ଟ୍ରକ୍‌ ଚାପାରେ ଇଂଜିନିୟର ମୃତ, ଜଣେ ଗୁରୁତର

ଖଣ୍ଡଗିରି: ଗୁରୁବାର ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ଜଟଣୀ ଥାନା ଯାଁଳା ଫାଣ୍ଡି ଅନ୍ତର୍ଗତ ତଳଖେତା-ଜଟଣୀ ରାସ୍ତାରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବ ଇଂଜିନିୟରଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଇଂଜିନିୟର ହେଲେ ଭୁବନେଶ୍ୱର ଆଚାର୍ଯ୍ୟ ବିହାରର ବିଜୟ ଜେନାଙ୍କ ପୁଅ ବିଶ୍ୱଜିତ ଜେନା(୨୫)। ଗୁରୁତର ଆହତ ଇଂଜିନିୟର ହେଲେ ରେଢ଼ାଖୋଲ ଅଞ୍ଚଳର ହିମାଂଶୁ ଶେଖର ପ୍ରଧାନ(୨୫)। ତାଙ୍କ ମୁଣ୍ଡ, ଛାତି ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଦୁଇ ବନ୍ଧୁ ଜଟଣୀ ଅରୁଗୁଳୁସ୍ଥିତ ଫାଟୁଆ ଗବେଷଣା କେନ୍ଦ୍ରରେ କାର୍ଯ୍ୟରତ ଥିଲେ। ବିଶ୍ୱଜିତ ସିଭିଲ୍‌ ଇଂଜିନିୟର ଥିଲେ ଓ ହିମାଂଶୁ ଇଲେକ୍ଟ୍ରିକାଲ୍‌ ବିଭାଗରେ କାର୍ଯ୍ୟରତ ଥିଲେ। ପୁଲିସ ସୂଚନାନୁସାରେ ସବୁଦିନ ଭଳି ଆଜି ଦୁଇ ବନ୍ଧୁ ଏକ ୟୁନିକନ୍‌ ବାଇକ୍‌(ଓଡି୦୨ଏଇ-୭୩୯୯)) ଯୋଗେ ଭୁବନେଶ୍ୱରରୁ ବାହାରି ଅଫିସ୍‌ ଯାଉଥିଲେ। ସେମାନେ ତଳଖେତା ଛକରୁ ଜଟଣୀ ରାସ୍ତାରେ ଯାଉଥିବାବେଳେ ସମ୍ମୁଖ ପଟୁ ଦ୍ରୁତବେଗରେ ଆସୁଥିବା ଏକ ଟ୍ରକ୍‌ ଭାରସାମ୍ୟ ହରାଇ ସେମାନଙ୍କ ଆଡ଼କୁ ମାଡ଼ି ଆସି ବାଇକ୍‌କୁ ପିଟିଥିଲା। ଫଳରେ ବିଶ୍ୱଜିତ ବାଇକ୍‌ରୁ ଛିଟିକି ପଡ଼ି ଟ୍ରକ୍‌ ସମ୍ମୁଖରେ ପଡ଼ି ଯାଇଥିଲେ ଓ ଟ୍ରକ୍‌ଟି ସିଧା ତାଙ୍କ ମୁଣ୍ଡରେ ଚଢ଼ି ଯାଇଥିଲା। ହେଲ୍‌ମେଟ୍‌ ସହ ବିଶ୍ୱଜିତ୍‌ଙ୍କ ମୁଣ୍ଡ ଚାପି ହୋଇଯାଇଥିଲା ଓ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ହିମାଂଶୁ ଗୁରୁତର ଅବସ୍ଥାରେ ରାସ୍ତାର ଅନ୍ୟ ପାର୍ଶ୍ୱକୁ ଛିଟିକି ପଡ଼ିଥିଲେ। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଚାଳକ ଘଟଣାସ୍ଥଳରୁ ଗାଡ଼ି ନେଇ ଚମ୍ପଟ୍‌ ମାରିଥିଲା। ଖବର ପାଇ ଯାଁଳା ଫାଣ୍ଡି ପୁଲିସ ଘଟଣାସ୍ଥଳରୁ ପ୍ରଥମେ ହିମାଂଶୁଙ୍କୁ ହସ୍ପିଟାଲ ପଠାଇବା ପରେ ବିଶ୍ୱଜିତ୍‌ଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଖୋର୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ବିଶ୍ୱଜିତ୍‌ଙ୍କ ମୃତଦେହକୁ ବ୍ୟବଚ୍ଛେଦ କରାଇ ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ଓ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଖୋଜୁଛି।

ସମ୍ବନ୍ଧିତ ଖବର