ବାଲିପାଟଣାରୁ ଦୁଇ ନିଶା ବେପାରୀଙ୍କୁ ଉଠାଇ‌ନେଲା ଏସ୍‌ଟିଏଫ, ଛୋଟାର ସହଯୋଗୀ ସନ୍ଦେହ

ଭୁବନେଶ୍ବର/ବାଲିପାଟଣା : ବାଲିପାଟଣା ଅଞ୍ଚଳରୁ ଦୁଇ ନିଶା ବେପାରୀଙ୍କୁ ଉଠାଇ ନେଇଛି କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ)। ଆଜି ଅପରାହ୍‌ଣରେ ଏସ୍‌ଟିଏଫ୍‌ ଇନ୍‌ସ୍‌ପେକ୍ଟର ଆଲୋକ ଜେନା ସଦଳବଳ ଚଢ଼ଉ କରି ଏହି ବେପାରୀଙ୍କୁ ଉଠାଇ ନେଇଛନ୍ତି। ଉଭୟ ଅଭିଯୁକ୍ତ ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ବ୍ରାଉନସୁଗାର ବିକ୍ରି କରୁଥିବା ଜଣାପଡ଼ିଛି। ଖୋର୍ଧା ବ୍ରାଉନସୁଗାର ବେପାରୀ ତଥା ଖଣି ମାଫିଆ ଛୋଟାର ଏମାନେ ସହଯୋଗୀ ବୋଲି ସନ୍ଦେହ କରାଯାଉଛି। ଆଜି ରିମାଣ୍ଡରେ ଆସିବା ପରେ ହୋଇଥିବା ଜେରା‌ରେ ଛୋଟାଠାରୁ ମିଳିଥିବା ତଥ୍ୟକୁ ଆଧାର କରି ଏହି ଚଢ଼ଉ ହୋଇଥିବା କୁହାଯାଉଛି। ତେବେ ଏମାନଙ୍କଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଏସ୍‌ଟିଏଫ୍‌ ପାଇଥିବା ଜଣାପଡ଼ିଛି। ବାଲିପାଟଣା ଅଞ୍ଚଳରେ ଛୋଟା ବ୍ୟବସାୟର ଚେର ଲମ୍ବିଥିବା ନେଇ ଏସ୍‌ଟିଏଫ୍ ପ୍ରମାଣ ପାଇଛି। ଆଜି ବାଲିପାଟଣା, ବନମାଳିପୁର, ଅଠାନ୍ତର ଆଦି ସ୍ଥାନରେ ଏସଟିଏଫ୍‌ ଟିମ୍ ଚଢ଼ଉ କରିଥିଲା। ଦୁଇ ଅଭିଯୁକ୍ତଙ୍କ ବୟାନକୁ ଆଧାର କରି ଅନ୍ୟ କେତେକ ଜାଗାରେ ମଧ୍ୟ ଚଢ଼ଉ ହେବ ବୋଲି କୁହାଯାଉଛି।

ଦୀର୍ଘ ଦିନ ହେବ ବାଲିପାଟଣା ଅଞ୍ଚଳରେ ବ୍ରାଉନସୁଗାର କାରବାର ଚାଲିଛି। ପୁଲିସ ଓ ଅବକାରୀ ବିଭାଗର ନିରବତା ଯୋଗୁଁ ନିଶା ବେପାର ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି କରୁଛି। ଖୋର୍ଧାରୁ ନିୟମିତ ଭାବରେ କେତେଜଣ ନିଶାବେପାରୀ ଆସି ଏଠାରେ ଖୁଚୁରା ବ୍ୟବସାୟୀଙ୍କୁ ନିଶା ଦ୍ରବ୍ୟ ଦେଇ ଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏହି ଦୁଇଜଣଙ୍କ ସମେତ ବାଲିପାଟଣା ଅଞ୍ଚଳରେ ଆହୁରି ଅନେକ ନିଶା ବେପାରୀ ରହିଥିବା ଏସଟିଏଫ ଆଶଙ୍କା କରୁଛି। ଚଢ଼ଉ ପରେ ବାଲିପାଟଣା ଅଞ୍ଚଳରେ ନିଶା ବ୍ୟବସାୟୀଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି।

ସମ୍ବନ୍ଧିତ ଖବର