ରହସ୍ୟରେ ବୃଦ୍ଧଙ୍କୁ ହତ୍ୟା ମାମଲା, କିଛି ବି ସୁରାକ୍‌ ମିଳୁନି

ତଥାପି କାରଣ ଅସ୍ପଷ୍ଟ

ଭୁବନେଶ୍ବର: ଲକ୍ଷ୍ମୀସାଗର ଥାନା ଅଧୀନ ପୁରୁଣା ଷ୍ଟେସନ ବଜାର ନିକଟ ସୁକାନ୍ତି ଡର୍ମିଟୋରି ଭିତରେ ଅବସରପ୍ରାପ୍ତ ରେଳବାଇ କର୍ମଚାରୀ ଟି.ଭି ରାଓଙ୍କ ହତ୍ୟା ଘଟଣା କମିସନରେଟ ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ହତ୍ୟାକାରୀ ପୁଲିସ ପାଇଁ କିଛି ବି ପ୍ରମାଣ ଛାଡି ଯାଇ ନ ଥିବାରୁ ପୁଲିସ ତଦନ୍ତ ସେତେଟା ଆଗେଇ ପାରି ନାହିଁ। ସେହିପରି ଷ୍ଟେସନ ଓ ଆଖପାଖରେ ଲାଗିଥିବା ସିସି କ୍ୟାମେରାରେ ମଧ୍ୟ ମୃତ ଶ୍ରୀ ରାଓ ଓ ହତ୍ୟାକାରୀଙ୍କ କୌଣସି ଭିଡିଓ ନାହିଁ। ଯେଉଁଠି ବି କିଛି ଚିତ୍ର ଅଛି ତାହା ଅସ୍ପଷ୍ଟ। ହତ୍ୟାକାରୀ କେବଳ ସାଥୀରେ ଆଣିଥିବା ଅର୍ଥାତ ହତ୍ୟାରେ ବ୍ୟବହାର କରିଥିବା ନୂଆ ଧାରୁଆ ଛୁରିକୁ ଛାଡି ଯାଇଛି। ଯାହାକୁ ପୁଲିସ ଜବତ କରିଛି। ପରିବାର ଲୋକ ମଧ୍ୟ ମୃତ ଶ୍ରୀ ରାଓଙ୍କ କେହି ଶତ୍ରୁ ଥିବା ସମ୍ପର୍କରେ ସୂଚନା ଦେଇ ପାରିନାହାନ୍ତି। ଏଭଳି ପରିସ୍ଥିତି‌ରେ ଏକ ଅଜଣା ହତ୍ୟାକାରୀକୁ ଚିହ୍ନଟ କରିବା ଏବେ ପୁଲିସ ପାଇଁ କାଠିକର ପାଠ ହୋଇଛି।

ଗତକାଲି ଲକ୍ଷ୍ମୀସାଗର ଥାନା ପୁଲିସ ରାତି ୩ଟା ପର୍ଯ୍ୟନ୍ତ ଭୁବନେଶ୍ବର ଷ୍ଟେସନରେ ଲାଗିଥିବା ସମସ୍ତ ସିସି କ୍ୟାମେରା, ଲଜ୍‌କୁ ଲାଗି କରିଥିବା ବ୍ୟବସାୟିକ ପ୍ରତିଷ୍ଠାନର ସିସି କ୍ୟାମେରା ଯାଞ୍ଚ କରିଥିଲା। କିନ୍ତୁ କେଉଁଠି ବି ପୁଲିସକୁ କିଛି ଭିଡିଓ ମିଳିନାହିଁ। ତେଣୁ ଘଟଣା କ’ଣ, କାହିଁକି ଶ୍ରୀ ରାଓଙ୍କୁ ଯୁବକ ଜଣକ ହତ୍ୟା କଲା ତାହା ଏଯାଏ ଅସ୍ପଷ୍ଟ ହୋଇ ରହିଛି। ଯୁବକଙ୍କ ସହିତ ମୃତ ମୃତକଙ୍କ କ’ଣ ସମ୍ପର୍କ ଥିଲା ଓ କେଉଁ ପରିସ୍ଥିତିରେ ଦୁହେଁ ଲଜ୍‌ ଭିତରକୁ ଫ୍ରେସ ହେବାକୁ ଯାଇଥିଲେ, ଏପରି ଅନେକ ପ୍ରଶ୍ନ ଅସମାହିତ ହୋଇ ରହିଛି। ଯୁବକ ଜଣକ କାହିଁକି ଶ୍ରୀ ରାଓଙ୍କୁ ଏଭଳି ବୀଭତ୍ସ ଭାବେ ହତ୍ୟା କଲା ତାହାର କାରଣ ଖୋଜି ବାହାର କରିବା ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି। ଏଥିପାଇଁ ପୁଲିସ ଆଜି ମୃତକଙ୍କ ପରିବାର ଲୋକଙ୍କୁ ଡକାଇ ପଚରା ଉଚରା କରିଛି। ଶ୍ରୀ ରାଓଙ୍କ ମୋବାଇଲ ଫୋନ୍ ନମ୍ବରର କଲ ଡିଟେଲ୍ସ ଯାଞ୍ଚ କରିବା ଆରମ୍ଭ କରିଛି। ଗତକାଲି ସେ ଲଜ୍‌କୁ ଯିବା ପୂର୍ବରୁ କେଉଁମାନଙ୍କ ସହିତ କଥା ହୋଇଥିଲେ, ପୁଲିସ ତା’ର ମଧ୍ୟ ଛାନ୍‌ଭିନ ଆରମ୍ଭ କରିଛି।

ପୁଲିସ ହତ୍ୟାକାଣ୍ଡର ବିଭିନ୍ନ ଦିଗକୁ ନେଇ ତର୍ଜମା କରୁଛି। ଶ୍ରୀ ରାଓ ଜଣେ ଅବସରପ୍ରାପ୍ତ ରେଳବାଇ କର୍ମଚାରୀ। ସେ ଅବସର ପରେ ଗୁଡାଏ ଟଙ୍କା ପାଇଥିବେ। ସେହି ଟଙ୍କାକୁ କେହି ହାତେଇବା ପାଇଁ ଏଭଳି ହତ୍ୟାକାଣ୍ଡ ରଚାଇଥିବା ପୁଲିସ ବି ସନ୍ଦେହ କରୁଛି। ଏଥିପାଇଁ ଆଜି ପୁଲିସ ତାଙ୍କ ପୁଅମାନଙ୍କୁ ଭୁବନେଶ୍ବର ଡକାଇ ସେ ସମ୍ପର୍କରେ ଆଲୋଚନା କରିଛି। ଅନ୍ୟପକ୍ଷରେ ଶ୍ରୀ ରାଓ ରେଳବାଇରେ ଚାକିରି କରାଇ ଦେବାକୁ କହି କୌଣସି ଯୁବକଙ୍କଠାରୁ ଟଙ୍କା ନେଇଛନ୍ତି କି? ଏପରି ସମ୍ଭାବନା ନେଇ ମଧ୍ୟ ପୁଲିସ ଅନୁସନ୍ଧାନ କରୁଛି। ଅନ୍ୟପକ୍ଷରେ ଆଜି ପୁଲିସ କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଇଛି। ଆଜି ଏ ସମ୍ପର୍କରେ ସୂଚନା ଦେଇ ମୃତ ଶ୍ରୀ ରାଓଙ୍କ ପୁଅ ରବି କିରଣ କହିଛନ୍ତି, ବାପା ସକାଳ ସାଢ଼େ ୯ଟାରେ ଭୁବନେଶ୍ବର ଯାଇଥାନ୍ତି, ସଂଧ୍ୟା ସାଢ଼େ ୬ଟା ହେଲେ ଫେରି ଆସନ୍ତି। ତାଙ୍କର କେହି ଶତ୍ରୁ ଥିବା ଆମକୁ ଲାଗୁ ନାହିଁ। କିନ୍ତୁ ହତ୍ୟାକାରୀକୁ ତୁରନ୍ତ ଗିରଫ କରିବାକୁ ସେ ଦାବି କରିଛନ୍ତି।

ସବୁ ବେଳେ ପାଖରେ ଥାଏ ୪୦ରୁ ୫୦ ହଜାର ଟଙ୍କା
ମୃତ ଟି.ଭି ରାଓ ଅବସର ଗ୍ରହଣ ପରେ ଭୁବନେଶ୍ବର ଷ୍ଟେସନର ୬ ନମ୍ବର ପ୍ଲାଟଫର୍ମରେ ଅଟୋମେଟିକ ଟିକେଟ ଭେଣ୍ଡି ମେସିନ ଅପରେଟର ଭାବେ କାମ କରୁଥିଲେ। ଦିନ ସାଢ଼େ ୧ଟା ସୁଦ୍ଧା ତାଙ୍କ ପାଖରେ ୪୦ରୁ ୫୦ ହଜାର ଟଙ୍କା ଥାଏ। ତେବେ କେତେକ ସ୍ଥାନୀୟ ଯୁବକ କହିଛନ୍ତି, ମୃତ ଶ୍ରୀ ରାଓ ଟଙ୍କାତକ ବ୍ୟାଗରେ ନ ରଖି ସବୁବେଳେ ହାତରେ ଧରି ଦେଖେଇ ହେଉଥିଲେ। ଏହି କାରଣରୁ ତାଙ୍କୁ କେହି ଟାର୍ଗେଟ କରି ବିଶ୍ବାସ ଜନ୍ମାଇବା ପରେ ଲଜକୁ ନେଇ ହତ୍ୟା କରି ଥାଇପାରେ। ପରେ ପୁଲିସକୁ ଭ୍ରମରେ ପକାଇବାକୁ କିଛି ଟଙ୍କା ଛାଡି ଯାଇଥାଇ ପାରେ।

ଦିନକୁ ଦୁଇ ଥର ଫ୍ରେସ ହେବାକୁ ଯାଇଥାନ୍ତି
ପୁଲିସ ଷ୍ଟେସନ ଓ ଆଖପାଖରେ ପଚରା ଉଚରା କରି ଜାଣିବାକୁ ପାଇଛି କି, ମୃତ ଟି.ଭି ରାଓ ଦିନକୁ ଥରେ କିମ୍ବା ଦୁଇ ଥର ଷ୍ଟେସନ ନିକଟରେ ଥିବା ବିଭିନ୍ନ ଲଜକୁ ଫ୍ରେସ ହେବାକୁ ଯାଇଥାନ୍ତି। କାହିଁକି ସେ ଲଜକୁ ଫ୍ରେସ ହେବାକୁ ଯାଇଥାନ୍ତି ପୁଲିସ ସେ ଦିଗରେ ମଧ୍ୟ ଅନୁସନ୍ଧାନ ଚଳାଇଛି। କାରଣ ପୁଲିସ ଗତକାଲି ଟି.ଭି ରାଓଙ୍କ ବ୍ୟାଗ ଭିତରୁ ଏକ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଥିଲା। ଲଜ୍ ଭିତରେ କ’ଣ ଘଟିଥିଲା ଯେ, ମୃତ ଟିଭି ରାଓ ସଂପୂର୍ଣ୍ଣ ଉଲଗ୍ନ ଥିଲେ? ପୁଲିସ ସେ ବାବଦରେ ମଧ୍ୟ ରେଳଷ୍ଟେସନରେ ପଚରା ଉଚରା କରୁଛି।

ରାଉରକେଲା‌ ଇଣ୍ଟରସିଟି ଏକ୍ସପ୍ରେସ ଉପରେ ପୁଲିସର ନଜର
ମୃତ ଟି.ଭି ରାଓ ଓ ସନ୍ଦିଗ୍ଧ ଯୁବକ ଦିନ ପ୍ରାୟ ସାଢ଼େ ୧ଟା ବେଳେ ଲଜ୍‌କୁ ଫ୍ରେସ ହେବାକୁ ଯାଇଥିଲେ। ଏହି ସମୟରେ ଭୁବନେଶ୍ବର ଷ୍ଟେସନର ୬ ନମ୍ବର ପ୍ଲାଟଫର୍ମରେ ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ ଲାଗିଥିଲା। ସେହି ଟ୍ରେନରେ କୌଣସି ଯୁବକ ଆସି ଏଭଳି କାଣ୍ଡ କରିଥିବା ପୁଲିସ ସନ୍ଦେହ କରୁଛି। ଏଥିପାଇଁ ପୁଲିସ ସେହି ଟ୍ରେନରେ ଥିବା କେବଳ ଯୁବ ଯାତ୍ରୀ (୨୫ ବର୍ଷ ମଧ୍ୟରେ) ମାନଙ୍କୁ ଏବେ ସ୍କାନରକୁ ଆଣିଛି। ପୁଲିସ ରାଉରକେଲା ସମେତ ବିଭିନ୍ନ ଷ୍ଟେସନରେ ଲାଗିଥିବା ସିସି କ୍ୟା‌ମେରା ଯାଞ୍ଚ କରିବାକୁ ଯୋଜନା କରିଛି। ସେହିପରି ଗତକାଲି ସନ୍ଧାନୀ କୁକୁର ଲଜ୍‌ ଭିତରୁ ରକ୍ତଲଗା ମୋଜା ଶୁଂଘିବା ପରେ ସିଧା ଷ୍ଟେସନ ଭିତରକୁ ଯାଇଥିଲା। ୬ ନମ୍ବର ପ୍ଲାଟର୍ଫମରୁ ୪ ନମ୍ବର ପ୍ଲାଟଫର୍ମ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନ ବୁଲିବା ପରେ ଏକ ପାଣି ଟ୍ୟ‌‌ାପ ନିକଟରେ ବହୁ ସମୟ ଧରି ଠିଆ ହୋଇ ଶୁଂଘାଶୁଂଘି କରିଥିଲା। ଏଣୁ ପୁଲିସ ସନ୍ଦେହ କରୁଛି ହତ୍ୟାକାରୀ ସେଠାରେ ରକ୍ତ ଲଗା ହାତ ଧୋଇ କୌଣସି ଟ୍ରେନରେ ଉଠି ଖସି ଯାଇଛି। ତେଣୁ ସେହି ସମୟରେ ଅର୍ଥାତ ଦିନ ଦୁଇଟା ପାଖାପାଖି ଯେଉଁ ସବୁ ଟ୍ରେନ ଭୁବନେଶ୍ବର ଷ୍ଟେସନ ଛାଡିଥିଲା ପୁଲିସ ତା ଉପରେ ମଧ୍ୟ ନଜର ରଖିଛି।

ସମ୍ବନ୍ଧିତ ଖବର