ବାରଙ୍ଗ ବ୍ଲକ ଅଧୀନ ତ୍ରିଶୁଳିଆ ବଜାରରୁ ଦୋକାନ ଉଚ୍ଛେଦ

ତ୍ରିଶୁଳିଆ/ବାରଙ୍ଗ : ବାରଙ୍ଗ ବ୍ଲକ ଅଧୀନ ତ୍ରିଶୁଳିଆ ଛକ ରାମଲୀଳା ମଣ୍ଡପଠାରୁ ସୁଭାଷ ବୋଷ ପର୍ଯ୍ୟନ୍ତ ରାସ୍ତାର ଦକ୍ଷିଣ ପାର୍ଶ୍ବରୁ ପ୍ରଶାସନ ଗଢ଼ି ଉଠିଥିବା ସ୍ଥାୟୀ ଓ ଅସ୍ଥାୟୀ ଦୋକାନ ଘର ସବୁକୁ ଆଜି ଉଚ୍ଛେଦ କରାଯାଇଛି। ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ବଳରେ ବାରଙ୍ଗ ତହସିଲଦାର ରମେଶ ଚନ୍ଦ୍ର ଜେନା, ବାରଙ୍ଗ ଥାନା ଅଧିକାରୀ ଶଶିକାନ୍ତ ରାଉତ ଓ ରାଜସ୍ବ ନିରୀକ୍ଷକ ସନ୍ତୋଷ କୁମାର ରଥ ପୁଲିସ ଫୋର୍ସ ସହାୟତାରେ ଜେସିବି ଦ୍ବାରା ୩୦ରୁ ଊର୍ଧ୍ବ ଦୋକାନ ଘର ଭଙ୍ଗା ଯାଇଥିଲା। ୧୫ ଦିନ ପୂର୍ବରୁ ପ୍ରଶାସନ ସରକାରୀ ଜାଗାରୁ ଦୋକାନ ହଟାଇବାକୁ ବିଜ୍ଞପ୍ତି ଜାରି କରିଥିଲା।

ସୂଚନା ଅନୁଯାୟୀ, ୨୦୧୮ ଏପ୍ରିଲ‌ରେ ଏଠାରେ ଏକ କଲ୍ୟାଣ ମଣ୍ଡପ ଓ ମାର୍କେଟ୍‌ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ରାମଲୀଳା ମଣ୍ଡପ ପାଖରେ ପୁଲିସ୍‌ ଫାଣ୍ଡି ପାଇଁ ସ୍ଥାନ ସ୍ଥିରୀକୃତ ହୋଇଥିଲା। କିନ୍ତୁ ଉକ୍ତ ସ୍ଥାନରେ ନିର୍ମାଣ ବିଳମ୍ବ ହେବାରୁ ପାଖାପାଖି ୩୦ରୁ ଊର୍ଧ୍ବ ଲୋକ ସେଠା‌ରେ ଜବରଦଖଲ କରି ଦୋକାନ କରିଥିଲେ। ଏବେ ଏଠାରେ ନିର୍ମାଣ କାର୍ଯ୍ୟ ହେବାକୁ ଥିବାରୁ ବାରଙ୍ଗ ତହସିଲ ପକ୍ଷରୁ ନୋଟିସ୍‌ ଦିଆଯାଇଥିଲା। ବାରଙ୍ଗ ତହସିଲଦାରଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଭଙ୍ଗା ଯାଇଥିବା ଦୋକାନ ଜାଗା‌ରେ ଅପରାଧ ନିୟନ୍ତ୍ରଣ ଲାଗି ପୁଲିସ୍‌ ଫାଣ୍ତି, ଭିଡ଼ ନିୟନ୍ତ୍ରଣ ଲାଗି ଟ୍ରାଫିକ୍ ଟାୱାର, ବ୍ୟବସାୟୀଙ୍କ ପାଇଁ ମାକେର୍ଟ କମ୍ପ୍ଲେକ୍ସ ଓ କଲ୍ୟାଣ ମଣ୍ତପ ନିର୍ମାଣ ପାଇଁ ଯୋଜନା ରହିଛି। ଏ ସବୁ ହେଲେ ତ୍ରିଶୁଳିଆ ବଜାରର କଳେବର ବଦଳିବ ଓ ଲୋକ ଉପକୃତ ହେବେ।

ସମ୍ବନ୍ଧିତ ଖବର