ହରିରାଜପୁର ‌ଜମାଣ ଦେଖାରୁ ଅନ୍ତିମ ଯାତ୍ରା : ପୃଥକ ଦୁର୍ଘଟଣାରେ ୨ ମୃତ

ସ୍ତ୍ରୀଙ୍କ ଆଖି ଆଗରେ ସ୍ବାମୀଙ୍କ ମୃତ୍ୟୁ

ଖଣ୍ଡଗିରି/ପୁରୁଣା ଭୁବନେଶ୍ବର : ବୁଧବାର ଭୋର୍ ସମୟରେ ସ୍ଥାନୀୟ ଅଞ୍ଚଳରେ ଘଟିଥିବା ପୃଥକ ପୃଥକ ଦୁଇଟି ଦୁର୍ଘଟଣାରେ ୨ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ବରମୁଣ୍ଡା ଫାୟାର୍ ଷ୍ଟେସନ୍‌ ନିକଟ ଓଭରବ୍ରିଜ୍ ଉପରେ ଘଟିଥିବା ଦୁର୍ଘଟଣାରେ ବାଲିପାଟଣା ଥାନା ନିଆଳି ନୂଆଗାଁର କୁମର ବେହେରାଙ୍କ ପୁଅ ନରେନ୍ଦ୍ର(୨୭)ଙ୍କର ମୃତ୍ୟୁ ହୋଇଥିବା ବେଳେ ପୋଖରୀପୁଟ ନିକଟରେ ଏକ ହାଇୱା ଧକ୍କାରେ ଡୁମୁଡୁମା ଫେଜ୍-୩ରେ ରହୁଥିବା ଖୋର୍ଧା ବୋଲଗଡ଼ ଗର୍ଭଣୀପଡ଼ାର ପ୍ରଦୀପ ମିଶ୍ର(୩୮)ଙ୍କ ଜୀବନ ଯାଇଛି। ମୃତକମାନେ ପୁରୀ ଡେଲାଙ୍ଗ ଥାନା ହରିରାଜପୁର ପଞ୍ଚୁଦୋଳ ଯାତ୍ରା ଜମାଣ ଅବସରରେ ରାତିସାରା ଆତସବାଜି କାର୍ଯ୍ୟକ୍ରମ ଦେଖି ଫେରୁଥିବାବେଳେ ଏଭଳି ଅଘଟଣ ଘଟିଛି। ସୂଚନାନୁସାରେ ନରେନ୍ଦ୍ର ତାଙ୍କ ଦୁଇ ବନ୍ଧୁ ଲକ୍ଷ୍ମୀକାନ୍ତ ସେନାପତି ଓ ମାନସ ସାହୁଙ୍କ ସହ ଏକ ବାଇକରେ ହରିରାଜପୁରରୁ ଜଟଣୀ ଦେଇ ଭୁବନେଶ୍ବର ଫେରୁଥିଲେ। ସକାଳ ପ୍ରାୟ ସାଢ଼େ ୫ଟାବେଳେ ସେମାନେ ବରମୁଣ୍ଡା ଫାୟାର୍ ଷ୍ଟେସନ୍‌ ଓଭରବ୍ରିଜ୍ ଉପରେ ପହଞ୍ଚିଥିବାବେଳେ କୌଣସି କାରଣରୁ ସେମାନଙ୍କ ବାଇକ ରାଜପଥ କଡ଼ ୱାଲ୍‌ରେ ପିଟି ହୋଇଥିଲା। ନରେନ୍ଦ୍ର ବାଇକ୍‌ରୁ ଛିଟିକି ଓଭରବ୍ରିଜ୍ ତଳ(ପ୍ରାୟ ୨୦ଫୁଟ୍‌)କୁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା। ଲକ୍ଷ୍ମୀକାନ୍ତ ଓ ମାନସ ରାଜପଥ ଉପରେ ଆହତ ହୋଇ ପଡ଼ିଥିଲେ। ବ‌ାଇକ୍‌କୁ କୌଣସି ଭାରୀଯାନ ଧକ୍କା ଦେବାରୁ ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି। ଖଣ୍ଡଗିରି ଥାନା ପୁଲିସ ଦୁର୍ଘଟଣାର ତଦନ୍ତ କରୁଥିବାବେଳେ ଆହତଦ୍ବୟ ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି। ପୋଖରୀପୁଟରେ ଘଟିଥିବା ଦୁର୍ଘଟଣା ବଡ଼ ଦୁଃଖଦ। ସ୍ତ୍ରୀ ଓ ଛୋଟ ପୁଅର ଆଖି ସମ୍ମୁଖରେ ପ୍ରଦୀପଙ୍କ ମୃତ୍ୟୁ ଘଟିଥିଲା। ସ୍ତ୍ରୀ ମମତା ଓ ଛୋଟ ପୁଅ ସହ ହରିରାଜପୁର ଜମାଣ ଦେଖି ସେମାନେ ସୁନ୍ଦରପଦା ଦେଇ ଡୁମୁଡୁମା ଫେରୁଥିଲେ। ପୋଖରୀପୁଟ ଫ୍ଲାଏ ଓଭରବ୍ରିଜ୍ ପାର୍ ହେବା ପରେ ପରେ ପଛରୁ ଖଣ୍ଡଗିରି ଦିଗରେ ଦ୍ରୁତବେଗରେ ଯାଉଥିବା ଏକ ହାଇୱା(ଏଡବ୍ଲୁ୦୨ଏସି-୨୯୫୫) ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ପ୍ରଦୀପ ରାସ୍ତା ଉପରେ ହାଇୱା ଚକା ତଳେ ପଡ଼ି ଯାଇଥିବାବେଳେ ସ୍ତ୍ରୀ ମମତା ଓ ପୁଅ ଦୂରକୁ ଛିଟିକି ପଡ଼ି ଆହତ ହୋଇଥି‌ଲେ। ଏୟାରଫିଲ୍‌ଡ ଥାନା ପୁଲିସ ହାଇୱାକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର