କଳିଙ୍ଗ ହସ୍ପିଟାଲ ଛକ-ରଘୁନାଥପୁର ରାସ୍ତା ଟ୍ରାଫିକ୍‌ ବିପର୍ଯ୍ୟସ୍ତ : ୧୨ ଘଣ୍ଟାରେ ୧୨ ଦୁର୍ଘଟଣା, ୪ ଗୁରୁତର ହସ୍ପିଟାଲରେ ଭର୍ତ୍ତି

ଚନ୍ଦ୍ରଶେଖରପୁର : ‘ମୋତେ ଯେତେ ମାଠିବୁ ମାଠ… ମୁଁ ସେଇ…’। ରାଜଧାନୀର ଟ୍ରାଫିକ୍‌ ପରିଚାଳନା ବ୍ୟବସ୍ଥା ପାଇଁ ଏହି ଉକ୍ତିଟି ଏବେ ପୂରା ପ୍ରଯୁଜ୍ୟ। ଦିନେ କି ଦୁଇ ଦିନ ନୁହେଁ କିମ୍ବା ମାସ ମାସର ସମସ୍ୟା ନୁହେଁ; ଦୀର୍ଘ ୫ ବର୍ଷ ହେଲା କଳିଙ୍ଗ ହସ୍ପିଟାଲ ଛକ-ରଘୁନାଥପୁର ରାସ୍ତାରେ ଟ୍ରାଫିକ୍‌ ପରିଚାଳନା ବିପର୍ଯ୍ୟସ୍ତ ହୋଇପଡ଼ିଥିଲେ ମଧ୍ୟ ସମାଧାନର ବାଟ ବାହାରି ପାରୁନି। ବିକଳ୍ପ ରାସ୍ତା ଖୋଲିପାରୁ ନଥିବା ବେଳେ ଏବେ ମୁଣ୍ଡ ଗଡ଼ିବା ଆରମ୍ଭ ହେଲାଣି। ୨୦୧୯ ମସିହା ଆରମ୍ଭରୁ ଏପର୍ଯ୍ୟନ୍ତ ଏହି ରାସ୍ତାରେ ସଡ଼କ ଦୁର୍ଘଟଣାରେ ପ୍ରାୟ ୧୦ଜଣଙ୍କ ଜୀବନ ଗଲାଣି। ଆଗକୁ ଆଉ କେତେ ଜୀବନ ଗଲେ, ପ୍ରଶାସନ ଚେତିବ, ତାହା ବି କହିବା ମୁସ୍କିଲ୍‌। ତେବେ ଆଜି ଗୋଟିଏ ଦିନରେ ଏହି ରାସ୍ତାରେ ୧୨ଟି ଦୁର୍ଘଟଣା ଟ୍ରାଫିକ୍‌ ପରିଚାଳନାର ନଗ୍ନଚିତ୍ରକୁ ପଦାରେ ପକାଇଛି।

ସକାଳ ୮ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ଧରି ‘ସମ୍ବାଦ’ ଟିମ୍‌ ଏହି ୧୪ କିମି ରାସ୍ତାର ଦୁର୍ଘଟଣା ସ୍ଥାନରେ ସ୍ଥିତିର ଅନୁଧ୍ୟାନ କରିଥିଲା। ଆଉ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଥିଲା, ତାହା ଅତ୍ୟନ୍ତ ଭୟଙ୍କର। ପଟିଆ ମ୍ୟାଗନେଟ୍ ଛକରେ ସକାଳ ୮ଟାରୁ ୧୨ଟା ମଧ୍ୟରେ ୪ଟି ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। ନିକଟରେ ଥିବା ଏକ ଇଞ୍ଜିନିୟରିଂ କଲେଜର ଛାତ୍ରୀ ଅନିତା ପଟେଲ୍‌ ବାଇକ୍‌ରେ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ପଛପଟୁ ଧକ୍କା ଦେଇଥିଲା। ଛାତ୍ରୀଜଣକ ତଳେ ପଡ଼ି ପ୍ରାୟ ୧୦ ମିଟର ରାସ୍ତାରେ ଘୁଷୁଡ଼ି ରକ୍ତାକ୍ତ ହୋଇଥିଲେ। ତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତି କରାଯାଇଛି। ସେହିପରି ପୂର୍ବାହ୍ନ ୧୧ଟା ବେଳେ ପଟିଆ ବିଗ୍‌ ବଜାର ସମ୍ମୁଖରେ ଦୁଇଟି ବାଇକ୍ ପଛକୁ ପଛ ପିଟି ହେବା ଫଳରେ ବାଇକ୍ ଭାଙ୍ଗିବା ସହ ଦୁଇଜଣ ଯାକ ବାଇକ୍‌ ଆରୋହୀ ଗୁରୁତର ଆହତ ହୋଇଥିଲେ। କଳିଙ୍ଗ ହସ୍ପିଟାଲ୍‌ ଛକର କିଛି ଦୂରରେ କାର୍ ଓ ବାଇକ୍ ଧକ୍କା ହେବା ଯୋଗୁଁ ଦୁଇଜଣ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ୧୦୮ ଆମ୍ବୁଲାନ୍ସରେ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଥିଲା।

ଚନ୍ଦ୍ରଶେଖରପୁର ବିଡିଏ ଫଳ ମାର୍କେଟ୍‌ ନିକଟରେ ଏକ ଘରୋଇ ବସ୍ ଧକ୍କାରେ କାର୍ ଚେପା ହେବା ଫଳରେ ରାସ୍ତା ଉପରେ ଉଭୟ ଗାଡ଼ି ଚାଳକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିଯୋଗୁଁ ପ୍ରାୟ ୪୫ ମିନିଟ୍‌ ଧରି ଟ୍ରାଫିକ୍ ଜାମ୍ ପରି ସମସ୍ୟା ଦେଖା ଯାଇଥିଲା। ଡମଣା ଛକରେ ଯାନବାହନ ନିୟନ୍ତ୍ରଣ ସୁବିଧା କରାଯାଇ ନଥିବାରୁ ଡ଼ମଣାରୁ ଶୈଳଶ୍ରୀବିହାର ଆଡ଼କୁ ଯାଉଥିବା ୩ଜଣ ଯୁବକଙ୍କୁ ଏକ କାର୍ ଧକ୍କା ଦେଇଥିଲା। ସେମାନେ ତଳେ ପଡ଼ି ସାମାନ୍ୟ ଆହତ ହୋଇଥିଲେ। ସେଠାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ସନ୍ଧ୍ୟାରେ ଡମଣା ମଦ କାଉଣ୍ଟର ସମ୍ମୁଖରେ ଜଣେ ମଦ୍ୟପ ରାସ୍ତା ଉପରେ ଉତ୍ପାତ କରୁଥିବାରୁ ଏକ ବାଇକ୍ ଆରୋହୀ ପିଟି ହୋଇ ଦୁର୍ଘଟଣାର ଶିକାର ହୋଇଛନ୍ତି।

ସେହିପରି ଇନ୍‌ଫୋସିଟି ଛକରେ ଟ୍ରାଫିକ୍ ସିଗ୍‌ନାଲ୍‌ ରହିଥିଲେ ମଧ୍ୟ ଚାଳକମାନେ ମାନୁନାହାନ୍ତି। ମନଇଚ୍ଛା ଯାନବାହାନ ଚଳାଚଳ କରୁଥିବାରୁ ଆଜି ରାତିରେ ଦୁର୍ଘଟଣା ହୋଇଛି। ଛାତ୍ରୀ ସୁଭଦ୍ରା ନାୟକ ଓ ପ୍ରଗତି ସାହାଙ୍କୁ ଏକ କାର୍ ଧକ୍କା ଦେବା ଯୋଗୁଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ସନ୍ଧ୍ୟାରେ ପଟିଆ ଛକରେ ଏକ କାର୍‌ ଜଣେ ବାଇକ୍ ଆରୋହୀ ଶିଶୁବିହାରର ପ୍ରମୋଦ ପାତ୍ରଙ୍କୁ ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲ୍‌‌ରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିବା ଜଣାଯାଇଛି।

ହେଲମେଟ୍ ଚେକିଂ ପାଇଁ ଗୁରୁତର

ପୂର୍ବାହ୍ନ ପ୍ରାୟ ୧୧ଟା ୧୫ ବେଳେ ଜଣେ ଯୁବକ ନନ୍ଦନକାନନ ରାସ୍ତାରେ ମ୍ୟାଗନେଟ୍‌ ଛକ ଆଡ଼କୁ ଆସୁଥିଲେ। ଏହି ସମୟରେ ମ୍ୟାଗନେଟ୍‌ ଛକ ନିକଟରେ ପୁଲିସ ପକ୍ଷରୁ ହେଲମେଟ୍‌ ଯାଞ୍ଚ ଚାଲିଥିଲା। ଏହା ଦେଖି ଯୁବକ ଜଣକ ହଠାତ୍‌ ଗାଡ଼ି ବ୍ରେକ୍‌ ମାରିବାରୁ ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲେ। ରାସ୍ତାରେ ଘୁଷୁଡ଼ି ଖଣ୍ଡିଆ ଖାବରା ହେବା ସହ ତାଙ୍କ ବାମ ଗୋଡ଼ରେ ଶକ୍ତ ଆଘାତ ଲାଗିଥିଲା। ଉପସ୍ଥିତ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ତାଙ୍କ ନାମ ଅମରେଶ(୨୪) ବୋଲି ଜଣାପଡ଼ିଛି। ସେହିପରି ହେଲମେଟ୍‌ ‌ଯାଞ୍ଚରୁ ବର୍ତ୍ତିବାକୁ ଯାଇ ଆଉ ଜଣେ ଯୁବକ ରଙ୍ଗ୍‌ ରୁଟ୍‌ରେ ଗାଡ଼ି ଚଳାଇ ଦୁର୍ଘଟଣାର ଶିକାର ହୋଇଛନ୍ତି। ତାଙ୍କ ଗାଡ଼ିଟି ଫୁଟ୍‌ପାଥ୍‌ରେ ଦୁର୍ଘଟଣାଗ୍ରସ୍ତ ହେବାରୁ ସେ ଆହତ ହୋଇଥିଲେ।

ଥମୁନି ରଙ୍ଗ୍‌ରୁଟ୍ ଗାଡ଼ି ଚଲା

କଳିଙ୍ଗ ହସ୍ପିଟାଲ ଛକ-ମ୍ୟାଗନେଟ୍‌ ଛକ ମଧ୍ୟରେ ଇତି ମଧ୍ୟରେ ଦୁଇଟି କଟ୍‌ ବନ୍ଦ ହେବା ଯୋଗୁଁ ଦୁର୍ଘଟଣା ବହୁ ପାରିମାଣରେ ବଢ଼ିବାରେ ଲାଗିଛି। ସାଧାରଣ ଲୋକେ ନିୟମ ନମାନି ଫୁଟପାଥ୍ ଉପରେ‌ ବାଇକ୍ ନେଇ ଯାତାୟାତ କରୁଛନ୍ତି। ଯେଉଁଥିପାଇଁ ପଥଚାରୀମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ରାସ୍ତାର ଦୁଇଟି ପ୍ରମୁଖ କଟ୍‌ ବନ୍ଦ କରାଯିବା ନିଷ୍ପତ୍ତିକୁ ସ୍ଥାନୀୟ ଲୋକେ ସହଜ‌ରେ ଗ୍ରହଣ କରିପାରୁନାହାନ୍ତି। ବିକଳ୍ପ ବ୍ୟବସ୍ଥା ନକରି ହଠାତ୍‌ ଏଭଳି ନିଷ୍ପତ୍ତି ନିଆଯାଇଥିବାରୁ ବିରୋଧର ସ୍ବର ଦେଖିବାକୁ ମିଳିଛି। ସେପଟେ କଟ୍‌ ବନ୍ଦ ହେବା ପରେ ଅମାନିଆ ବାଇକ୍ ଚାଳକ ଏବେ ଅନ୍ୟ ପନ୍ଥା ଆପଣାଇଛନ୍ତି। ମଞ୍ଚେଶ୍ବର ଦିଗରୁ ଆସୁଥିବା ଗାଡ଼ି ଓମ‌୍‌ଫେଡ଼୍ ଛକରୁ ଡ଼ାହାଣରେ ରଙ୍ଗ ରୁଟ୍‌ ଦେଇ ତନିସ୍କ ସମ୍ମୁଖରେ ଥିବା କଟିଂରେ ରାସ୍ତା ପାର୍‌ ହେଉଛନ୍ତି। ନୀଳାଦ୍ରିବିହାର ଛକରୁ ଆସୁଥିବା ଲୋକମାନେ ରଙ୍ଗ୍‌ରେ ପଶି ତନିସ୍କ ନିକଟ କଟିଂରେ ଅପରପାର୍ଶ୍ବକୁ ଯାଉଛନ୍ତି। ଚନ୍ଦ୍ରଶେଖରପୁର ବିଡିଏ କଲୋନିବାସୀ ରଙ୍ଗ୍‌ରୁଟ୍‌ରେ କଳିଙ୍ଗ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଆସୁଛନ୍ତି।

ସମ୍ବନ୍ଧିତ ଖବର