍ବତନ୍ତ୍ର ପ୍ଲାନ୍‌ ରହିଛି ବୋଲି ସୂଚନା ଦେଇଛନ୍ତି ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସାରା ସହର ଡିଜିଟାଲାଇଜ୍‌ ହେଉଛି। କ୍ୟାମେରା ଦ୍ବାରା ୧୬ ଜାଗାରେ ସ୍ପିଡ୍‌ ରେକର୍ଡିଂ ସିଷ୍ଟମ୍‌ ଜରିଆରେ ଦ୍ରୁତ ଚାଳକଙ୍କୁ ମ୍ୟାପିଂ କରାଯାଉଛି। ଏହି ଦୁର୍ଘଟଣାକୁ ନେଇ ଇଞ୍ଜିନିୟରିଂ ମଧ୍ୟ ଏକ ବଡ଼ ଭୂମିକା ରହିଛି। ରାସ୍ତାର ସ୍ଥିତି କେଉଁଠି କଣ ଅଛି ତାହା ଟ୍ରାଫିକ୍‌ ଇଞ୍ଜିନିୟର ଜାଣିବା ସହ ସେଠାରେ କିଭଳି ଚାଳକ ଗତି ନିୟନ୍ତ୍ରଣ କରିପାରିବ ସେ ନେଇ ମଧ୍ୟ ବ୍ୟବସ୍ଥା ହେଉଛି। କେତେକ ଏନ୍‌ଜିଓ ସହାୟତାରେ ସଚେତନତା କରାଯିବା ପାଇଁ ବ୍ୟବସ୍ଥା ହେଉଛି। ମେସିନ୍‌ ସହାୟତାରେ ଆମେ ଏହି ସଡ଼କ ନିରାପତ୍ତା ଉପରେ ନଜର ରଖିବୁ। ଏହି କମ୍‌ ସଂଖ୍ୟକ କର୍ମଚାରୀଙ୍କୁ ନେଇ ସମସ୍ତ ଜାଗାରେ ଟ୍ରାଫିକ୍‌ କନ୍‌ଷ୍ଟେବଲ୍‌ ଦେବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।

ବଡ଼ କଥା ହେଉଛି ସଡ଼କ ଦୁର୍ଘଟଣାରେ ଘଟୁଥିବା ମୃତ୍ୟୁ ଓ ମୃତାହତଙ୍କ ସଂଖ୍ୟାରେ ଭାରତ ଏକ ନମ୍ବରରେ ରହିଛି। ‌ବାର୍ଷିକ ଦୁର୍ଘଟଣାରେ ୨ ଲକ୍ଷ ମରୁଥିବା ବେଳେ ୧୦ରୁ ୧୨ ଲକ୍ଷ ବିକଳାଙ୍ଗ ହେଉଛନ୍ତି। ଭାରତରେ ଓଡ଼ିଶା ମଧ୍ୟ ଆଗରେ ରହିଛି। ସୁପ୍ରିମକୋର୍ଟ ଏ ନେଇ ଏକ ସ୍ବତନ୍ତ୍ର କମିଟି ଗଠନ କରିବା ସହ ଏହାକୁ ସମୀକ୍ଷ କରୁଛନ୍ତି। ବାର୍ଷିକ ଏହା ୧୦ ପ୍ରତିଶତ କମିବା ପାଇଁ ବ୍ୟବସ୍ଥା କରିବାକୁ ଆଦେଶ ରହିଥିବା ବେଳେ ଆମ ରାଜ୍ୟରେ ଏହା ବଢ଼ି ବଢ଼ି ଚାଲିଛି। ଏଭଳି ସ୍ଥିତିରେ ରାଜଧାନୀରେ ୧୦ ହଜାର ଲୋକଙ୍କ ପାଇଁ ଜଣେ ଟ୍ରାଫିକ କର୍ମଚାରୀ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର