କ୍ୟାପିଟାଲ ହସ୍ପିଟାଲରେ ରୋଗୀ ସମସ୍ୟା, ନିର୍ଦେଶକଙ୍କୁ ଭେଟିଲେ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତା

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ପ୍ରତ୍ୟେକ ଦିନ ରୋଗୀମାନେ ଭୋଗୁଥିବା ସମସ୍ୟାର ସମଧାନ ଦାବି ନେଇ ଆଜି ଜୟ ଜଗନ୍ନାଥ ଆକ୍ସିଡେଣ୍ଟାଲ ହେଲ୍‌ପ ୟୁନିଟ୍‌ର କର୍ମକର୍ତା ନିର୍ଦେଶକଙ୍କୁ ଭେଟିଛନ୍ତି। ୮ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ନିର୍ଦେଶକଙ୍କୁ ପ୍ରଦାନ କରିବା ସହିତ ଏହାର ତୁରନ୍ତ ସମାଧାନ ପାଇଁ ଆଲୋଚନା କରିଛନ୍ତି। ସଂଗଠନ ପକ୍ଷରୁ କୁହାଯାଇଛି ଯେ ଦୁର୍ଘଟଣାର ଶିକାର ହେଉଥିବା ରୋଗୀମାନଙ୍କ ପାଇଁ ହସ୍ପିଟାଲରେ ୨୪ ଘଣ୍ଟିଆ ଏକ୍ସ-ରେ ବ୍ୟବସ୍ଥା କରାଯାଉ। ରୋଗୀଙ୍କୁ ନର୍ସମାନଙ୍କ ଇଞ୍ଜେକସନ୍ ଦେବା ଓ ସହଯୋଗ କରିବା ପ୍ରଣାଳୀରେ ପରିବର୍ତ୍ତନ ଅଣାଯାଉ। ଜରୁରୀକାଳୀନ ପରିସ୍ଥିତି ସମୟରେ ଆଟେଣ୍ଡାଣ୍ଟଙ୍କ କମ୍ ଉପସ୍ଥିତି ଯୋଗୁଁ ସେବାରେ ବ୍ୟାଘାତ ସୃଷ୍ଟି ହେଉଛି। ତେଣୁ ଏଥିରେ କିଭଳି ସୁଧାର ଆସିପାରିବ, ତାହା ଉପରେ ଗୁରୁତ୍ବ ଦିଆଯାଉ। ହସ୍ପିଟାଲରେ ସିଟି-ସ୍କାନ୍ ମେସିନ ରହିଥିଲେ ହେଁ କିଛି ଡାକ୍ତର ରୋଗୀମାନଙ୍କୁ ଘରୋଇ ଡାଏଗ୍ନୋଷ୍ଟିକ ସେଣ୍ଟରରେ ସିଟି ସ୍କାନ୍ କରିବାକୁ କହୁଛନ୍ତି। ତେଣୁ ସଂପୃକ୍ତ ଡାକ୍ତରଙ୍କ ଉପରେ ନଜର ରଖିବା ପାଇଁ ଅନୁଷ୍ଠାନ ପକ୍ଷରୁ ଦାବି କରାଯାଇଛି। ତେବେ ଯେଉଁ ନର୍ସ କିମ୍ବା ଡାକ୍ତର ନିଜ କାର୍ଯ୍ୟରେ ଅବହେଳା କରୁଥିବା ନଜରକୁ ଆସୁଛି, ସେମାନଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିବାକୁ ହସ୍ପିଟାଲର ନିର୍ଦେଶକ କହିଥିବା ସୂଚନା ଦେଇଛନ୍ତି ଅନୁଷ୍ଠାନର ସଂପାଦକ ରଂକନିଧି ସାମଲ। ଏହାସହ ଆଗାମୀ ଦିନରେ ୨୪ଘଣ୍ଟିଆ ଏକ୍ସ-ରେ ସୁବିଧା କରାଯିବ ବୋଲି ନିର୍ଦେଶକ ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କୁ ନର୍ସ ଓ ଅନ୍ୟ କର୍ମଚାରୀ ଅବହେଳା କରୁଥିବା ଅଭିଯୋଗ ହେଉଛି। ଏପରିକି ୨ ଦିନ ତଳେ ଜଣେ ଅଚିହ୍ନା ବ୍ୟକ୍ତି ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିବା ବେଳେ ତାଙ୍କୁ ଦିଆଯାଇଥିବା ସାଲାଇନ୍ ଖସିଯିବା ସହ ସଂପୃ୍କ୍ତ ବ୍ୟକ୍ତିଙ୍କ ହାତରୁ ରକ୍ତ ବୋହିଥିଲା। ଏହାସତ୍ତ୍ବେ ମଧ୍ୟ ରାତିରେ ଡ୍ୟୁଟି କରୁଥିବା ନର୍ସ ଏହାକୁ ଗୁରୁତ୍ବ ଦେଇ ନ ଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର