ତୁଳସୀ ଦାସଙ୍କ ସଂସ୍କୃତ ରାମାୟଣର ଓଡ଼ିଆ ପଦ୍ୟାନୁବାଦ ଉନ୍ମୋଚିତ

ଶିକ୍ଷାନୁଷ୍ଠାନରେ ଆଧ୍ୟାତ୍ମିକ ଶିକ୍ଷା ଜରୁରି: ଗଜପତି

ଭୁବନେଶ୍ବର: ଆଧ୍ୟାତ୍ମିକ ଶିକ୍ଷା ବ୍ୟକ୍ତିର ଚରିତ୍ର ନିର୍ମାଣ କରେ। ସାଂପ୍ରତିକ ସ୍ଥିତିରେ ଏହାର ଅନେକ ମହତ୍ତ୍ବ ରହିଛି। ତେଣୁ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଆଧ୍ୟାତ୍ମିକ ଶିକ୍ଷା ଦେବା ଆବଶ୍ୟକ ବୋଲି କହିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ଆଜି ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ‘ପତିତ ପାବନ ସ୍ମୃତି ସଂସଦ’ ପକ୍ଷରୁ ଆୟୋଜିତ ବିଶେଷ ଉତ୍ସବରେ ସନ୍ଥ ତୁଳସୀ ଦାସଙ୍କ ସଂସ୍କୃତ ରାମାୟଣର ଓଡ଼ିଆ ପଦ୍ୟାନୁବାଦ ଉନ୍ମୋଚନ କରି ଗଜପତି ମହାରାଜ କହିଲେ, ରାମଚରିତ ମାନସ ଆଦର୍ଶ ବ୍ୟକ୍ତିତ୍ବ ନିର୍ମାଣର ଗ୍ରନ୍ଥ। ସଂସ୍କୃତରେ ରଚନା ହୋଇଥିବା ଏହି ଗ୍ରନ୍ଥକୁ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ବୋଲଗଡ଼ ଗାନ୍ଧୀ ଭାବେ ପରିଚିତ ର୍ସ୍ବଗତ ପତିତ ପାବନ ହୋତା ଓଡ଼ିଆରେ ଅନୁବାଦ କରିଥିବା ବେଳେ ଏହା ଘରେ ଘରେ ପହଞ୍ଚିବା ଦରକାର ବୋଲି ସେ କହିଛନ୍ତି। ସାଂସଦ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ବିଟ୍ରିସ୍‌ ସାମ୍ରାଜ୍ୟବାଦକୁ ମୁଁ ଏଇଥି ପାଇଁ ଧନ୍ୟବାଦ ଦେବି ଯେ ଆମକୁ ସେମାନେ ୨ଶହ ବର୍ଷ ଶାସନ କରିବା ଅବସରରେ ଅନେକ ସାହିତ୍ୟିକ ସୃଷ୍ଟି କରିଥିଲେ। ଅନେକ ସ୍ବାଧୀନତା ସଂଗ୍ରାମୀ ଜେଲ ଯାଇ ସାହିତ୍ୟିକ ପରିଚୟ ପାଇଥିଲେ। ସେ ମହାତ୍ମାଗାନ୍ଧୀ ହୁଅନ୍ତୁ ଅବା ଜବାହାରଲାଲ ନେହେରୁ। ପୁଣି ଓଡ଼ିଶାରୁ ଗୋପବନ୍ଧୁ ଦାସ। ଏହି କ୍ରମରେ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ପତିତପାବନ ହୋତା ଯଦି ଜେଲ ଯାଇ ନଥାନ୍ତେ, ସେ ହୁଏତ ତୁଳସୀ ଦାସଙ୍କ ରଚିତ ରାମଚରିତ ମାନସକୁ ଅନୁବାଦ କରି ପାରି ନ ଥାନ୍ତେ। ରାମୟଣ ରଚନା କରାଯାଇଥିଲା ଜାତିକୁ ରକ୍ଷା କରିବା ପାଇଁ। ପିତୃ ବଚନ ରକ୍ଷା କରିବାକୁ ରାମଚନ୍ଦ୍ର ବନବାସ ଯାଇଥିଲେ। ସ୍ବର୍ଗତ ପତିତ ପାବନଙ୍କ ରାମାୟଣ ମୋତେ ଆଶ୍ଚର୍ଯ୍ୟ କରିଛି। ଏହି ପୁସ୍ତକ ଏକ ଆଦର୍ଶ ପୁସ୍ତକ ଭାବେ ପରିଗଣିତ ହେଉ ବୋଲି ସାଂସଦ ଶ୍ରୀ ପଟ୍ଟନାୟକ କହିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ, ପୁରୀ ଝାଞ୍ଜପିଟା ମଠର ଅଧ୍ୟକ୍ଷ ସଚ୍ଚିଦାନନ୍ଦ ମହାରାଜ, ବୈଦିକ ବିଦ୍ବାନ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବାସୁଦେବ ପଟ୍ଟନାୟକ, ସ୍ବର୍ଗତ ପତିତପାବନଙ୍କ ପୁତ୍ର ଗୁଣନିଧି ହୋତା, ଦୟାନିଧି ହୋତା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର