କ୍ୟାପିଟାଲ ହସ୍ପିଟାଲ୍‌ରେ ଏମିତି ଚାଲିଛି ଚିକିତ୍ସା : ଅସ୍ତ୍ରୋପଚାରର ୪ ବର୍ଷ ପରେ ଗର୍ଭବତୀ

ଭୁବନେଶ୍ୱ: କ୍ୟାପିଟାଲ ହସ୍ପିଟାଲ ପିଛା ଛାଡୁନି ବିବାଦ। ସମସ୍ୟା ଜାରି ରହିଥିବା ବେଳେ ଏବେ ଅସ୍ତ୍ରୋପଚାରକୁ ନେଇ ଉଠିଛି ପ୍ରଶ୍ନ। ଜଣେ ମହିଳା ୪ ବର୍ଷ ତଳେ କ୍ୟାପିଟାଲ ହସ୍ପିଟାଲରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରିଥିଲେ। ଏବେ କିନ୍ତୁ ଦୁଇ ମାସର ଗର୍ଭବତୀ। ସମ୍ପୃକ୍ତ ମହିଳାଙ୍କ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି। ପୁରୀ ଜିଲ୍ଲା ବାଗଲ୍‌ପୁର ଅଞ୍ଚଳର ସୁଦର୍ଶନ ପ୍ରଧାନଙ୍କ ପତ୍ନୀ ବନିତା ପ୍ରଧାନ ୨୦୧୪ରେ କ୍ୟାପିଟାଲ ହସ୍ପିଟାଲରେ ପରିବାର ନିୟୋଜନ ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର ପରେ ୭ ଦିନ ଧରି ମେଡିକାଲରେ ରଖାଯାଇ ତାଙ୍କର ଚିକିତ୍ସା କରାଯାଇଥିଲା। ଅସ୍ତ୍ରୋପଚାର ସଫଳ ହୋଇଛି ବୋଲି ସେତେବେଳେ ଡାକ୍ତରମାନେ କହିଥିଲେ। କିନ୍ତୁ ଅଳ୍ପ କିଛି ଦିନ ଯାଇଛି କି ନାହିଁ ବନିତା ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ପେଟ କାଟୁଛି ବୋଲି ଭାବି ସ୍ଥାନୀୟ ମେଡିସିନ୍‌ ଦୋକାନରୁ ମେଡିସିନ୍‌ ମଧ୍ୟ ଖାଇଲେ। କିନ୍ତୁ କିଛି ଫଳ ମିଳିଲା ନାହିଁ। ମଝିରେ ମଝିରେ ତାଙ୍କ ପେଟ ବିନ୍ଧା ବିନ୍ଧି କରୁଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଗତ ୫ ଦିନ ହେଲା ସେ ଅଧିକ ଯନ୍ତ୍ରଣା ଅନୁଭବ କରୁଥିଲା ବେଳେ ଆଜି ହଠାତ୍‌ ବେହୋସ୍‌ ହୋଇ ଯାଇଥିଲେ। ଏହାପରେ ତାଙ୍କୁ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପରିବାର ଲୋକେ ଜଣିବାକୁ ପାଇଥିଲେ ଯେ ବନିତା ଦୁଇ ମାସର ଗର୍ଭବତୀ ଅଛନ୍ତି। ଚିକିତ୍ସା ପାଇଁ ସମ୍ପୃକ୍ତ ଡାକ୍ତର ମନା କରିବା ସହ ଯେଉଁଠାରେ ଅସ୍ତ୍ରୋପଚାର କରିଥିଲ ସେଠାରେ ଦେଖାଇବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ସେହି ଅନୁଯାୟୀ ଆଜି ସକାଳୁ ବନିତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଘଟଣା ପଦାକୁ ଆସିବା ପରେ ହସ୍ପିଟାଲ କର୍ତୃପକ୍ଷ ଏହାକୁ ଚାପିବାକୁ ଉଦ୍ୟମ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ବନିତାଙ୍କ କହିବାନୁଯାୟୀ, ଡାକ୍ତରଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଆଜି ଏଭଳି ଏକ ଘଟଣା ହୋଇଛି। ୪ ବର୍ଷ ହେଲା ପେଟରେ ପ୍ରବଳ ଯନ୍ତ୍ରଣା ହେଉଛି। ଉଠି ବସି ପାରୁ ନାହିଁ। ଆଜି ବେହୋସ୍‌ ହୋଇଯିବା ପରେ ପ୍ରକୃତ ଘଟଣା ପଦାକୁ ଆସିଛି। ଡାକ୍ତରମାନେ ରୋଗୀଙ୍କ ଜୀବନ ବଞ୍ଚାଇଥାନ୍ତି। ହେଲେ ଏଠାକାର ଡାକ୍ତର ରୋଗୀଙ୍କୁ ଚିକିତ୍ସା ସୁବିଧା ଦେବା ବଦଳରେ ସେମାନଙ୍କ ଜୀବନ ସହ ଖେଳୁଛନ୍ତି। ଅଭିଯୋଗ କରିବା ପରେ ଚାପିବାକୁ ବି ଉଦ୍ୟମ କରାଯାଉଛି। ଯେଉଁ ଡାକ୍ତରଙ୍କ ଯୋଗୁଁ ମୋର ଏଭଳି ଅବସ୍ଥା ହୋଇଛି ତାଙ୍କୁ ଦଣ୍ଡ ମିଳୁ। ଫଳରେ ଆଗକୁ ଆଉ କୌଣସି ମହିଳାଙ୍କ ସହ ଯେମିତି ଏଭଳି ନ ହେବ। ଗୁରୁବାର ସକାଳେ ପୁଣିଥରେ ଅସ୍ତ୍ରୋପଚାର କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର