ଭାଙ୍ଗିଥିଲା ୫ଲକ୍ଷ, ଏବେ ଉପୁଡ଼ିବ ୨ହଜାର ଗଛ

ଭୁବନେଶ୍ବର : ବାତ୍ୟା ଫନିରେ ରାଜଧାନୀର ଅଧା ସବୁଜିମା ଉଜୁଡ଼ି ଯାଇଥିଲା। ପ୍ରାୟ ୫ଲକ୍ଷ ଗଛ ଉପୁଡ଼ି/ଭାଙ୍ଗି ଯାଇଥିଲା। ଏହାପରେ ଜଙ୍ଗଲ ଓ ପରିବେଶ ବିଭାଗ, ବିଡିଏ, ବିଏମ୍‌ସି ରାଜଧାନୀରେ ସବୁଜିମା ଫେରାଇ ଆଣିବା ପାଇଁ ବ୍ୟାପକ ବୃକ୍ଷରୋପଣ କରିବ‌ାକୁ ଘୋଷଣା କରିଛନ୍ତି। କିନ୍ତୁ ଏପଟେ ରାଜଧାନୀର ଆଉ ପ୍ରାୟ ୨ହଜାର ଗଛ ଏବେ ଉପୁଡ଼ିବାକୁ ବସିଲାଣି। ତାହା ପୁଣି ଓପିଟିସିଏଲ୍‌ କର୍ତ୍ତୃପକ୍ଷଙ୍କ ବେପରୁଆ କାର୍ଯ୍ୟ ଯୋଗୁଁ।

ଏବେ ରାମମନ୍ଦିର ଛକରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାର ବାମ ପାର୍ଶ୍ବରେ ଭୂତଳ କେବୁଲ୍‌ ବିଛାଇବା ପାଇଁ ପ୍ରାୟ ୩ଫୁଟ ଗଭୀରର ରାସ୍ତା ଖୋଳା ଯାଇଛି। ଦୀର୍ଘ ଦିନ ହେଲା ଏହି ରାସ୍ତା ଖୋଳା ହୋଇପଡ଼ିଥିଲେ ହେଁ କାମ ହେଉନି। ଏବେ ପ୍ରାକ୍ ମୌସୁମୀ ବର୍ଷା ହେବାରୁ ଖୋଳା ଯାଇଥିବା ଗାତରେ ଆଣ୍ଠୁଏ ଉଚ୍ଚରେ ପାଣି ଚାଲୁଛି। ପାଣି ନିକଟରେ ଥିବା ଗଛଗୁଡ଼ିକର ମୂଳରୁ ମାଟି ଧୋଇ ନେଇ ଯାଇଥିବାରୁ ଏଥିରୁ କେତୋଟି ଗଛ ଏବେ ଉପୁଡ଼ି ଗଲାଣି। ଆଉ ଦୁଇଟି ବଡ଼ ଅସରା ବର୍ଷା ହେଲେ କିମ୍ବା ଏମିତି ବର୍ଷା ଲାଗି ରହିଲେ ‌ରାମମନ୍ଦିର ନିକଟରୁ ବାଣୀବିହାର ପର୍ଯ୍ୟନ୍ତ ଥିବା ପ୍ରାୟ ୨ହଜାର ଗଛ କୌଣସି ମୁହୂର୍ତ୍ତରେ ଉପୁଡ଼ିଯିବ। ହେଲେ ଏଥିପାଇଁ ଓପିଟିସିଏଲ୍‌ କର୍ତ୍ତୃପକ୍ଷ କିମ୍ବା କେବୁଲ୍‌ ବିଛା‌ଉଥିବା ଘରୋଇ ସଂସ୍ଥା ଏଲ୍‌ଆଣ୍ଡ୍‌ଟିର ନଜର ନାହିଁ।

ଆଶ୍ଚର୍ଯ୍ୟର ବିଷୟ, ଜନପଥରେ ଭୂତଳ କେବୁଲ୍‌ ବିଛାଇବା ପାଇଁ ଏବେ ଯେଉଁ ରାସ୍ତା ଖୋଳା ହୋଇଛି, ସେଥିରେ ଶହଶହ ଗଛର ଚେର ଗୋଟିଏ ପାର୍ଶ୍ବରୁ କାଟି ଦିଆଯାଇଛି। ଏହାବାଦ୍ ଅଧିକାଂଶ ସ୍ଥାନରେ ଗଛ ତଳୁ ପୂରା ମାଟି କାଢ଼ି ଦିଆଯାଇଛି। ଚେରଗୁଡ଼ିକ ମୁକୁଳା ଫାଶ ଭଳି ଚାହିଁ ରହିଛି। ଜନପଥରେ ଲାଗିଥିବା ଗଛ ମଧ୍ୟରୁ ଅଧିକାଂଶ କଦମ୍ବ, ବଣ ଚାକୁଣ୍ଡା, କୃଷ୍ଣଚୂଡ଼ା ଭଳି ଗଛ ଥିବାରୁ ଏହାର ଚେର ମାଟି ଭିତରକୁ ବେଶି ଯାଇନି। ଯେତିକି ଯାଇଛି, ତାହାକୁ ସୁଦୃଢ଼ କରିଥିବା ମାଟିକୁ ଏବେ ଜେସିବି ଲଗାଇ ତାଡ଼ି ଦିଆଯାଇଛି। ଫଳରେ କିଛି ସ୍ଥାନରେ ଗଛ ଗୋଟିଏ ପାର୍ଶ୍ବକୁ ଢଳି ରହିଥିବା ବେଳେ ଆଉ କିଛି ସ୍ଥାନରେ ଗଛଗୁଡ଼ିକୁ ଉପୁଡ଼ି ପଡ଼ିବା ଭଳି ସ୍ଥିତିରେ ଅଛି। ତେଣୁ ବର୍ଷା ଲାଗି ରହିଲେ କିମ୍ବା ମୂଳରେ ପାଣି ଜମିଲେ ଯେତିକି ମାଟି ଅଛି ସବୁ ଧୋଇଯିବ, ସବୁ ଗଛ ଉପୁଡ଼ି ପଡ଼ିବ।

ବାତ୍ୟା ପୂର୍ବରୁ ଏହା ଖୋଳା ଯାଇଥିଲେ ହେଁ ଏ‌ଠାରେ ଭୂତଳ କେବୁଲ୍‌ ବିଛାଇବା ପାଇଁ ପଡ଼ୁଥିବା କଂକ୍ରିଟ ସ୍ଲାବ୍ ପକାଯାଉନି। ଯାହା ଗଛଗୁଡ଼ିକ ପାଇଁ ବିପଦକୁ ଟାଣି ଆଣୁଛି। ତେଣୁ ଏବେ ହଜାର ହଜାର ଗଛ ବଞ୍ଚାଇବାକୁ ହେଲେ ଗଛ ମୂଳେ ମାଟି ଦେଇ ପୋତିବାକୁ ହେବ, ନଚେତ୍ ତୁରନ୍ତ କଙ୍କ୍ରିଟ୍ ସ୍ଲାବ୍ ପକାଇ ଗାତ ପୋତିବା ପରେ ଗଛ ମୂଳେ ମାଟି ଦେବାକୁ ହେବ। ତେବେ ଯାଇ ଏହି ଗଛ ବଞ୍ଚିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଏପରି ସ୍ଥିତିରେ ଅପେକ୍ଷା ଓପିଟିସିଏଲ୍ କର୍ତ୍ତୃପକ୍ଷ ହଜାର ହଜାର ଗଛକୁ ବଞ୍ଚାଇବା ପାଇଁ କେତେ ଜଲ୍‌ଦି କ’ଣ ପଦକ୍ଷେପ ନେଉଛନ୍ତି।

ସମ୍ବନ୍ଧିତ ଖବର