ସେପ୍ଟେମ୍ବର ୧ ତାରିଖରୁ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ମୋଟା ଅଙ୍କର ଜରିମାନାକୁ ନେଇ ସାରା ଦେଶ ଉଠୁଛି ପଡ଼ୁଛି। ରାଜଧାନୀ ଭୁବନେଶ୍ୱର ବି ଏଥିରୁ ବାଦ୍ ପଡ଼ିନି। ପୁଲିସ ଟ୍ରାଫିକ୍ ନିୟମ ମାନିବା ପାଇଁ ଯେତେ ସଚେତନ କରାଇଲେ ବି ରାଜଧାନୀର ଅସଜଡ଼ା ଭିତ୍ତିଭୂମି ଏବେ ଲୋକଙ୍କୁ ଟ୍ରାଫିକ୍ ନିୟମ ମାନିବା ନେଇ ଦ୍ବନ୍ଦ୍ବରେ ପକାଉଛି। ରାଜଧାନୀରେ ସ୍ମାର୍ଟ ଟ୍ରାଫିକ୍ ବ୍ୟବସ୍ଥା ଲାଗୁ ହୋଇଛି। କିନ୍ତୁ ଏ ପର୍ଯ୍ୟନ୍ତ ଲୋକ ଏ ବାବଦରେ ସଚେତନ ହେଉନାହାନ୍ତି କି ପୁଲିସ ରାସ୍ତାଘାଟର ଭିତ୍ତିଭୂମିକୁ ଦେଖି ସଚେତନ କରାଇପାରୁନାହିଁ।
କଟ୍ ବଢ଼ାଉଛି ଦ୍ବନ୍ଦ୍ବ
ରାଜଭବନ ଓ ଏଜି ଛକ ମଝିରେ ଥିବା କଟ୍କୁ ନେଇ ଗାଡ଼ି ଚାଳକଙ୍କ ମଧ୍ୟରେ ଦ୍ବନ୍ଦ୍ବ ରହୁଛି। ରାଜୀବ ଭବନ ପଟୁ କିମ୍ବା ରାଜଭବନ ପଟୁ ଆସି ଏହି କଟ୍କୁ ବ୍ୟବହାର କରି ଚାଳକ ରଙ୍ଗ ରୁଟ୍ରେ ଭୁବନେଶ୍ବର କ୍ଲବ କିମ୍ବା ୬ ନମ୍ବର ମେଡିକାଲ ଆଡ଼େ ଯାଉଛନ୍ତି। କୌଣସି ଚାଳକ ଏଜି ଛକକୁ ଯାଇ ବୁଲି ଆସିବା ପାଇଁ ଚାହୁନାହାନ୍ତି। ବାଇକ୍ଠାରୁ ଆରମ୍ଭ କରି ବଡ଼ ବଡ଼ ଗାଡ଼ି ମଧ୍ୟ ଏହି ଭୁଲ କରୁଛନ୍ତି। ସେହିପରି ସର୍ଦ୍ଦାର ପଟେଲ୍ ମାର୍ଗରେ ଦୁଇ ଏଜି କଲୋନି ମଝିରେ ଲକ୍ଷ୍ମୀନାରାୟଣ ମନ୍ଦିର ପାଖରେ ଥିବା କଟ୍ କଲୋନି ପ୍ରବେଶ ଦ୍ବାର ସିଧାରେ ନାହିଁ। ଏହି ରାସ୍ତାରେ ନୂଆ ଏଜି କଲୋନି ସାମ୍ନାରେ କଟ୍ ନଥାଇ କଳିଙ୍ଗ ଷ୍ଟାଡିୟମ ଗେଟ୍ ସାମ୍ନାରେ ରହିଛି। ଟିକେ ଆଗରେ ବୁଲି ଆସିବା ପାଇଁ କଟ୍ ରହିଥିଲେ ମଧ୍ୟ ଦୂର ହେଉଥିବାରୁ ଏହାକୁ କେହି ବ୍ୟବହାର କରୁନାହାନ୍ତି। ରଙ୍ଗ ରୁଟ୍ରେ ବାଇକ୍ ଓ କାର୍ ଯାଉଥିବା ବେଳେ ଦୁର୍ଘଟଣା ଘଟୁଛି।
ସିସିଟିଭି ଧରିପାରୁନି ମୋବାଇଲରେ ଗପୁଥିବା କାର୍ ଚାଳକ
ନୂଆ ମୋଟର ଯାନ ଆଇନ ଅନୁଯାୟୀ ଗାଡ଼ି ଚଳାଉଥିବା ବେଳେ ମୋବାଇଲରେ କଥା ହେଲେ ମୋଟା ଅଙ୍କର ଜରିମାନା ଦେବାର ନିୟମ ରହିଛି। ଟ୍ରାଫିକ୍ ପୁଲିସ ଏଭଳି ନିୟମ ଉଲ୍ଲଙ୍ଘନ କରୁଥିବା ଚାଳକଙ୍କୁ ଧରୁଛି। ଯିଏ ଟ୍ରାଫିକ୍ ପୁଲିସ ହାତରୁ ଖସି ଯାଉଛି, ତାକୁ ରାସ୍ତାରେ ଥିବା ସିସିିଟିଭି ଧରିବା ବ୍ୟବସ୍ଥା ହୋଇଛି। କିନ୍ତୁ ଏହି ସିସିଟିଭିରେ କାର୍ ଭିତରେ କିଏ କ’ଣ କରୁଛି, ଜଣାପଡ଼ୁନାହିଁ। ଫଳରେ କାର୍ ଚାଳକ ମୋବାଇଲ୍ରେ କଥା ହେଲେ କ୍ୟାମେରାରେ ମଧ୍ୟ ଧରାପଡ଼ୁନାହିଁ। କେବଳ ଜାତୀୟ ରାଜପଥର ନିର୍ଦ୍ଦିଷ୍ଟ କିଛି ସ୍ଥାନରେ ପରିବହନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ନିୟମ ଖିଲାପକାରୀ କାର୍ ଚାଳକଙ୍କୁ ଧରାଯାଉଛି।
ଗୁରୁତ୍ବର ସହ ନିଆଯାଇଛି
ବିଭିନ୍ନ ସ୍ତରରୁ ଏଭଳି ବିଭିନ୍ନ ପ୍ରସ୍ତାବ ଓ ସମସ୍ୟା ସମ୍ବନ୍ଧରେ ସୂଚନା ଆସିଛି। ତାହା ଉପରେ ଗୁରୁତ୍ବର ବିଚାର କରିବା ପାଇଁ ଟ୍ରାଫିକ୍ ଡିସିପିଙ୍କୁ କୁହାଯାଇଥିବା ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।
ରାସ୍ତା ମଝିରେ ବସ୍ ବେ’
ଅଧିକାଂଶ ସ୍ଥାନରେ ମୁଖ୍ୟ ରାସ୍ତାଠାରୁ ଟିକେ ଭିତରକୁ ବସ୍ ବେ’ ରହିଛି। କିନ୍ତୁ ସ୍ମାର୍ଟ ଜନପଥରେ ରାସ୍ତା ଉପରେ ବସ୍ ବେ’ ନିର୍ମାଣ ହୋଇଛି। ‘ମୋ ବସ୍’ଗୁଡ଼ିକ ରାସ୍ତା ଉପରେ ହଠାତ୍ ଅଟକି ଯାତ୍ରୀଙ୍କୁ ଉଠାଉଥିବାରୁ ପଛରୁ ଆସୁଥିବା ଗାଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି। ଏହାସହ ଟ୍ରାଫିକ୍ ସମସ୍ୟା ବି ଉତ୍କଟ ହେଉଛି। ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କୁ ବି କମିସନରେଟ୍ ପୁଲିସ ପକ୍ଷରୁ ଏନେଇ କିଛି ପ୍ରସ୍ତାବ ଦିଆଯାଉନି।
ଜବରଦଖଲରେ ଫୁଟ୍ପାଥ
ଫୁଟ୍ପାଥ ଜବରଦଖଲ ଦଣ୍ଡନୀୟ ଅପରାଧ। ହେଲେ କେହି ନିୟମ ମାନୁନାହାନ୍ତି। ରାଜଧାନୀର ବିଭିନ୍ନ ଫୁଟ୍ପାଥ ଏବେ ବେଆଇନ ଗାଡ଼ି ପାର୍କିଂ ଓ ଉଠାଦୋକାନୀଙ୍କ କବ୍ଜାରେ ରହିଛି। ଫୁଟ୍ପାଥ ଜବରଦଖଲ ହଟାଇବା ପାଇଁ ନା ବିଏମ୍ସି ନା ପୁଲିସ; କେହି ବି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। କଟକ ରୋଡ୍ରେ ଫୁଟ୍ପାଥ ହିଁ ନାହିଁ। ଫଳରେ ରାସ୍ତାର ଉଭୟପାର୍ଶ୍ବରେ ବେଆଇନ ଭାବେ ଗାଡ଼ି ପାର୍କିଂ ହେଉଥିବାରୁ ଘୋର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ରାଜମହଲରୁ ମାଷ୍ଟର କ୍ୟାଣ୍ଟିନ୍ ରାସ୍ତାରେ ଫୁଟପାଥ ଉପରେ ଗାଡ଼ି ପାର୍କିଂ ହେଉଥିବାରୁ ସନ୍ଧ୍ୟାରେ ଅସମ୍ଭାଳ ଭିଡ଼ ଦେଖାଦେଉଛି। ନିକଟରେ ବିଏମ୍ସି, ବିଡିଏ, ଆରଟିଓ ପ୍ରଭୃତି ବିଭାଗଗୁଡ଼ିକୁ ନେଇ ପୁଲିସ କମିସନର ଏକ ବୈଠକରେ ଏହି ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ମଧ୍ୟ ପାର୍କିଂଜନିତ ସମସ୍ୟାର ସମାଧାନ ହୋଇ ପାରିନାହିଁ।
‘ଟି’ ଛକରେ ସିଗନାଲ୍ ମାନୁନାହାନ୍ତି
ରାଜଧାନୀର ବିଭିନ୍ନ ଜାଗାରେ ଇଂରାଜୀ ଅକ୍ଷର ‘ଟି’ ଭଳି ଛକ ରହିଛି। ଏହି ସ୍ଥାନଗୁଡ଼ିକରେ ଛକରେ ଅଟକିଥିବା ଗାଡ଼ି ସବୁଜ ସିଗନାଲ ପାଇ ଡାହାଣ ପାର୍ଶ୍ବକୁ ଯିବା ସମୟରେ ସିଧା ରାସ୍ତାରେ ଆସୁଥିବା ଗାଡ଼ି ସହ ଧକ୍କା ହେବାର ଆଶଙ୍କା ରହୁଛି। ଯେମିତିକି ଏଜି ଛକରୁ ରବୀନ୍ଦ୍ର ମଣ୍ଡପ ଯିବା ବେଳେ ପିଏମ୍ଜି ଛକ, ରବୀନ୍ଦ୍ର ମଣ୍ଡପ ଛକରୁ ଆଚାର୍ଯ୍ୟ ବିହାର ଯିବା ବେଳେ ହାଉସିଂ ବୋର୍ଡ ଛକରେ ନାଲି ସିଗନାଲରେ ଗାଡ଼ି ଅଟକୁ ନାହିଁ। ଯେଉଁମାନେ ମାଷ୍ଟର କ୍ୟାଣ୍ଟିନ୍ରୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯାଆନ୍ତି, ସେମାନେ ଏଜି ଛକରୁ ଆସୁଥିବା ଚାଳକଙ୍କ ସହ ପିଏମ୍ଜି ଛକରେ ମୁହାଁମୁହିଁ ହୋଇଥାନ୍ତି। ରାମ ମନ୍ଦିରରୁ ଯେଉଁମାନେ ଆଚାର୍ଯ୍ୟ ବିହାର ଆଡ଼କୁ ଯାଆନ୍ତି ସେମାନେ ରବୀନ୍ଦ୍ର ମଣ୍ଡପ ଆଡ଼ୁ ଆସୁଥିବା ଚାଳକଙ୍କ ସହ ହାଉସିଂବୋର୍ଡ ଛକରେ ମୁହାଁମୁହିଁ ହୋଇଥାନ୍ତି। ଅନବରତ ଗାଡ଼ି ଚାଲିବା ଦ୍ବାରା ପଥଚାରୀ ପାଇଁ ମଧ୍ୟ ରାସ୍ତା ଅତିକ୍ରମ କରିବା ଅସମ୍ଭବ ହୋଇଥାଏ। ପିଏମ୍ଜି ଓ ହାଉସିଂବୋର୍ଡ ଛକ ଛଡ଼ା ରବୀନ୍ଦ୍ର ମଣ୍ଡପ, ୧୨୦ ବାଟାଲିୟନ, ରାମମନ୍ଦିର ସମେତ ରାଜଧାନୀର ବହୁ ଛକରେ ଏହି ପରିସ୍ଥିତି ସୃଷ୍ଟି ହେଉଛି।