ମିଳନ ପାଇଁ ପାଗଳ ବୟସ୍କ ଜଳହସ୍ତୀ: ସପ୍ତାହକରେ ମାରିଲାଣି ୨ ଅଣ୍ଡିରା

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏବେ ଜଳହସ୍ତୀଙ୍କ ମିଳନ ଋତୁ ଆରମ୍ଭ ହୋଇଛି। ୬୩ ନମ୍ବର ଖୁଆଡ଼ ମଧ୍ୟରେ ରହୁଥିବା ସବୁଠାରୁ ବୟସ୍କ ଜଳହସ୍ତୀଟି ମିଳନ ପାଇଁ ପାଗଳପ୍ରାୟ ହୋଇଯାଇଛି। ସେହିପରି ଦଳ ମଧ୍ୟରେ ନିଜର ପତିଆରା ଜାହିର କରିବା ପାଇଁ ଏହି ବୟସ୍କ ଜଳହସ୍ତୀଟି ଏବେ ଆକ୍ରମଣାତ୍ମକ ହୋଇଯାଇଛି। ଅନ୍ୟ କୌଣସି ପୁରୁଷ ଜଳହସ୍ତୀଙ୍କୁ ମାଈଙ୍କ ନିକଟବର୍ତୀ କରାଇ ଦେଉନାହିଁ। ତେବେ ତାର ଚେତାବନୀକୁ ବେଖାତିର କରି ମାଈ ଜଳହସ୍ତୀଙ୍କ ନିକଟବର୍ତୀ ହେବାକୁ ଚେଷ୍ଟା କରୁଥିବା ଅନ୍ୟ ପୁରୁଷ ଜଳହସ୍ତୀକୁ ସେ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରି ହତ୍ୟା କରୁଛି। ଏହି କାରଣରୁ ଗତ ୮ ଦିନ ମଧ୍ୟରେ ତା’ ଆକ୍ରମଣରେ ଖୁଆଡ଼ରେ ଥିବା ୨ ପୁରୁଷ ଜଳହସ୍ତୀଙ୍କ ମୃତ୍ୟୁ ଘଟିଲାଣି। ଗତ ୨୯ ତାରିଖରେ ଗୋଟିଏ ପୁରୁଷ ଜଳହସ୍ତୀକୁ ମାରିଥିବା ବେଳେ ଆଜି ପୁଣି ଏକ ସମବୟସ୍କ (୬ବର୍ଷର) ଜଳହସ୍ତୀକୁ ହତ୍ୟା କରିଛି। ଏହି ଘଟଣା ଏବେ ନନ୍ଦନକାନନ କର୍ତୃପକ୍ଷଙ୍କୁ ଚିନ୍ତାରେ ପକାଇ ଦେଇଛି। ତେଣୁ ଖୁବ୍‌ଶୀଘ୍ର ବୟସ୍କ ଜଳହସ୍ତୀକୁ ମିଶାଇ ମୋଟ ୫ ପୁରୁଷ ଜଳହସ୍ତୀଙ୍କୁ ନିର୍ବାସିତ କରିବାକୁ ଯୋଜନା କରାଯାଇଛି। ସେମାନଙ୍କୁ ଦଳରୁ ଅଲଗା କରି ସ୍ୱତନ୍ତ୍ର ଛୋଟ ଛୋଟ ପୋଖରୀ ଖୋଳି ସେଥିରେ ଛାଡ଼ିବାକୁ ଯୋଜନା କରାଯାଇଛି।

ଅପରପକ୍ଷେ ବ୍ୟବଚ୍ଛେଦ ପରେ ଆଜି ମୃତ ଜଳହସ୍ତୀଟିର ଶବକୁ ନନ୍ଦନକାନନ କର୍ତୃପକ୍ଷ ପୋତି ଦେଇଛନ୍ତି। ବୟସ୍କ ଜଳହସ୍ତୀର ଦନ୍ତାଘାତରେ ତା’ ଦେହ ଓ କାନମୁଣ୍ଡାରେ ଗଭୀର କ୍ଷତ ସୃଷ୍ଟି ହୋଇ ପ୍ରଚୁର ରକ୍ତସ୍ରାବ ହେବାରୁ ତା’ର ମୃତ୍ୟୁ ଘଟିଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ନନ୍ଦନକାନନ କର୍ତ୍ତୃପକ୍ଷ ଓ ପ୍ରାଣୀ ଚିକିତ୍ସକଙ୍କ ସୂଚନା ଅନୁଯାୟୀ, ଜଳହସ୍ତୀମାନଙ୍କ ମଧ୍ୟରେ ସାଧାରଣତଃ ଖାଦ୍ୟ ଓ ଇଲାକା ପାଇଁ ସଂଘର୍ଷ ଘଟିଥାଏ। ଏହି ୨ କାରଣକୁ ବାଦ୍‌ ଦେଲେ, ବିଶେଷ କରି ଏହି ଋତୁରେ ମିଳନ ପାଇଁ ସଂଘର୍ଷ ଘଟୁଛି। ଏବେ ମିଳନ ଋତୁ ଚାଲିଥିବାରୁ ଦଳର ଦଳପତି ବୟସ୍କ ପୁରୁଷ ଅନ୍ୟ କନିଷ୍ଠ ପୁରୁଷଙ୍କୁ ମାଈମାନଙ୍କ ନିକଟବର୍ତୀ କରାଇନଦେବା ଲାଗି ଆକ୍ରମଣ କରୁଛି। ମିଳନ ଋତୁ ଯୋଗୁଁ ଅନ୍ୟ କନିଷ୍ଠ ଜଳହସ୍ତୀଙ୍କର ମଧ୍ୟ ବ୍ୟାକୁଳତା ବଢ଼ିଯାଇଛି। ସେମାନେ ବୟସ୍କ ପୁରୁଷର ପରାକ୍ରମକୁ ଭ୍ରୂକ୍ଷେପ ନକରି ମାଈ ଜଳହସ୍ତୀଙ୍କ ନିକଟବର୍ତୀ ହେବାକୁ ଚେଷ୍ଟା କରୁଛନ୍ତି। ମିଳନ ପାଇଁ ପୁରୁଷ ଜଳହସ୍ତୀଙ୍କର ପରସ୍ପର ମଧ୍ୟରେ ଏଭଳି ସଂଘର୍ଷ ରାତିରେ ଘଟୁଥିବା କର୍ତ୍ତୃପକ୍ଷ ଅନୁଧ୍ୟାନ କରି ଜାଣିବାକୁ ପାଇଛନ୍ତି।

ସମ୍ବନ୍ଧିତ ଖବର